–ମନେ ପଡେ ମୋ ଅଭୁଲା ସ୍ମୃତିରୁ ଗୋଟିଏ ଛୋଟ ଅନୁଭବ : ” ନାଲି ରଙ୍ଗର ସିଲକ ଫ୍ରକ ଆଉ ମୋର ସୁନ୍ଦ ଦିଦିଙ୍କ ସହିତ ଅଭୁଲା ସ୍ମୃତି–

ମୋତେ ଓଡ଼ିଆରେ ଭଲ ଭାବେ ଲେଖି ଆସେ ନାହିଁ କହିଲେ ଆତ୍ୟୁକ୍ତି ହେବ ନାହିଁ I ଯଦିଚ ମୁଁ ଓଡ଼ିଆ ରେ ପଢିଛି ହାଇସ୍କୁଲ ପର୍ଯ୍ୟନ୍ତ! କିନ୍ତୁ ଅନେକ ଦିନ ହେଲା ବାହାରେ ରହିବା ଯୋଗୁ ଓଡ଼ିଆରେ ଲେଖିବା ଅଭ୍ୟାସଟି ଛାଡ଼ି ଯାଇଛିା ସେତେବେଳେ ତ ଇଣ୍ଟରନେଟ୍ ର ସୁବିଧା ନଥିଲା ଏବ ପରି l ଓଡ଼ିଆ ବହି ବି ସୁବିଧାରେ ମିଳୁ ନଥିଲା। କେବଳ ଘରକୁ ଓଡ଼ିଆରେ ଚିଠି ଯାହା ଲେଖୁଥିଲୁ l ଲେଖିବା ପାଇଁ ଜ୍ଞାନ ଠାରୁ ଏକାଗ୍ରତା ବହୁତ ଦରକାର ଯୋଉଟା ମୋ ପାଖେ ବହୁତ କମ। ସମସ୍ତଙ୍କ ପ୍ରେରଣା ଆଉ ନିଜର ଇଛା ଯୋଗୁ ମୂଁ ଓଡ଼ିଆରେ ମୋର ଅନୁଭବ ଗୁଡିକ ଲେଖିବାକୁ ଆରମ୍ଭ କରିଛି। ଆଜି ମୋର ସବୁ ଅନୁଭୂତି ଭିତରୁ ଗୋଟିଏ ଅନୁଭୂତି ମନେ ପଡେ ଯେତେବେଳେ ମୂଁ କଟକ ରେ ଥିଲି ନାନି ଘରେ।

ପିଲାଦିନେ ମତେ ଗୋଟିଏ ସିଲ୍କ ଫ୍ରକ ପିନ୍ଧିବା ପାଇଁ ଭାରି ଇଛା ଥିଲା। ନାନି ବା ବାପା ସବୁବେଳେ କହନ୍ତି ସିଲ୍ଜ ଜାମା ଗୁଡାକ କେବଳ ଅଳ୍ପ ଦିନ ପାଇଁ। ମୋ ସାଙ୍ଗ ମାନେ ସବୁବେଳେ ବାହାରକୁ ବୁଲିଗଲାବେଳେ ବା ସିନେମା ଦେଖିବାକୁ ଗଲା ବେଳେ ସିଲ୍କ ଫ୍ରକ୍ ପିନ୍ଧୁଥିଲେ । ମୋ ଫ୍ରକ ସେତିକି ଟଙ୍କା ର ହେଲେବି ସୁତାର ଥିଲା। ତେଣୁ ଲାଜ ମାଡୁଥିଲା ଆଉ ରାଗୁବି ଥିଲି ବାପାଙ୍କ ଉପରେ । ବୋଉ ହେଲେ ଥାଆନ୍ତା ତାହେଲେ ତା ସଂଗେ କଳି କରି ଗୋଟେ ସିଲ୍କ ଫ୍ରକ୍ କିଣି ଥାଅନ୍ତି। ମନ କଥା ମନରେ ସବୁବେଳେ ଥାଏ। ଭାବେ ମୋର ପିଲା ହେଲେ ଆଉ ଯଦି ସିଏ ଝିଅ ହୁଏ ତାହାଲେ ତାକୁ ନିଶ୍ଚୟ ସିଲ୍କ ଜାମା ପିନ୍ଧେଇବି। ବେଳେ ବେଳେ ବୁଢୀମାଙ୍କ ପାଖେ ସଂଜ ଦେଲା ବେଳେ କହେ ମା ମତେ ସିଲ୍କ. ଜାମା ନଦେଲେବି ଏଇନେ, ପରେ ମୋ ପିଲାକୁ ସିଲକ ଜାମା ପିନ୍ଧିବାର ସୁବିଧା କରିବ।

ମୂଁ ଖରା ଛୁଟିରେ ରେ ନାନି ମାନଙ୍କ ଘାକୁ ଯାଏ। ସେଠି ମୋ ପୁତୁରା , ଝିଆରୀ ମାନଙ୍କ ସଂଗେ ସମୟ ଭଲରେ କଟି ଯାଉ ଥିଲା। ନାନି ଘରେ ଆମ ଘରଠୁ ଖାଇବା, ପିଇବା ଭଲ ହୁଏ। ବୁଲା, ବୁଲି ଆଉ ସିନେମା ଦେଖା ବି ହୁଏ।

୧୯୬୬ ମସିହାରେ ମୂଁ ମୋ ବଡ ନାନି ଘର କଟକକୁ ଯାଇ ଥିଲି। ସେଠିକା ଅନୁଭୂତି ବହୁତ ଅଲଗା ଥିଲା। ଆମ ଭିଣୋଇ ଡ୍ର। କୁଞ୍ଜବେହାରୀ ଦାଶ ଜଣେ ପ୍ରସିଦ୍ଧ ଲେଖକ। ତେଣୁ ତାଙ୍କ ଘରେ ବହି , ମାଗଜିନ ବହୁତ ପଢିବାକୁ ମିଳେ। ନାନି ଆମର ରୋଷେଇରେ ଧୁରନ୍ଧର। ସିଏ ଶାନ୍ତିନିକେତନରେ ଥିଲା। ତେଣୁ ଭଲ ଭଲ ବଙ୍ଗାଳି ରୋଷେଇ କରେ। ଇଲିଶ ମାଛ ଦହି ଦେଇ, ପାଳୁଅ ଖିରି ଇତ୍ୟାଦି, ଇତ୍ୟାଦି। ନାନୀ ପୁଅ କୁନା ମୋଠାରୁ ଅଳ୍ପ ବଡ଼ ଓ ଟିକି, ବୁନି ଅଳ୍ପ ସାନ ଥିଲେ। ତେଣୁ ସକାଳ ଚାଲିବା, ଗଛ ଚଢିବା ଓ ଯୁକ୍ତି ତର୍କରେ ସମୟ ଭାରି ଭଲରେ କଟୁ ଥାଏ। ନାନୀ ଦୁଇ ପହରେ କାହା ଘରକୁ ବୁଲିଗଲେ ମତେ ସାଙ୍ଗରେ ନିଏ।

ନାନି ର ସାଙ୍ଗ ସୁନ୍ଦ ଦିଦିଙ୍କୁ ନାନି ପଥୁରିଆ ଶାହିରୁ ଜାଣିଥିଲା। ତାଙ୍କ ସ୍ୱାମୀ ଶ୍ରୀଧର ବାବୁ କଟକର ଜଣେ ସଚୋଟ, ପ୍ରସିଦ୍ଧ କଂଟ୍ରାକଟର ଥିଲେ। ତାଙ୍କର ବହୁତ ବଡ଼ ଘର ଥିଲା। ନାନୀ ସଂଗେ ମୂଁ ସୁନ୍ଦ ଦିଦିଙ୍କ ଘରକୁ ବହୁତ ଥର ଯାଇଛି। ମତେ ଭଲ ଲାଗେ ତାଙ୍କ ଘରକୁ ଯିବାକୁ କାରଣ ସେଠି ସୁନ୍ଦ ଦିଦି ଆମକୁ ଭଲ ଭଲ ଜଳଖିଆ ଖାଇବାକୁ ଦିଅନ୍ତି। ସନ୍ଦେଶ, ସିଙ୍ଗଡା ଇତ୍ୟାଦି। ଖାଇବା ଲୋଭରେ ମୂଁ କେବେ ମନା କରେନି ତାଙ୍କ ଘରକୁ ଯିବା ପାଇଁ। ଟିକି , ବୁନି ବର୍ଣ୍ଣିଙ୍ଗ ଦିଅନ୍ତି ଆଉ ଖେଳିବେନି ମୋ ସଂଗେ କାରଣ ମୂଁ ପଳାଉଛି ଖେଳ ମଝିରୁ। ଯା ହଉ ତାଙ୍କୁ ବୁଝେଇ କହେ ନାନୀକୁ ସାହାଯ୍ୟ ଦରକାର, ସିଏ ସବୁ ଜିନିଷ କେମିତି ଏକୁଟିଆ ଉଠେଇ ଆଣିବ। ନାନିତ ଭାରି ପାରିବାର। ମୂଁ ତ କେବଳ ଜଳଖିଆ ଖାଇବା ପାଇଁ ରେଡି ହୋଇ ଥାଏ ଯିବା ପାଇଁ। ରାସ୍ତାରେ ରୀକସାରେ ବସିବା ପରଠୁ ନାନି ତାଗିଦା କରି କହି ଥାଏ ସୁନ୍ଦ ଦିଦିଙ୍କ ଘରକୁ ଗଲେ ମନା କରିବାକୁ ଖାଇବା ପାଇଁ ଯଦି ସିଏ ଜଳଖିଆ ଦେବେ। ଦୁଇ ଥର କହିଲା ପରେ ଅଳ୍ପ (ଗୋଟିଏ ମିଠା ଆଉ ଗୋଟିଏ ଲୁଣି) ନବା ପାଇଁ ତାଗିଦା କରିଥାଏ ।

ମୂଁ ମନେ ମନେ ଭାବୁଥାଏ କାହିଁକି? ସିଏ ତ ମତେ ନିଜେ ଦଉଛନ୍ତି., ମନା କାହିଁକି କରିବି। ତେବେ ନାନୀ ସଂଗେ ଯୁକ୍ତି ନକରି ଭାବେ ଆଜି ଆଗ ଯାଏ ଆଉ ଦେଖେ କଣ ହେଉଛି ସେଠି। ଆମେ ୨ ଟା ବେଳେ ସୁନ୍ଦ ଦିଦିଙ୍କ ଘରେ ପହଁଚିଲୁ।ସୁନ୍ଦ ଦିଦିଙ୍କ ଘର ବଡ଼ ଆଉ ଭାରି ସୁନ୍ଦର। ଚାରିଆଡେ ଲୁହାର ଦୁଆର। ବଡ଼ ଅଗଣା। ଦୁଇ ତାଲା ଛାତ ଆଉ ଗୁଡ଼ାଏ ବଖରା ରୁମ। ନାନୀ କଥା କହିବାକୁ ବସିଗଲା। ମୂଁ ଉପରକୁ ଗଲି ଦେଖିବାକୁ ଆଉ ସବୁ କଣ ଅଛି ବୋଲି। ତାଙ୍କ ଝିଅ ବିଜୁ (ବିଜୟାର) ରୁମ ଉପରେ ଥିଲା । ଭାବିଲି ତା ସଂଗେ ଗପ କରିବି। ଉପରେ ଦେଖିଲି ସିଏ ନାହିଁ। କୁଆଡେ ଯାଇ ଥିବ ବୋଧେ ? ତା ରୁମ ଟା ଭାରି ସୁନ୍ଦର ଭାବେ ସଜଡା ହୋଇ ଥିଲା। ବହୁତ ଲୁଗା, ଜାମା ଆଉ କୁଣ୍ଢେଇ ଖଟ ଉପରେ ଆଉ ଆଲମିରା ଭିତରେ ଥିବାର ଦେଖିଲି। ଖଟଉପରେ ଗୋଟେ ନାଲି ରଙ୍ଗର ପୋଲକା ଡଟ ସିଲ୍କ ଜାମା ଦେଖି ମୂଁ ଆଖି ମେଲେଇ ତା ଖଟ ଉପରେ ବସି ପଡିଲି। ଭାବିଲି ମୋର ହେଲେ ଏମିତି ଜାମାଟେ ଥାଆନ୍ତା। ହାତରେ ସେ ଫ୍ରକ ଟିକୁ ଛୁଇଁଲି। ଜାମା କୁ ପିନ୍ଧିଲା ପରି ମୋ ଦେହରେ ଲଗାଇ ଆଲମିରା ର ବଡ଼ ଦର୍ପଣରେ ଦେଖିଲି।ଭାରି ଭଲ ମାନୁଛି ତତେ ବୋଲି ନିଜକୁ ନିଜେ କହିଲି। ତାପରେ ଜାମା କୁ ଭଲକରି ଭାଙ୍ଗି ଖଟ ଉପରେ ରଖି ତଳକୁ ଆସିବାକୁ ସିଡି ପାଖକୁ ଗଲି। ସୁନ୍ଦ ଦିଦି ସେତିକି ବେଳକୁ ଉପରକୁ ଆସୁଥିଲେ। ମତେ ପଚାରିଲେ ବିଜୁତ ନାହିଁ , ହେଲେ ତା ରୁମରେ ବସି ତୁ ବହି ପଢ ନହେଲେ ଖେଳେ। ହଠାତ ମୋ ପାରିରୁ ବାହାରି ଗଲା, ସୁନ୍ଦ ଦିଦି, ତୁମ ଝିଅ ବିଜୁ ର କେତେ ଜାମା। ସିଲ୍କ ସବୁ ପ୍ରକାର ଫ୍ରକ୍।ମୋର ସବୁ ବେଳେ ଗୋଟେ ସିଲ୍କ ଫ୍ରକ୍ ପିନ୍ଧିବାକୁ ଇଛା କିନ୍ତୁ ବାପା ମାନୁ ନାହାନ୍ତି। ତାଙ୍କ ମତରେ ସୁତା ଫ୍ରକ ଭଲ।

ସୁନ୍ଦ ଦିଦି ଦେଖିବାକୁ ଠିକ ଦେବୀଙ୍କ ପରି। ସବୁ ବେଳେ ନାଲି ସିନ୍ଦୁର ଟୋପା ତାଙ୍କ କପାଳରେ ସୁନ୍ଦର ହୋଇ ଲାଗିଥାଏ। ଭଲ ମଣ୍ଡ ଦେବା ଧଳା ଶାଢ଼ୀ ରେ ନାଲି ଵଡର ଥିବା ଲୁଗା ପିନ୍ଧି ଥାନ୍ତି। ମତେ ସିଏ ଧିରୀ କିନା କହିଲେ ହଁ ବିଜୁର ବହୁତ ଗୁଡ଼େ ନୂଆ ଜାମା ଛୋଟ ହୋଇ ଯାଇଛି। ତୁ ଚାହିଁଲେ ପିନ୍ଧି ଦେଖ, ଯଦି ତତେ ଫିଟ ହବ ତାହେଲେ ନେଇଯିବୁ ଖଣ୍ଡେ । ତାଙ୍କ ପାଟିରୁ କଥା ସରିନି ମୁଁ ତୁରନ୍ତ, ପଚାରିଲି ସିଲକ ଜାମା ଅଛିକି? ହଠାତ ଆଲମିରା ଖୋଲି ଦୁଇଟା ଫ୍ରକ ଖଟ ଉପରେ ଥୋଇଦେଇ କହିଲେ ପିନ୍ଧିକିନା ଦେଖ ଆଉ ତାପରେ ତଳକୁ ଆସି ଜଳଖିଆ ଖାଇଦେ। ଆଜି ସନ୍ଦେଶ ଆସିଛି। ହେ ଭଗବାନ ମୁଁ କୋଉଟା ଆଗକରିବି। ମିଠା ଖାଇବା ପାଇଁ ତ ମୋର ସବୁବେଳେ ମନ ତାପରେ ପୁଣି କଟକ ସନ୍ଦେଶ। ତେବେ ଜାଣିନି କଣ ଭାବି ଜାମା ୨ ଟା ଆଗ ଟ୍ରାଇ କରିବି ବୋଲି ଦୁଆର ବନ୍ଦକଲି। ମୋ ଭାଗ୍ୟ କୁ କେବଳ ଗୋଟିଏ ଜାମା ମତେ ଫିଟହେଲା। ଖୁସି ହୋଇ ଜଲ୍ଦି, ଜଲ୍ଦି ତଳକୁ ସିଡିରେ ଆସିଲି। ଭାବିଲି କାଳେ ସନ୍ଦେଶ କଥା ସୁନ୍ଦ ଦିଦି ଭୁଲି ଯିବେ। ତଳେ ଦେଖିଲି ଗୋଟିଏ ଥାଳିଆରେ ଯୋଡ଼େ ସନ୍ଦେଶ ଆଉ ଗୋଟିଏ ସିଙ୍ଗଡ଼ା ମୋ ପାଇଁ ଥୁଆ ହୋଇଛି। ମୁଁ ସେଇଠି ବସି ପଡି ହାତରେ ପ୍ଲେଟଟି ଧରି ଖାଇ ବାରେ ଲାଗି ଗଲି। ନାନୀ ଗପ କରୁଥାଏ ଆଉ ସେମାନେ ଚାହା ପିଉଥାନ୍ତି। ଦେଖିଲି ନାନୀ କଣେଇ କରି ମୋତେ ଅନେଇ କଣ ଗୋଟେ ଆଖି ଠାରରେ କହିବାକୁ ଚେଷ୍ଟା କରୁଛି। ବୋଧେ ଠାରରେ କହୁଥିଲା , ଧୀରେ, ଧୀରେ ଖାଆ।

ଖାଇଲା ପରେ ଆମେ ଘରକୁ ଯିବାକୁ ବାହାରିଲୁ। ସେତେବେଳ ଯାଏ ବିଜୁ ନାନୀ ର ଦେଖା ନାହିଁ। ବୋଧେ କୁଆଡେ ଯାଇଛି। ମୁଁ ଭାବିଲି ତାହାଲେ ଆଜି ଜାମା ନେବା ହବନି ସିଏତ ନାହିଁ। ସୁନ୍ଦ ଦିଦି ତାକୁ ପଚାରିବେ ତ? କାରଣ ଜାମା ଟିତ ତାର ? ଆମ ପାଇଁ ତାଙ୍କ ଚାକର ରୀକସାଟେ ଡାକି ଦେଲା। । ନାନୀ ଆଉ ସୁନ୍ଦ ଦିଦି ରୀକସା ଭଡା ଠିକ କଲେ। ମୁଁ ଆଗ ରୀକସା ଉପରକୁ ଉଠି ଗଲି। ଭାବିଲି ସନ୍ଧ୍ୟା ହୋଇନି । ବୋଧେ ମୁଁ କିଛି ସମୟ ମୋ ପୁତୁରା ବୁନି ଆଉ ଟିକିଙ୍କ ସଂଗେ ଖେଳି ପାରିବି ଯଦି ଆମେ ଜଲ୍ଦି ଯାଇ ଘରେ ପହଂଚିଯିବୁ। ସୁନ୍ଦ ଦିଦି ମୋ ପଟକୁ ଆସି ମୋ ହାତକୁ ପ୍ଲାଷ୍ଟିକ ବେଗଟିଏ ବଢ଼େଇ ଦେଲେ। ନାନୀ ପଚାରିଲା କଣ ଅଛି ଏଥିରେ ? ଆମେ ଦୁହେଁ (ମୁଁ ଆଉ ସୁନ୍ଦ ଦିଦି) ଭଲ ଭାବେ ଜାଣିଥିଲୁ କଣ ସେ ବେଗରେ କଣ ଅଛି। ମୁଁ ନାନି କାଳେ ପାଟି କରିବ ବୋଲି ଚୁପ ରହିଲି , କିନ୍ତୁ ଜାଣି ନଜାଣିଲା ପରି କହିଲି ନାନି ଜଲ୍ଦି ଗଲେ ମୁଁ ଖେଳିବାକୁ ଯିବି।

ଘରକୁ ଆସିଲା ପରେ ଆଗ ସିଧା ଯାଇ ବେଗ ଖୋଲି ଜାମା ଟାକୁ ଦେଖିଲି। ଦିହରେ ଲଗେଇ ଦେଖିଲି ମତେ ଜାମାଟା କେମିତି ମାନୁଛି? ଖୁସି ହୋଇ ଗଲି ଦେଖିଲା ପରେ ଯେ , ଫ୍ରକ୍ ଟା ଭଲ ଦେଖା ଯାଉଛି ଆଉ ଫିଟ ବି ଠିକ୍ ହେଉଥିଲା । ଛୋଟ ଛୋଟ ପୋଲକା ଡଟ ଵାଲା ନାଲି ଜାମାଟା ଭାରି ସୁନ୍ଦର ଦେଖା ଯାଉଥିଲା। ଆଉ ସେ ଫ୍ରକ୍ କୁ ପିନ୍ଧି ମୁଁ ଭାବିଲି ମୁଁ ଯେମିତି “ବିଜ଼ାର୍ଡ ଅଫ ଊଜ଼ର ର ଡ଼ୋରଥି।”(wizard of Ooze ର Dorthy) । ମନେ , ମନେ ବୁହେ ହସିଲି। ପାଖରେ ଥିଲେ ମୁଁ ସୁନ୍ଦ ଦିଦିଙ୍କୁ ଗୋଟେ ବଡ଼ ଥାଙ୍କ ୟୁ କହି ତାଙ୍କ ବେକରେ ଓହଳି ଯାଇଥାନ୍ତି। ସେ ଯାମାଟା ମୁଁ ବହୁତ ଥର ପିନ୍ଧି ଥିଲି। କିଶୋରି ଜୀବନରେ ମୋର ସେଇଟା ପ୍ରଥମ ଆଉ ଶେଷ ସିଲକ ଜାମା ଥିଲା।

ମୋ ଭାଗ୍ୟକୁ ବିଜୁ ନାନି ଆସି ଏଠି ଏବେ ଆମେରିକାରେ ଅଛି । ଦିନେ ମୁଁ ତାକୁ ମୋ ପ୍ରଥମ ସିଲକ ଫ୍ରକର ଷ୍ଟୋରୀ କହିଲି। ତାର ଜମା ମନେ ନାହିଁ ବୋଲି ସିଏ କହିଲା। ଭାବିଲି ବୋଧେ ସୁନ୍ଦ ଦିଦି ତାକୁ କହି ନଥିଲେ ମତେ ଫ୍ରକ ଟା ଦେଇ ଥିଲେ ବୋଲି। ତାରତ କେତେ ଫ୍ରକ ଥିଲା। ତେଣୁ ଜାଣି ନଥିବ ଭାବି ଚୁପ ରହିଲି। ସମୟ ସହିତ ମୋର
ପରିସ୍ତିତି ବଦଳିଗଲା। ସୁଧାଂଶୁଙ୍କ ସାଙ୍ଗେ ବାହା ଘର ପରେ ମତେ ବହୁତ ସିଲକ ଶାଢ଼ୀ ଆଉ ଜାମା ପିନ୍ଧିବାକୁ ମିଳିଲା। ମତେ ସିଲକ କନା ର ସ୍ପର୍ଶ ଦେହରେ ଲାଗିଲେ ଭାରି ଭଲ ଲାଗେ। ତେବେ ସେ ପ୍ରଥମ ସିଲ୍କ ଫ୍ରକ୍ ପିନ୍ଧିବାର ଅନୁଭୂତି ଏବେବି ମନେ ପଡେ ଆଉ ଭାବେ ସୁନ୍ଦ ଦିଦି କେତେ ମତେ ଭଲ ପାଉ ଥିଲେ। ମୁଁ ତ କେବେ ତାଙ୍କୁ ଡାକି କହି ପାରିଲିନି ଯେ ସେ ଫ୍ରକ ଟି ମୋ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ ଥିଲା। ଏବେ କେବଳ ମନେ ପଡେ ଯେ ବୋଉ ନଥିଲା ବୋଲି ମତେ ସମସ୍ତେ କେତେ ଭଲ ପାଉ ଥିଲେ ଆଉ ସେଇ ଯୋଗୁ ମୁଁ ଆଜି କେତେ ସମସ୍ତଙ୍କ ପାଖେ ଆଭାରୀ।

ଆଜି ଏତିକିରେ ରହିଲି ପୁଣି କେବେ ଆଉ ଗପ ଶୁଣେଇବିଲେଖିକା: ଚନ୍ଦ୍ରା ମିଶ୍ର GFPSP (ଗାର୍ଲ ଫ୍ରମ ପଥୁରିଆ ସହି ପୁରୀ)