ସକାଳୁ କଲେଜ ଯିବା ପୂର୍ବରୁ ଭାଉଜ ପାଖକୁ ଆସି ମୋ କାନରେ କହିଲେ, ଚନ୍ଦୁ ଆଜି ଠିକ ସମୟରେ କଲେଜରୁ ଫେରିବ l ଡେରି ଜମା କରିବନି l ମୁଁ ପଚାରିଲି କାହିଁକି ଆଜି ସିନେମା ଯିବାକି ? ଆମେ ଯେବେ ସିନେମା ଯାଉ ମୁଁ ଜଲ୍ଦି ଆସି ରାତି ରୋଷେଇ ରେ ସାହାଯ୍ୟ କରେ, ତା ଦ୍ୱାରା ରାତି ୯ଟା ବାଜିବା ପୂର୍ବରୁ ସମସ୍ତଙ୍କର ଖାଇବା ସରେଇ ମୁଁ , ଭାଇନା ଆଉ ଭାଉଜ ସିନେମା ଦେଖି ଯାଉ l କିଛିତ ନୂଆ ସିନେମା ପଡିନି , ନହେଲେ ମୋ ସାଙ୍ଗ ପୁଷ୍ପିତା ନିଶ୍ଚୟ କହି ଥାଆନ୍ତା? ସିଏ ପ୍ରାୟ ସବୁ ସିନେମା ଯାଏ l ତେଣୁ ମତେ ଖବର କାଗଜରେ ସମୀକ୍ଷା ଦରକାର ପଡ଼େନି ସିନେମା ବିଷୟରେ ଜାଣିବା ପାଇଁ l ମୋ ମୁହଁକୁ ଚାହିଁ ଭାଉଜ କହିଲେ ନାଇଁ ତୁମକୁ ଦେଖିବା ପାଇଁ ସୁଧାଂଶୁ ଆସିବେ l ଭାଉଜଙ୍କ କଥା ଶୁଣିଲା ପରେ ମୋ ମନଟା ବରଡା ପରି ଶୁଖି ଗଲା l ଭାବିଲି ଯେତେ ଭଲ ପଢିଲେବି ମୋ ଭାଗ୍ୟରେ କଲେଜରୁ ଗ୍ରାଜୁଏଟ ହେବା ଲେଖା ନାହିଁ l ବୋଉତ ନାହିଁ, କାହାକୁ କହିବି ? “ବାପା ତ ବଯସ ଯୋଗୁ ସବୁଦିନ କହି ଚାଲିଛନ୍ତି “ତୋ ହାତ କୁ ଦି ହାତ କରିଦେଲେ ମୁଁ ଆଖି ବୁଝିବି” l ଯିବା ବେଳେ ଆମ ସାଇର ଠାକୁରାଣୀ ଅଲପଦ୍ମା ନ୍କ ପାଖରେ ମୁଣ୍ଡ ନୁଆଇଁ କହିଲି ଯାହା ତୁମ ଇଛା ମା ତାହିଁ ହେଉ, ତେବେ ଭଲ ଆଧୁନିକ ବର ଟିଏ ମୋ ପାଇଁ ବାଛି ଦିଅ l ମୁଁ ସହରରୁ ଯାଇ ଗାଁରେ ଚଳି ପାରିବିନି l
ଭାଉଜ ଆମର ଭାରି ଭଲ ଲୋକ ଥିଲେ l ମତେ କେବେ କାମ କରିବାକୁ ଦିଅନ୍ତିନି l ମୁଁ ସେଦିନ ଘରକୁ ଠିକ ସମୟରେ କଲେଜ ରୁ ଆସିଗଲି l ଆମ ଘରେ ସୋଫା ତ ନଥିଲା , ତେବେ ଚଉକି, ଟେବୁଲ ସବୁ ଝାଡି, ଝୁଡି ଦେଇ ବସିବା ଘର ସଜାଡି ଦେଲି l ଭାବିଲି କିଛି କାମରେ ସାହାଯ୍ୟ କରିଦିଏ l ବାହାଘରଟା ନିଶ୍ଚୟ ହେବ l ଜଲ୍ଦି କରିବା ପାଇଁ ସମସ୍ତେ ଲାଗି ପଡି ଥାଆନ୍ତି l ସେଦିନ ଭାଉଜ ବିଭିନ୍ନ ପ୍ରକାର ତରକାରୀ କରିଥିଲେ l ଆଳୁ ପୋଟଳ ରସା , ଫୁଲକୋବି ଭଜା, ଦହି ମାଛ ଝୋଳ, ଲେଉଟିଆ ଶାଗ ଆଉ ବାଇଗଣ ଚକା, ଚକା ଭଜା କରି ଥିଲେ l ମୁଁ ପାଖରେ ବସି ଭାବୁଥାଏ , ବାପରେ କିଏ ଏମିତି ଲୋକ ଯେ ଏତେ ପ୍ରକାର ଜିଣିଷ ତିଆରି ହେଉଛି ? ତେବେ ଭାଇନା କହିଲେ ଯିଏ , ମତେ ଦେଖିବାକୁ ଆସିବେ (ସୁଧାଂଶୁ) ଆମେରିକା ରେ ଥିଲେ l ଆମେରିକାରେ ଭଲ, ଭଲ ଚକୋଲେଟ ମିଳେ ବୋଲି ମୋ ସାଙ୍ଗ ମାନେ କହୁଥିଲେ l ପିଲାଦିନୁ ଚକୋଲେଟ ଖାଇବାକୁ ମୁଁ ବହୁତ ଭଲ ପାଉ ଥିଲି l କିନ୍ତୁ ଆମ ଘର ଆର୍ଥିକ ପରିସ୍ଥିତି ଯୋଗୁ କେବଳ ଥରେ ବା ଦୁଇ ଥର ଚକୋଲେଟ ଖାଇବାର ସୁଯୋଗ ବର୍ଷରେ ମିଳେ l ଭାବିଲି କେତେ ପ୍ରକାର ଚଲୋଲେଟ ସୁନ୍ଦର ରଙ୍ଗ ବାକ୍ସରେ ନିଶ୍ଚୟ ଆଣିବେ l ତାପରେ ଥରକୁ ଥର ବାହାରକୁ କାନ ଡେରି ଶୁଣୁଥାଏ କାଳେ କିଏ ଆସିଲେ ବୋଲି l ମୋ ପୁତୁରା ବଦ୍ରିକୁ କହିଥାଏ ଦାଣ୍ଡ ଦୁଆରେ ନଜର ରଖିବାକୁ ଯଦି କିଏ ରିକ୍ସାରେ ଆସି ଆମ ଘର କୋଉଟା ବୋଲି ପଚାରିବେ ?
ଏମିତି ଅନେଇ ଅନେଇ ଅଢେଇଟା ବାଜିଗଲା l ଆମେ କେହି ନଖାଇ ଅନେଇଥିଲୁ l ଭାରି ଭୋକ ହେଉଥିଲା l ଭାବିଲି ବାଡ଼ିଆଡ଼କୁ ଯାଇ ଗୋଟେ ଯୋଡ଼େ ଚାଉଳିଆ ଖାଇବି l ଆମ ଘର ଭାରି ଲମ୍ବା ଥିଲା l ଦୁଇ ପଟେ ରାସ୍ତା ଘରୁ ଦାଣ୍ଡକୁ ବାହାରିବା ପାଇଁ l ବାଡ଼ିପଟେ ମାର୍କେଟକୁ ବାହାରି ପାରିବ ଆଉ ଦାଣ୍ଡ ପଟେ ଆସିଲେ ପଥୁରିଆ ସାହିରେ ବାହାରିବ l ରିକ୍ସାରେ ଦୁଇ ବାଟେ ଘରକୁ ଆସି ପାରିବେ ଲୋକମାନେ l ଗଛ ଉପରେ ଚଢି ଚାଉଳିଆ ଟେ ହାତରେ ଛିଣ୍ଡେଇଲା ବେଳେ ଶୁଣିଲି ଜଣେ କିଏ ପଚାରୁଛନ୍ତି ଏଇଟା କ୍ଷେତ୍ର ମୋହନ ଶତପଥି ବାବୁଙ୍କ ଘର ? ପାଖ ଵାଲା ଦାମ ଭାଇ କହିଲେ ହଁ ଆଜ୍ଞା l ଏଇଟା ବାଡ଼ିପଟ ରାସ୍ତା ତାଙ୍କ ଘରକୁ l ଦାମ ଭାଇ ରିକ୍ସା ବାଲାକୁ ଦାଣ୍ଡ ପଟକୁ ଯିବା ପାଇଁ କହିଲା ବେଳକୁ ଭାଇନା ଉପରୁ ଆସି ନମସ୍କାର କଲେ l ମୁଁ ଜାଣି ଦେଲି ଏଇ ହଉଛନ୍ତି ଆମର ଅତିଥି, ଯାହା ପାଇଁ ଆମେ ଭୋକରେ ଅନେଇ ବସିଛୁ l ତାପରେ ରିକ୍ସାରୁ ତଳକୁ ବାହାର କଲେ ଗୋଟେ ଓଜନିଆ ଅଖା ! ଏଇଟା ପୁଣି କଣ ? ମୁଁ ଚୁପ ହୋଇ ଦେଖୁଥାଏ l ହାତରେ ଆଉ କିଛି ନାହିଁ ବୋଲି ମୁଁ ଯାଣିଦେଲି l ତେବେ ଚକୋଲେଟ କଣ ପକେଟରେ ଅଛି ? ମୋ ମନଟା ଖଟା ଖାଇଲା ଭଳି ହୋଇଗଲା l
ଘରେ ଖାଇବା, ପିଇବା ପରେ ବାପା, ଭାଇନା ସମସ୍ତେ ଦlଣ୍ଡ ଘରେ ବସିଲେ l ସେମାନେ କଣ କଥା ହେଲେ ମୁଁ ଜାଣିନି l ତେବେ ମିଠା ମୁଁ ନେଇ ସମସ୍ତଙ୍କୁ ଦେଇଥିଲି l ମୋର ସେତିକି ଦେଖା ବେଳେ ସୁଧାଂଶୁ ମତେ କଣ ପଢ଼ୁଛ ବୋଲି ପଚାରି ଥିଲେ l ମୁଁ ଉତର ଦେଇଥିଲି ପ୍ରି ୟୁନିଭେର୍ସିଟି ସାଇନ୍ସ l ପଢିବାକୁ ଇଛା, କିନ୍ତୁ ବାପାନ୍କ ଦେହଟା ଭଲ ରହୁନି l ଦେଖାଯାଉ ଆଗକୁ କଣ ହେବ !
ମୁଁ ଭାଉଜଙ୍କ ସଂଗେ ଖାଇଲା ବେଳେ ମତେ ସିଏ ପଚାରିଲେ , ଚନ୍ଦୁ ତୁମର ସୁଧାଂଶୁ ପସନ୍ଦ ଆସିଲେତ ? ଭାରି ଭଲ ଆଉ ନମ୍ର ପିଲା l ଦଵା , ନବାର କିଛି ଚାହିଦା ନାହିଁ ସେମାନଙ୍କର l କେବଳ ଅଳ୍ପ ବଡ଼ ତୁମଠାରୁ ହେବେ l ଆମେ ତୁମର ପଢିବା ପାଇଁ ଇଛା ବୋଲି ତାଙ୍କୁ କହିଛୁ ଆଉ ସିଏ ସେଥିରେ ରାଜି l ଖୁସି ହେଲି କିନ୍ତୁ କିଛି ଉତର ଠିକରେ କହିଲିନି l ଭାଉଜ ମତେ ପିଲାଦିନୁ ଜାଣିଥିଲେ l ପଚାରିଲେ ଚୁପ କାହିଁକି ? ଅସୁବିଧା କଣ ହେବ ବୋଲି ଭାବୁଛ ? ମୁଁ ପାଖରେ ଥୁଆ ହୋଇଥିବା ଅଖା ବସ୍ତାକୁ ଦେଖେଇ କହିଲି ଆମେରିକାରୁ ଆସିଲେ ବି ନଡ଼ିଆ ପୁଣି ଅଖାରେ ଆଣିବା କେମିତି? କିଛି ଚକୋଲେଟ ଆଣି ପାରିଥାଆନ୍ତେ ? ବୋଧେ ପୁରୁଣା ଖିଆଲର ଲୋକ l ଭାଉଜ ହସି କହିଲେ , ନଡ଼ିଆ କଣ ଚମଡା ବାକ୍ସରେ ଆଣି ଥାଆନ୍ତେ ? ଆଉ ସେମାନଙ୍କର ଶାସନୀ ବ୍ରାମଣ ଘର l ନଡ଼ିଆ ଶୁଭ ବୋଲି ଆଣିଥିଲେ l ଭାଉଜଙ୍କୁ ସେ କଥା ସୁଧାଂଶୁ କଥା ପ୍ରସଙ୍ଗରେ କହିଥିଲେ l ମୁଁ କିଛି ଉତ୍ତର ନଦେଇ ତଳକୁ ଅନେଇଲି l ନଡ଼ିଆ ଆଣିବା ଶୁଭ ବୋଲି ମୁଁ ଭାବିବି ପାରିନଥିଲି l ସେଇଦିନ ଠାରୁ ଏବେବି ମୁଁ ନଡ଼ିଆ ନେବାକୁ ଭଲପାଏ ଶୁଭ କାମକୁ ଗଲାବେଳେ l
ଉପରେ ଯେତେ ବାଦାମୀ ରଙ୍ଗ ହେଲେବି ନଡିଆ ଭିତର ବହୁତ ସୁଂଦର ଆଉ ତୋଫା ଧଳା l ନଡ଼ିଆର ମୂଲ୍ୟ ଆମ ଓଡ଼ିଆ ଖାଇବାରେ ଅମୁଲ୍ୟ l ଦିଅଁଙ୍କ ପୂଜା ଠାରୁ ଡାଲ୍ମା ପର୍ଯ୍ୟନ୍ତ ସବୁଥିରେ ତା ନହେଲେ ଜିନିଷ ଅଧୁରା ରହିଯାଏ l