ଆଜି ଜଣେ ପାଠିକା କମେଣ୍ଟ ରେ ଲେଖିଲେ, ନାନୀ, ଆପଣ କଣ ଆମେରିକାରେ ରହିଗଲେ ? ହଠାତ୍ ଭାବିଲି ସତରେ ଏଠାକୁ ଆସିବା ଚାଳିଶି ବର୍ଷରୁ ଅଧିକ ହୋଇଗଲାଣି l ସମୟ କିପରି କଟି ଗଲା ଜାଣି ପାରୁନି l ତେବେ ସକାଳର ଖରା ଯେମିତି କୁହୁଡିକୁ ଆଡେଇ ଦିଏ ସେମିତି ମୋ ମନରୁ ପୁରୁଣା କଥା ସବୁକୁ ଆଡେଇ ଚାଲିଲି ଚାଲୁ ଚାଲୁ l ଭାବିଲି କେମିତି ଆଉ କାହିଁକି ଏଠି ରହିଗଲି l
ବାହାଘର ବେଳେ ସୁଧାଂଶୁଙ୍କର ଚାକିରୀ ଝରିଆ CFRI (ସେଣ୍ଟ୍ରାଲ ଫୁଏଲ ରିସର୍ଚ୍ଚ ଇନ୍ଷ୍ଟିଚୁଟ୍ ରେ ) ମିଳି ଥିଲା l ବର୍ଷକ ପରେ ଆମେ ଭୁବନେଶ୍ୱରକୁ ଫେରି ଆସିବାର ଥିଲା l ମୋ ନାନୀ ଯିଏ ସୁଧାଂଶୁଙ୍କର ଭାଉଜ ହେବ କହିଲା, ଠିକ କଥା ଭୁବନେଶ୍ୱରରେ ଚାକିରି ନେବ l ବାପାଙ୍କ ଇଛା ଚନ୍ଦୁ ଆମ ଘରେ ସବୁଠାରୁ ସାନ l ସମସ୍ତଙ୍କ ପାଖରେ ଆମ ଓଡ଼ିଶାରେ ରହିଲେ ଭଲ ହେବ l ଅଳ୍ପ କଥା କହିବା ଲୋକ ସୁଧାଂଶୁ ଥଟାରେ ନାନୀକୁ କହିଲେ, ଭାଉଜ ଆଉ ଚନ୍ଦୁ କଣ ତୁମ କଥାରେ ଚଳିବ? “ଏବେ ମୋରତ ତା ଉପରେ ସବୁ ଦାବି” ? ନାନୀ ଆଉ ମୁଁ ଦୁହେଁ ହସିଲୁ , ମୁଁ କହିଲି ହଁ ଦେଖିବା ,ବର୍ଷକ ପରେ ଯେମିତି ହେଲେ ଆମେ ଭବନେଶ୍ୱର ଫେରି ଆସିବା l ମୁଁ ସମସ୍ତଙ୍କୁ ଛାଡି କୋଇଲା ଜାଗା ଝରିଆରେ ରହିଁବିନି ? ସେଠିକା ପାଣି ପବନରେ ଆଉ କଳା ହୋଇଯିବି l ତୁମେ ସିନା ଗୋରା, ତୁମକୁ କିଛି ଫରକ ପଡ଼ିବନି l
ଆମ ଘରେ କିଏ ବାହାରକୁ ଯିବାକୁ ଥିଲେ ସବୁବେଳେ ଆମେ ଲେଉଟ ଚକୁଳି କରି ଯିବା ଲୋକଟିକୁ ଖାଇବାକୁ ଦେଉ l ସେଇଟା ଶୁଭ ବୋଲି ମୋ ବୁଢ଼ୀ ମା ସବୁବେଳେ କହୁଥିଲା l ସାଙ୍ଗରେ ଗପଟିଏ ଯୋଡି କହେ କେମିତି ସାଧବ ପୁଅ ମାନଙ୍କୁ ଲେଉଟ ଚକୁଳି ଖାଇବାକୁ ଦିଆ ଯାଉ ଥିଲା, ସେମାନେ ଫେରି ଆସିବେ ବୋଲି l ମୁଁ ସେ କଥାରେ ବେଶି ବିଶ୍ୱାସ କରେନି l ତେବେ ନାନୀ ଆମର ଝରିଆକୁ ଯିବା ଦିନ ଚକୁଳି କରିବା ପାଇଁ ସକାଳେ ବିରି ଚାଉଳ ବତୁରାଇ ଦେଲା l ମୁଁ ଆଉ ମୋ ପୁତୁରା ବୁଟୁ ନାନୀ ଘର ବାଡିରେ ଚାଉଳିଆ ଗଛକୁ ଅନାଇ କେମିତି ପାଚିଲା ଚାଉଳିଆ ତୋଳିବୁ ସେଥିରେ ବ୍ୟସ୍ତ ଥିଲୁ l ନାନୀ ଚାରିଟା ବେଳକୁ ଶିଳରେ ବତୁରିଥିବା ଚାଉଳ, ବିରି ବାଟିବାରେ ଲାଗିଗଲା l ସେତେବେଳେ ତ ମିକ୍ସି ନଥିଲା l ମୋର ସାହାଯ୍ୟ କରିବା କଥା କିନ୍ତୁ ମୁଁ ଚାଉଳିଆ କେତେ ମିସ କରିବି ବୋଲି ଯାଇ ଗଛ ପାଖେ ଠିଆ ହୋଇଥିଲି l ମନେ, ମନେ ଭାବିଲି ଏବର୍ଷ ନାନୀ ବାଡ଼ିର ଆମ୍ବ , ବେଲ ,ବରକୋଳି ଆଉ ଚାଉଳିଆ ସବୁ ଖାଇବାକୁ ମିଳିବନି l କିଏ ଯାଣେ ଝରିଆରେ କଣ ସବୁ ମିଳିବ l ମନେ, ମନେ ଟିକିଏ ରାଗ ତ ଆସୁଥିଲା l ତେବେ ଯିବାକୁ ଭାରି ଖୁସିବି ହେଉଥିଲି l ପ୍ରଥମ କରି ସାରା ରାତି ଟ୍ରେନରେ ଯିବା କଥା ଭାବି ଆଉ ପୁରୁଣା ହିନ୍ଦୀ ସିନେମାରେ ଅଭିନେତା, ଅଭିନେତ୍ରୀଙ୍କ କଥା ମନେ ପଡୁଥିଲା l କେମିତି ସେମାନେ ଖୁସିରେ ପାଖାପାଖି ବସୁଥିଲେ ଆଉ ଗୀତ ବି ଗାଉଥିଲେ l ମନରେ ଭାବିଲି ସୁଧାଂଶୁ କେବେ ଗୀତ ଗାଇବା ଭଳି ଲାଗୁ ନାହାନ୍ତି?
ଆମ ଟ୍ରେନ ରାତି ନଅ ଟାରେ ଛଡ଼ିବାର ଥିଲା l ନାନୀ ସମସ୍ତଙ୍କ ପାଇଁ ରାତିରେ ଖାଇବା ପାଇଁ ପୁର ଦିଆ ଚକୁଳି ଆଉ ଡାଲମା କରିଥିଲା l ଦୁଇଟା ଚକୁଳି ଅଲଗା କରି ଟିକିଏ ଅଲଗା ଜାଗାରେ ଥୋଇଥିଲା l ସେଇଟା ଲେଉଟ ଚକୁଳି ଥିଲା ମୋ ପାଇଁ l ନାନୀର ରୋଷେଇ ଘର ଭାଇ ସାନ ଥିଲା l ଜଣେ ଲୋକ ଥରକେ ଦୁଆର ଦେଇ ଭିତରକୁ ଯାଇ ପାରିବ l ଜଣ ଜଣ କରି ସବୁ ପିଲାଙ୍କୁ ନାନୀ ଡାକି ଖାଇବା ବାଢି ଦେଉଥିଲା l ସୁଧାଂଶୁ ଆଉ ମୋ ଭିଣୋଇ ବି ବାହାରେ ପିଢ଼ାରେ ବସି ଖାଇସାରି ଥିଲେ l ମୁଁ ଆଉ ମୋ ପୁତୁରା ବୁଟୁ ରହିଗଲୁ ଶେଷ ବେଳକୁ l ସେପଟେ ଜିନିଷ କିଛି ରଖିବାର ଥିଲା ବୋଲି ସୁଧାଂଶୁ ଡାକି ବସିଲେ l ତର ତରରେ ଯାଇ ମୁଁ ଆଉ ବୁଟୁ ପିଠା ଖାଇ ବସିଲୁ l ନାନୀ କହିବାରେ ଲେଉଟ ଚକୁଳି କୋଉଠି ଟିକିଏ ମୋଟା ଆଉ ତିନି ଥର ଓଲଟା ହୁଏ l ବୋଧେ ବୁଟୁ ମୋ ପାଇଁ ଥୁଆ ହୋଇଥିବା ଚକୁଳି ପିଠା ଖାଇଦେଇଥିଲା l ଅଜଣାରେ ଆମେ ବଦଳି କରି ପିଠା ଖାଇ ଦେଇଥିଲୁ ? ନାନୀ ଯେତେବେଳେ ସେ କଥା ଜାଣିଲା କହିଲା, ବୁଟୁ ତୁ ମାଉସୀ ଚକୁଳି ଖାଇଲୁ, ସିଏ ଆଉ ଫେରି ଆସିବନି ଭୁବନେଶ୍ୱରକୁ ? ତୁ ଚାଉଳିଆ ଆଉ କାହାପାଇଁ ଗଛରେ ଚଢି ତୋଳିବୁ ?” ବୁଟୁ ଆସି ପଚାରିଲା, ବୋଉ କଥା ସତ କି ମାଉସୀ” ? ମୁଁ ତା ମୁଣ୍ଡରେ ହାତ ବୁଲାଇ କହିଲି, ନାଇଁ ସେ ସବୁ ଅନ୍ଧ ବିଶ୍ୱାସ l ଆର ବର୍ଷ ଆମ୍ବ ପାଚିଲା ବେଳକୁ ମୁଁ ଆସିଯିବି ! ଆମେ ମୋଟେ ବର୍ଷକ ପାଇଁ ଝରିଆ ଯିବୁ l
ଝରିଆରେ ରହିବାର ବର୍ଷକ ପରେ ଭୁବନେଶ୍ୱର ଆସିବା ବଦଳରେ ସୁଧାଂଶୁ ମୁମ୍ବାଇ ରେ କାମ ନେଲେ l କାରଣ ଥିଲା ଭୁବନେଶ୍ୱରରେ ସବୁ କାମ ଡେରି, ଡେରି ହେଲା ପରି ତାଙ୍କ ବଦଳିକୁ ଆଉ କିଛି ସମୟ ଲାଗିବ ବୋଲି ଉପରୁ ଅର୍ଡର ଆସିଲା l ଆମର ଯଦି କିଏ ପରିଚିତ ଲୋକ ଉପରେ ଥାଆନ୍ତି ତାହାଲେ ସେଇ ବଦଳି ଜଲ୍ଦି ହୋଇଯିବ ବୋଲି ଜଣେ କର୍ମଚାରୀ କହିଲେ l ମୁମ୍ବାଇ ରେ ଭଲ କାମ ମିଳିଥିବା ଯୋଗୁ ଆମେ ସେଠାକୁ ଚାଲିଗଲୁ l ବାହାରେ ରହିବାର ସୁଖ ଆଉ ଦୁଃଖରେ ମୁଁ ନିଜକୁ ମେଳେଇବା ଧୀରେ ଧୀରେ ଶିଖି ଯାଉଥିଲି l
ସୁଧାଂଶୁ କାମକୁ ସକାଳ ସାତଟାରେ ଯାଇ ରାତି ଆଠଟାରେ ଫେରନ୍ତି l ତେଣୁ ଦିନସାରା ଭାବେ ଭୁବନେଶ୍ୱର ରେ ଥିଲେ ନାନୀ, ଭାଇନା ସମସ୍ତେ ପାଖରେ ଥାଆନ୍ତେ l କେତେ ପୂଜା, ପର୍ବ ଘରେ ହୁଅନ୍ତା? ଯା ହେଉ କିଛି ଦିନ ପରେ ମୋର ଝିଅ ଜନ୍ମ ହେଲା l ତାର ଯତ୍ନ ନେବାରେ ମୋର ପ୍ରାୟ ସମୟ କଟିଗଲା l ତେବେ ପଢ଼ିବାର ଇଛା ସବୁବେଳେ ମନରେ ଆସୁଥାଏ l କେମିତି ପଢ଼ିବି ସେଥିପାଇଁ ସବୁ ବେଳେ ଭାବୁ ଥାଏ l ବେଳେ,ବେଳେ ଭାବେ ବି.ଏ ଟା ହେଲେ ଶେଷ କରିବା ପରେ ବାପା ବାହା କରି ଥାଆନ୍ତେ? ଏତେ ତର ତର ହେଵା କଣ ଦରକାର ଥିଲା ? ଜମା ଅଠର ବର୍ଷ ଆରମ୍ଭ ହୋଇଥିଲା l ମୋ ସାଙ୍ଗ ମାନେ କଣ ପଢିବେ ଠିକଣା କରୁ ଥାଆନ୍ତି ସେତେବେଳେ l
ମୁମ୍ବାଇରେ ସବୁ ମିଳିବ କିନ୍ତୁ ଠିକଣା ଘର ଖଣ୍ଡେ ମିଳିବା କାଠି କର ପାଠ l ମୋର ପୁରୀରେ ଆଉ ସୁଧାଂଶୁଙ୍କର ବିଶ୍ୱନାଥ ପୁରରେ ଖୋଲା ଜାଗାରେ ଚଳିବାର ଅଭ୍ୟାସ ଥିଲା l ସୁଧାଂଶୁ ଭାବିଲେ ଆମେରିକା ପାଇଁ ଚେଷ୍ଟା କରିବେ l ଓଦିଶାରୁ ବାହାରକୁ ଆସି ବାହାରେ ରହିବା ମୋର ଅଭ୍ୟାସ ହୋଇଯାଇଥିଲା l ତେଣୁ ଭାବି କହିଲି ସୁଧାଂଶୁ, ତୁମେ ଯୁଆଡେ ଯିବ ମୋର କିଛି ଆପତ୍ତି ନାହିଁ l ତେବେ ସେଠି ଯଦି ମୁଁ କଲେଜ ଯାଇ ପଢି ପାରିବି ତାହେଲେ ମୋ ପାଇଁ ବହୁତ ଭଲ ହୁଅନ୍ତା ? ମୁଁ ମୁମ୍ବଇରେ ସେତେ ବେଳକୁ ବି.ଏ ପାସ କରି ଦେଇଥିଲି ସକାଳ କଲେଜରେ ପଢି l
ସୁଧାଂଶୁ ବାହାଘର ପୂର୍ବରୁ ଆମେରିକାରେ ପୋଷ୍ଟ ଡ଼କ କାମ କରିଥିଲେ l ସେତେବେଳେ ଆମେରିକାକୁ ଆସିବା କୋଟାରେ ତାଙ୍କ କ୍ୱାଲିଫିକେସନ ଯୋଗୁ ଆମକୁ ସୁବିଧାରେ ଏଠାକୁ ଆସିବାକୁ ଅନୁମତି ମିଳିଗଲା l ଏଠି ସୁବିଧାରେ ଚାକିରୀ ବି ହୋଇଗଲା l ଭାବିଥିଲୁ ଏଠି କିଛି ଦିନ ରହିଲା ପରେ ସୁବିଧା କରି ଭୁବେଶ୍ୱର ବା ପୁରୀ ଫେରିଯିବୁ l ହଁ ଏଠି ମୋର ପଢିବା ପାଇଁ ବହୁତ ସୁବିଧା ହେଲା l ମୁଁ ସ୍ୱାସ୍ଥ୍ୟ ସାଇନ୍ସ ପଢ଼ିଲି ଯୋଉଥି ପାଇଁ ମୋର ବହୁତ ଇଛା ଥିଲା l ଅବଶ୍ୟ ଏକୁଟିଆ ତିନୋଟି ପିଲାଙ୍କୁ ନେଇ ସାଇନ୍ସ ପଢିବା ସହଜ ନଥିଲା l ବୋଝ ଉପରେ ନଳିତା ବିଦା ପରି,ସବୁ କାମ ଏଠି ନିଜକୁ କରିବାକୁ ପଡୁଥିଲା l କିନ୍ତୁ ପଢ଼ିବାର ସୁବିଧା ଥିବାଯୋଗୁ ମତେ ଭଲ ଲାଗିଲା l ସୁଧାଂଶୁ ଆଉ ବଡ଼ ଦୁଇ ପିଲାମାନେ ସମସ୍ତେ ସାହାଯ୍ୟ କରିଥିଲେ l ପଢା ପରେ ମତେ ସୁବିଧାରେ କାମ ବି ମିଳି ଗଲା, ଯାହା ମୋର ପିଲାଦିନରୁ କରିବା ପାଇଁ ଇଛା ଥିଲା l
ଧୀରେ, ଧୀରେ ଚାଳିଶ ବର୍ଷ ହୋଇଯବ ବୋଲି ଭାବି ନଥିଲି l ତେବେ ଆଜିର କମେଣ୍ଟ ଦେଖି ପୁରୁଣା କଥା ମନେ ପଡିଗଲା l ମୁଁ ନାନୀର କଥା ମନେ ପକାଇ ଭାବିଲି ବୋଧେ ବୁଟୁ ଯଦି ମୋ ଭାଗ ଚକୁଳିଟା ଖାଇ ନଥାଆନ୍ତା ତାହାଲେ ମୁଁ ଭୁବନେଶ୍ୱର ଫେରିଯାଇ ଥାଆନ୍ତି l ତେବେ ଗଲା କଥା ତ ଗଲାଣି , ଆଉ କଣ ସେ ଦିନ ଫେରି ଆସିବ l ତେବେ ଏଇଟା ଭଗବାନଙ୍କର ବରାଦ ବା ବୁଟୁର ଉପହାର ଭାବି ଆଜିର ଗଳ୍ପଟି ଲେଖୁଛି l ମନ କଥା ମୁଁ ସବୁବେଳେ ଲେଖିଦିଏ ଆଉ ସମସ୍ତଙ୍କୁ କହିବାକୁ ପଛାଏ ନାହିଁ l ଆଶା ମୋର ଏଇ ଗପଟି ଭଲ ଲାଗିବ ଆପଣ ମାନଙ୍କୁ ପଢିବାକୁ l