💕ଆଜି ଏଠି ଏବର୍ଷର ପ୍ରଥମ ତୁଷାର ପାତ ହେବା ଦେଖି ମୋର ସ୍ମୃତିରୁ ଛୋଟ କଥା ଟିଏ ମନେ ପଡି ଗଲା: 💕
ପ୍ରଥମ ସ୍ନୋ ଆଉ ଫ୍ରୀନ୍ଜ଼ ଷ୍ଟାଇଲ ବାଳର (ସାଧନା କଟ୍) ଅଭିଜ୍ଞତା— By GFPSP (ଗାର୍ଲ ଫ୍ରମ ପଥୁରିଆ ସାହି ପୁରୀ )
ମୁଁ ପ୍ରଥମ କରି ଆମେରିକାକୁ ଆସିଲି ସେପ୍ଟେମ୍ବର ମାସରେ। ସେତେବେଳେ ଆମେ ଚିକାଗୋରେ ରହୁଥିଲୁ। ସେଠି ସ୍ନୋ ବହୁତ ପଡେ l ଆଗରୁ ମୁଁ ଆମ ହିନ୍ଦୀ ଫିଲ୍ମରେ ସ୍ନୋର ସିନ୍ ଦେଖିଥିଲି। ମୋର ଫେଭ୍ ହୀରୋଇନ ସାଧନାକୁ ଆରଜୁ ଫିଲ୍ମ ରେ ଦେଖିଲା ପରେ ଆମ ସାଙ୍ଗ ମାନେ ତା ଭଳି ବାଳ କଟା ଆରମ୍ଭ କରିଦେଲେ। ମୋର ବି ବହୁତ ମନ ଥିଲା ସାଧନା ଭଳି ବାଳ କାଟି କାନି ଛାଡି କଲେଜ ଯିବା ପାଇଁ। ବାପା ଆଉ କୁନା ଭାଇନା କାଳେ ଜାଣିଲେ ଵିଧା ଟିଏ ଦେବା ଡରରେ କଇଁଚିକୁ କେତେ ଥର ହାତରେ କପାଳ ପର୍ଯ୍ୟ୍ତ ନେଲେ ବି କିଛି ନିର୍ଣ୍ଣୟ କରି ପାରିନଥିଲି। ତେବେ ଚାଉଳିଆ ଗଛରେ ଚଢି ଗପ ବା କବିତା ବହି ପଢିଲା ବେଳେ କେତେଥର ଭାବିଚି ମୁଁ କେମିତି ଦେଖାଯିବି ସାଧନା ଭଳି ବାଳ କାଟିଲେ? ସେ ଭାବନା ସବୁ କେବଳ ଗଛ ଉପରେ ଛାଡି ଚାଲିଆସେ।
ଦିନେ ସକାଲୁ ଉଠିଲା ବେଳକୁ ଅଳ୍ପ ଅଳ୍ପ ସ୍ନୋ ଆକାଶରୁ ପଡିବା ଦେଖିଲି। ଏହା ପୂର୍ବରୁ କେବେ ସତ ସ୍ନୋ ପଡ଼ିବା ଦେଖି ନଥିଲି। ସେତେବେଳେ ଇଣ୍ଟରନେଟ୍ ନଥିଲା କହିଲେ ଚଳେ। ମୋର ବି ଭୂଗୋଳ ଇତ୍ୟାଦିରେ ଏତେ ଜ୍ଞାନ ନଥିଲା। କେବଳ ଯାହା ଦରକାର ପଢା ପାଇଁ ତାହା, ଘୋଷି ଘୋଷି ଭଲ ନମ୍ବର ପରୀକ୍ଷ୍ୟାରେ ଆଣୁଥିଲି। ଆମ ପୁରୀ ବା ମୁମ୍ବଇରେ (ଯୋଇଠି ମୁଁ ଆଗରୁ ଥିଲି) କେବେ ସ୍ନୋ ପଡ଼େନି। କେବଳ ସିନେମାରେ ସ୍ସ୍ନୋ ଦେଖିଥିଲି ଆଉ ହିରୋଇନ ମାନେ ଲୁଗା ବା ଡ୍ରେସ ପିନ୍ଧି ସ୍ନୋରେ ଗୀତ ଗାଇ ଚାଲୁଥିଲେ ହିରୋଙ୍କ ସାଙ୍ଗେ । କେବେ କେବେ ତାଙ୍କ ଦେହରେ କେବଳ ନାଇଲନ୍ ଶାଢ଼ୀ ବା ଡ୍ରେସ୍ ଟିଏ ଥାଏ। ମୋର ଜ୍ଞାନ ନଥିଲା ଯେ ସିନେମାଟିରେ ସ୍ଥିତି ଗୁଡିକ ଯୋଡି, ଯାଡ଼ି କରି ଫିଲ୍ମଟି ତିଆରି ହୋଇଥାଏ ବୋଲି । ମୁଁ ଭାବେ ସତେ ଯେମିତି ସାଧନା ବିଚାରି ଶୀତରେ ଥରୁ ଥିଲେବି ଆମ ମାନଙ୍କ ପାଇଁ ସୁଟିଙ୍ଗ୍ କରୁଥିଲେ ଘଣ୍ଟା ଘଣ୍ଟା ଧରି ସ୍ନୋରେ। ଆକାଶରୁ ସତରେ ସ୍ନୋ ପଡିବା ଦେଖି ମୋର ସାଧନା ଯିଏ କି ମୋର ସବୁଠୁ ଫେଂଭରିଟ୍ ହିରୋଇନ ଥିଲେ, ତାଙ୍କ କଥା ମନେ ପଡିଲା। ସିଏ କେମିତି ଆରଯୁ ସିନେମାରେ ସ୍ନୋ ରେ ବୁଲି ବୁଲି ଗୀତ ଗାଉ ଥିଲେ।ଇତି ମଧ୍ଯରେ ମୁଁ ଦିନେ ନିଜେ କତୁରୀ ନେଇ ମୋର ଆଗ ପଟ ବାଳ ଫ୍ରୀନ୍ଜ଼ ଷ୍ଟାଇଲ୍ ରେ କାଟିଥିଲି l
ଝରକା ପାଖରୁ ଓଟ ପରି ବେକ ଲମ୍ବେଇ ଦେଖିଲି କପା ଫୁଲ ପରି ଧଳା ଧଳା ହାଲକା ସ୍ନୋ ଆକାଶରୁ ପଡି ଆମ ଘର ଚାରିପଟେ ଧଳା କାର୍ପେଟ ପଡିଲା ପରି ଲାଗୁଥିଲା। ସୁଧାଂଶୁ ଓ ପିଲାମାନେ ଉଠି ନଥିଲେ। ଯୌବନ ସମୟରେ ସବୁ ବେଳେ ସାଧନା ପରି ବାଳ କାଟି ବରଫ ରେ ବୁଲିବାକୁ ମୋର ଭାରି ମନ ଥିଲା। ଭାବିଲି ଏବେ ତ ବାପା ବା ଭାଇନା ନାହାନ୍ତି। ସୁଧାଂଶୁ ମତେ କେବେ କିଛି ଏସବୁ ଥିରେ କହନ୍ତିନି । ମୁଁ ନିଜେ ଯାହା ଇଛା କରେ ପ୍ରାୟ ତା କରେ । ମାକ୍ସି କାଢି ଶାଢ଼ିଟି ପିନ୍ଧି ଚପଲ ହଳେ ଗଳେଇ ଦେଲି। ତାପରେ ବାହାରକୁ ଜଲ୍ଦି,ଜଲ୍ଦି ଡେଇଁ ଡେଇଁ ଗଲି। ବୋଧେ ଖୁସିରେ “ବେଦର ଦି ବଲମା ” ଗୀତଟି ଗୁଣୁ ଗୁଣୁ କରି ଗାଉ ଥିଲି ଯେମିତି ସାଧନା ଆରଯୁ ଫିଲ୍ମରେ ଗାଇ ଥିଲେ।
ଯେମିତି କବାଟ ଖୋଲି ପନ୍ଦର କି ଷୋହଳ ପାଦ ଯାଇ ଥିଲି ଭାରି ଥଂଡା ଲାଗିଲା। ଭାବିଲି ଠିକ୍ ହୋଇଯିବ। ଖବର କାଗଜ ବାହାରେ ପଡିଥିଲା। ତାକୁ ଆଣିବାକୁ ଆଉ ଦଶ ପାଦ ଆଗକୁ ଗଲି। ଗଲା ବେଳେ ମୋ ନୂଆ କାଟିଥିବା ଫ୍ରୀନ୍ଜ଼ ଷ୍ଟାଇଲ ବାଳକୁ ବି ଟିକିଏ ହାତରେ ଛୁଇଁ ଦେଉ ଥାଏ। ପବନରେ ଉଡି ଯାଇ ଏପଟ ସେପଟ ନହେଉ ବୋଲି। ପାଞ୍ଚ ମିନଟ ପରେ ଚପଲ ଯୋଗୁ ଗୋଡ଼ ଭାଇ ଥଣ୍ଡା ଲାଗିଲା। ଭାବିଲି ଘରକୁ ଫେରି ଯିବି। କିନ୍ତୁ ସ୍ନୋ ଏତେ ସୁନ୍ଦର ଦିଶୁ ଥିଲା ଯେ ମନ ହେଉ ନଥିଲା ଘର ଭିତରକୁ ଆସିବାକୁ। ତେବେ ମୋ ପୁଅ ବୋଧେ ଉଠିଲା ଆଉ ମମି, ମମି ବୋଲି ଡାକ ଛାଡିଲା । ମୋର ସାଧନା ହେଵା ପ୍ରସାଧନ ସେଇଠି ସରେଇ ଘରକୁ ଜଲ୍ଦି ଆସିଲି। ଗୋଡ଼ ଥଂଡା ଯୋଗୁ ଚାଲିଲେ ବି କିଛି ଅନୁଭବ କରି ପାରୁ ନଥିଲି।
ଘର ଭିତରେ ପଶି ଆଗ ଗୋଡ଼ରେ ଗରମ ପାଣି ସେକ ଦେଲି ତଉଲିଆ କୁ ଗରମ ପାଣିରେ ବୁଡାଇ l ଆଉ ମୋଜା ଯୋଡିଏ ପିନ୍ଧିଲି। ପିଲାମାନେ ସ୍କୁଲ ଓ ସୁଧାଂଶୁ କାମକୁ ଗଲେ ସକାଳ ଜଳଖିଆ ଖାଇଲା ପରେ। ଦୁଇ ପହର ବେଳକୁ ମୋ ଦେହରେ କମ୍ପ ଆସିଲା ପରି ଲାଗିଲା।ସ୍ନୋ ଦିନସାରା ଧୀରେ ଧୀରେ ପଡୁ ଥାଏ। ମୁଁ ଝରକା ପାଖରେ ଖଟ ଉପରେ ବସି କମ୍ବଳ ଘୋଡେଇ ହୋଇ ବାହାରକୁ ଦେଖୁଥାଏ। ଭାବୁ ଥାଏ କିଏ ଟିକିଏ ଚାହା କରି ଦିଵନ୍ତାକି? ମନକୁ ବୁଝେଇ କହିଲି ଏଠି ତ କୁଆ ବା କୋଇଲି ଟିଏ ନାହିଁ। କିଏ ଚାହା କରିବ? କୌଣସି ମତେ ଧିରୀ, ଧିରୀ ରୋଷେଇ ଘରକୁ ଯାଇ କପେ ଚାହା ଅଦା ପକାଇ କଲି। ପାଉଁରୁଟି ଖଣ୍ଡେ ସେକି ଖାଇଲି। ପିଲା ମାନଙ୍କ ବେଳ ହେଲା ସ୍କୁଲରୁ ଫେରିବାକୁ। ତାଙ୍କ ପାଇଁ ଦୁଆରଟା ଖୋଲିଦେଇ ଆସି ସୋଫା ଉପରେ ଲମ୍ବମାନ ହୋଇ ଶୋଇଗଲି। ସେମାନେ ଆସିଲା ପରେ ଝିଅକୁ କହିଲି ବିଷକୁଟ ଦୁଇ ଖଣ୍ଡ ଖା,ଆଉ ଭାଇକୁ ବି ଦୁଇ ଖଣ୍ଡ ଦେ। ମୂଁ ଦୁଧ ଗରମ କରି ଡାକିବି। ଆଉ ହୋସ୍ ନାହିଁ ମୋର ତାପରେ । ବାଉଳା ଚାଉଳା ହେଲାରୁ ଝିଅ ତା ପାପାକୁ ଅଫିସରରେ ଫୋନ କଲା। ସୁଧାଂଶୁ ଅଧ ଘଣ୍ଟେ ପରେ ଆସି ପହଂଚିଲେ । ତାଙ୍କୁ ଦେଖି ମୋ ମନରେ ଭରସା ଆସିଲା। ନହେଲେ ସାନ ପିଲା ଦୁହେଁ ଡରି ଯାଇ ଥିଲେ ମୋ କମ୍ପ ଆଉ ବାଉଳା ଚାଉଲା ଶୁଣି ।
ଦେହ ହାଣ୍ଡିରେ ଧାନ ପଡି ଲିଆ ଫୁଟିଲା ପରି ପରି ତାତି ଯାଇ ଥିଲା। ସୁଧାଂଶୁ ଠିକ୍ କଲେ ରାତି ଆସିଲାଣି। ଜ୍ୱରଟା ବଢି ଚାଲିଥିଲା। ଆମେ urgent Care କୁ ଗଲୁ। ଡାକ୍ତର ଦେଖି କହିଲେ ଏଇଟାତ ଭାଇରାଲ୍ ନିମୋନିଆ ।ଆଣ୍ଟିବାଓଟିକ ପ୍ରେସକ୍ରାଇବ୍ ହେଲା। ଆମେ ରାତି ଦଶଟାରେ ଘରକୁ ଫେରିଲୁ ।ପିଲା ଦୁଇ ଜଣଙ୍କ ଆଖି ନିଦରେ ଟୁଳୁ, ଟୁଳୁ ହେଉଥାଏ l ଆମର ସେତେବେଳେ ହେଲଥ୍ ଇନ୍ସୁରାନ୍ସ ହୋଇନଥାଏ। କମ୍ପାନିରେ ଛ ମାସ କାମ କଲା ପରେ ଇନ୍ସୁରାନ୍ସ ମିଳେ ପତ୍ନୀ ଆଉ ପିଲାଙ୍କୁ ସେତେବେଳେ ସୁଧାଂଶୁଙ୍କ କମ୍ପାନୀ ରେ। ସବୁ ମିଶି ସତାବନ ଡ଼ଲାରର ବିଲ୍ ଆସିଲା । ତାପରେ ଓଷଧ ଖର୍ଚ୍ଚ ଅଲଗା ଦିଆହେଲା।
ଘରକୁ ଆସିଲା ପରେ ସୁଧାଂଶୁ ପଚାରିଲେ ଏସବୁ କେମିତି ହେଲା ହଠାତ୍ ?ମୂଁ କହିଲି, କେମିତି ମୁଁ ସାଧନା ପରି ସ୍ନୋ ରେ ଯାଇ ବିନା ଜୋତା ମୋଜା ରେ ଚପଲ୍ ରେ ବୁଲି ଆସିଲି ଘେରେ ସକାଳେ। କିଛି ନକହିବା ଲୋକ ସିଏ। ମୋ କଥା ଶୁଣି କହିଲେ ଯୋଡିଏ ପିଲାର ମା ହେଲା ପରେ ତୋର ସାଧନା ହେବାକୁ ନକଲ କରିବା କଣ ଦରକାର? ମୁଣ୍ଡରୁ ବୁଦ୍ଧି କୁଆଡେ ଗଲା? ସେଇ ଦିନଠୁ ମୋର ସ୍ନୋରେ ଚାଲିବାର ଇଛା ଶେଷ ହେଲା। ଆଉ କେବେ ଫ୍ରୀନ୍ଜ଼ ହେୟାର କରିବାକୁ ସାହସ କରିନି। ଏବେ ଭାବେ ସତରେ ମୁଁ କେତେ ସରଳ ଥିଲି। ଏବେତ ଯୋଉ ଲୋକ ମାନେ ଆସୁଛନ୍ତି ସବୁ ଜାଣିଛନ୍ତି ଇଣ୍ଟରନେଟ ଦ୍ୱାରା ଆଗରୁ l ଏବେ ଯେବେ ଏଠି ବର୍ଷର ପ୍ରଥମ ସ୍ନୋ ଆସେ ମୁଁ ମନେ ପକାଇ ହସେ “ମୁଁ ଆଉ ମୋର ଫେଭ୍ ରିଟ ସାଧନା ହେବା ପାଇଁ ଚେଷ୍ଟା।”