ଗାର୍ଲ ଫ୍ରମ ପଥୁରିଆ ସାହି ପୁରୀର ସ୍ମୃତିରୁ ଗୋଟିଏ ପେଜ୍: ମୋର କବି ମାୟାଧର ମାନସିଂହଙ୍କ ଧୂପ କବିତା ବହିଟି ପଢିବାର ଇଛା ଓ ସଙ୍ଘର୍ଷ

କବିତା ଆଉ ଗଳ୍ପ ପଢିବା ପାଇଁ ମୁଁ ସବୁବେଳେ ଇଛୁକ ଥିଲି। ବେଶୀକରି ପ୍ରେମି ଓ ପ୍ରେମିକାଙ୍କ ମିଳିବା ଆଉ ବିସନ୍ଧି ହେବାର କବିତା ମତେ ବହୁତ ଭଲ ଲାଗେ। ଖରାଦିନେ ମୁଁ ଆମ ବାଡ଼ି ଆଡ଼ ଚାଉଳିଆ ଗଛର ଡାଳରେ ଚଢି ବହିଖଣ୍ଡେ ଧରି ବସିଯାଏ। ପ୍ରାୟ ଚାରି ବା ପାଞ୍ଚ ଘଂଟା କେମିତି କଟିଯାଏ ଜଣା ପଡ଼େନି। କବିତା ପଢିଲା ବେଳେ ମୁଁ ମନେ ମନେ କବିତାର ନାୟିକା ହୋଇଯାଏ ନହେଲେ କୋଣାର୍କର ମୂର୍ତି ହୋଇଯାଏ। କେବେ କେବେ କାହାର ମା ବା ଭଉଣୀ ହୋଇଯାଏ। ଏଭଳି ମେକ ବିଲିଭ କରି ମୋ ମନରେ ଯାହା ସବୁ ଇଛା ଥାଏ ତା ପୂରଣ କରେ। ଥରେ ମୁଗଲେ ଆଯ଼ାମ ସିନେମା ଦେଖିଲା ପରେ ଭାବିଲି ରାଜାଙ୍କ ପ୍ରେମିକା ହେଵା ଭାରି କଷ୍ଟ କିନ୍ତୁ ପ୍ରେମ ହେଲେ ଏମିତି ହେଲେ ଭଲ। ପୁଣି ନିଜେ ଉତ୍ତର ଦିଏ କାହିଁକି ଭଲ? ଭାବେ ସଲିମ ସାଙ୍ଗେତ ବସିବି। ନର୍ତ୍ତକୀ ମାନେ ନାଚୁ ଥିବେ ଓ ବହୁତ ଜେର୍ଲସ ହେଉଥିବେ ଯେ ମୁଁ ରାଣୀ ହୋଇ ବସିଛି, ବିଚରା ସେମାନେ ନାଚି ନାଚି ଥକୁଛନ୍ତି। ଅନାରକଲି ବିତ ସେମାନଙ୍କ ଭଳି ନର୍ତ୍ତକୀ ଥିଲା। ଏବେ ଭାବୁଛି ଏଇ ଜେର୍ଲସ ହଵା ଆଉ ଅଭିମାନ କରିବା ଗୁଣଟି ମୋ ଭିତରେ ବର୍ତ୍ତମାନବି ଭର୍ତି ହୋଇ ଅଛି। ନହେଲେ କିଏ ମୋ ପୋଷ୍ଟ ନପଢିଲେ ମୋ ମନରେ ଏତେ କୋହ କାହିଁକି ହୁଏ? ରାଗି ବି ଯାଇ ଅଭିମାନ କରେ। ବାରମ୍ବାର ଯୁମ୍ବା ଡାନ୍ସ କ୍ଲାସରେ ୱାଟର ବ୍ରେକ ବେଳେ ଫୋନ୍କୁ ଦେଖେ? ଭାବେ କାଳେ ମୋ ଲେଖାରେ କିଏ ଇମୋଜୀ ବା କମେନ୍ଟ ଛାଡ଼ିଥିବ? ଛାଡ଼ ସେ ସବୁ, ମୁଁ ତ ମନେପକାଉଛି ଆଜି ମୋର ସବୁଠୁ ଫେଂଵ ଲେଖକ ମାୟାଧର ମାନସିଂହଙ୍କୁ। ସିଏ ଲେଖିଥିବା ଧୂପ କବିତା ବହି ପଢିବା ପାଇଁ ମୋର ବହୁତ ମନ ଥିଲା। ଆସନ୍ତା କଲି ପତ୍ରିକା ରେ ଗୋଟିଏ , ଦୁଇଟା କବିତା ପଢିଲା ପରେ ଭାବିଲି କେମିତି ହେଲେ ଵହିଟା ପଢ଼ିବି।

ଆମ ସାଇ ଝାଡ଼ୁଆଣି ଲାଇବ୍ରେରୀ ରେ ସେଇ ବହିଟି ନଥିଲା। ସମୁଦ୍ର କୁଳ ରାମକୃଷ୍ଣ ଲାଇବ୍ରେରୀ ଦୂରରେ ଥିବା ଯୋଗୁ ବାପା ଛାଡ଼ିବେନି। ଯଦି ପଢା ବହି ହୋଇ ଥାଆନ୍ତା ତାହାଲେ ଅବା ଭାଇନା ସାଙ୍ଗେ ଯାଇ ପାରନ୍ତି। ବାପା ତ କବିଙ୍କ ପ୍ରେମ କବିତା ପଢିବା କଥା ଶୁଣିଲେ ବହୁତ ଚିଡ଼ିବେ। ଖରା ଛୁଟି ନିକଟ ହୋଇ ଆସୁଥାଏ। ମୋ ସାଙ୍ଗମାନେ କିଏ କିଏ ତାଙ୍କ ଗାଁ କୁ ବୁଲିବାକୁ ଯିବାର କଥା କହୁଥାଆନ୍ତି। ମୋ ସାଙ୍ଗ ବାସନ୍ତୀ ଉଷା ସିଲେଇ କ୍ଲାସ ରେ ସିଲେଇ ଶିଖିଵ ବୋଲି କହୁ ଥିଲା। ମୂଁ କିଛି ଉପନ୍ୟାସ ଆଉ କବିତା ପଢିବାକୁ ଭାବୁଥିଲି । ମତେ ପିଲାଦିନୁ ଗପ ଓ କବିତା ବହି ପଢିବାକୁ ଭଲ ଲାଗେ। ଏବେବି ସେଇ ଅଭ୍ୟାସ ଛାଡ଼ିନି। ଘରେ ଆଉ କିଛି ପଛେ ନଥାଉ, ବହି ଗୁଡ଼ାଏ ଅଛି।

ଧୂପ ବହିଟିର ମୂଲ୍ୟ ସେତେବେଳେ ଆଠ ଅଣା ଥିଲା। ମନେ ମନେ ଭାବିଲି ବଡ଼ ଭାଇନାକୁ କହିଲେ ହୁଅନ୍ତା। କିନ୍ତୁ ସିଏତ ବୋଧେ ସେପ୍ଟେମ୍ବର ରେ ଆସିବେ ବୋଲି କହୁଥିଲେ । ଖରା ଛୁଟିତ ସରିଯିବ। ଏବ ଭଳିଆ ଫୋନ ର ସୁବିଧା କାହାରି ନଥିଲା। ଚିଠି ଲେଖିଲେ ଡେରି ହୋଇପାରେ ଓ ବାପା ପଚାରି ପାରିବେ କଣ ପାଇଁ ଚିଠି ଲେଖୁଛୁ? ସବୁଦିନ ମନରେ କିଛି ଉପାୟ କରିବାକୁ ଭାବେ, କେମିତି ଆଠ ଅଣା ଏକାଠି କରିବି ଆଉ ବହିଟା କିଣିବି।

ଅରକ୍ଷିତଙ୍କୁ ଦିବ ସାହା। ଆମ ସାହିର ସମସ୍ତେ ପ୍ରାୟ ବାହାର ନଳରୁ ପିଇବା ପାଇଁ ପାଣି ଆଣୁ ଥିଲେ। ବାକି ସବୁ କାମ ଘର କୂଅ ପାଣିରେ ହୁଏ। ମୁଁ ସବୁ ଦିନ ଦୁଇ ବା ତିନି ଗରା କଳ ପାଣି ବାହାରୁ ଆଣେ ପିଇବା ପାଇଁ । ସେଇଟା କାମ ଆଉ ଠାକୁରଙ୍କ ପାଇଁ ଫୁଲ ତୋଳିବା ମୋର କାମ ଥିଲା। ପାଣି ଗରାରେ ଭର୍ତି କଲା ବେଳେ ଦିନେ ମୋ ସାଙ୍ଗ ବାସନ୍ତୀ କହିଲା ଚନ୍ଦୁ, ଜାଣିଚୁ ଟିକି ନାନୀଙ୍କ ଗୋଡ଼ ଭାଙ୍ଗି ଯାଇଛି। ସିଡିରୁ ଖସି ଗଲେ ଶୁଖିଲା ଲୁଗା ତାରରୁ କାଢୁ କାଢୁ। ଟିକି ନାନୀଙ୍କ ଘରେ ଆଉ କେହି ନଥାନ୍ତି। ଘର କାମ ତାଙ୍କର ଠିକା ଚାକିରାଣୀ କରିଦିଏ। ସିଏ ନିଜେ କଳରୁ ପାଣି ନିଅନ୍ତି। ରୋଷେଇ ବି ସିଏ ନିଜେ କରନ୍ତି । ଏକଥା ଶୁଣି ମନଟା ଭଲ ଲାଗିଲାନି।ମୁଁ ତାଙ୍କ ପାଇଁ କେବେକେବେ ପାଣି ଆଣି ଦଉଥିଲି। ଭାବିଲି ପଚାରି ଆସିବି ଯଦି କଣ ଦରକାର ହୁଏ ମତେ କହିବେ ବୋଲି। ମତେ ଦେଖି ଟିକି ନାନୀ କହିଲେ ଚନ୍ଦୁ ତୁ ଆସିଲୁ ଭଲ କଲୁ। ମୁଁ ତୋ କଥା ଭାବୁଥିଲି। ମତେ କିଛିଦିନ ତୁ ପାଣି ଆଣି ଦବୁ। ମୁଁ ସଙ୍ଗେ ସାଙ୍ଗେ ରାଜି ହୋଇ ଗଲି। ଆମର କଥା ହେଲା ଟିନ ବାଲ୍ଟି ପାଣି ପାଇଁ ସିଏ ମତେ ଗୋଟିଏ ଅଣା ଦେବେ। ତାଙ୍କ ଘର ଟିକିଏ ଦୂର ଥିଲା ବାହାର ନଳ ଥିବା ଜାଗାରୁ। ତେବେବିମୁଁ ଖୁସି ହୋଇଗଲି ଯେ ଏଥର ଧୂପ ବହିଟି କିଣି ପାରିବି। ଜୁନ ମାସରେ ପୁରୀରେ ଖରା ବହୁତ। ତଥାପି ମୁଁ ଆଠ ଦିନ ଏକାଦିକ୍ରମେ ପାଣି ନେଇ ଟିକି ନାନୀଙ୍କ ଘରେ ଦେଲି। ପ୍ରାୟ ଅଧ କିଲୋମିଟର ଦୂର ତାଙ୍କ ଘର ଥିଲା। ଆମ ଘର ପାଇଁ ତିନି ଗରା ପାଣି ଆଉ ତାଙ୍କ ଘର ପାଇଁ ସେତିକି ପାଣି ଟେକି ନେଲା ବେଳକୁ କଷ୍ଟ ହେଉଥିଲା।ମୁହଁରୁ ଝାଳ ବୋହି ପଡୁଥାଏ l

ତେବେ ଯେତେ ବେଳେ ଭାବିଦିଏ ମୁଁ ଵହିଟା କିଣି ପଢ଼ିବି ବୋଲି ସବୁ କଷ୍ଟ ଭୁଲିଯାଏ। ଆଠ ଦିନ ପରେ ଟିକି ନାନୀଙ୍କ ଗାଁ ରୁ କିଏ ଜଣେ ଲୋକ ଆସି ରହିଲେ ତାଙ୍କ ପାଖେ ସାହାଯ୍ୟ କରିବାକୁ। ସେଇ ଦିନ ଟିକି ନାନୀ ତାଙ୍କ କାନିରେ ବନ୍ଧା ହୋଇଥିବା ଗଣ୍ଠିରୁ ଗୋଟିଏ ଆଠଣି କାଢି ମୋ ହାତକୁ ବଢ଼େଇ ଦେଲେ। କହିଲେ ରଖ, ଚେନାଚୁର ଆଉ ମିଠେଇ ଖାଇବୁ। ମୁଁ ମୁଣ୍ଡ ତଳକୁ କରି କହିଲି, ନାଇଁ । କବି ମାନସିଂହ ଙ୍କର ବହି ଖଣ୍ଡେ କିଣିବି ବୋଲି ଠିକ କରିଛି। ଟିକି ନାନୀ ମୋ ମୁଣ୍ଡରେ ହାତ ବୁଲେଇ କହିଲେ, ମା ଛେଉଣ୍ଡ ପିଲାଟା କଥା କିଏ ବୁଝୁ ନାହାନ୍ତି। ମୁଁ ଭୋକିରି କାନ୍ଦି ପକେଇଲି । ଭାବିଲି ସତରେ ବୋଉ ଥିଲେ ନିଶ୍ଚେ କବିତା ବହି ଖଣ୍ଡକ କିଣି ଦେଇ ଥାଆନ୍ତା। ତାପରେ ହସି କହିଲି ଆଜି ବଡ଼ଦାଣ୍ଡ ଯାଇ ଵହିଟା କିଣିଆଣିବି। ଖରା ଛୁଟି ସରିବାକୁ ଆଉ ସପ୍ତାହେ ବାକି ଥିଲା।

ସେ ଗ୍ରୀଷ୍ମ ଛୁଟିଟା ମୋର ବହୁତ ଭଲରେ କଟିଲା। ସବୁ ଦିନ ଦ୍ବି ପହରେ ଚାଉଳିଆ ଗଛରେ ଚଢି ଚାଉଳିଆ ଖାଏ ଆଉ ଧୂପ ବହିରୁ କବିତା ପଢେ। ମୋର ସେ ସବୁ କବିତା ଏବେବି ମନେ ଅଛି। ବହୁତ ଦିନ ପରେ ଧୂପ ବହିଟି ଆମେରିକାରେ ପୁଣି ଛପା ହେଲା ଆଉ ଜଣେ ମତେ ସେ ବହିଟି ଉପହାର ଭାବରେ ଦେଲେ । ପୁଣି ବହିର ପୃଷ୍ଠା ଗୁଡିକ ଓଲଟାଇ ଛୁଇଁଲି। କିନ୍ତୁ ସେ ପୁରୁଣା ମ୍ୟାଜିକ ଅନୁଭବ ହେଲାନି। ଭବିଲି ବୋଧେ ସେତେବେଳେ ମୁଁ ଛୋଟ ଥିଲି ଆଉ ସବୁ କଥା ରେ ପ୍ରେମ, ଉମଂଗ, ଉଦ୍ବେଗ ରହିଥିଲା। ଜୀବନ ଜଞ୍ଜାଳରେ ଏବେ ମୁଁ ଆଉ ସେତେ କବିତା ପଡ଼ୁନି। ଆଉ ଅନାରକଲି ବା ନାୟିକା ହେବାର ସ୍ବପ୍ନ ନାହିଁ ।

ଲେଖିକା; ଚନ୍ଦ୍ରା ମିଶ୍ର : GFPSP (ଗାର୍ଲ ଫ୍ରମ ପଥୁରିଆ ସାହି ପୁରୀ)