—ମୋ ସ୍ମୃତି ରୁ କଥାଟିଏ: ମୁମ୍ବଇ ଛାଡି ବ୍ଯୋମୟାନରେ ପ୍ରଥମ ଥର ଆମେରିକା କୁ ଆସିବାର ଅନୁଭୂତି:—

ଆମେରିକା କୁ ଯୋଉ ମାନେ ଆସିଛନ୍ତି ସେମାନେ ଜାଣନ୍ତି ଏଠି କଣ ମିଳେ ଆଉ କଣ ମିଳେନି l ଛ ବର୍ଷ ମୁମ୍ବାଇରେ କାମ କଲା ପରେ ସୁଧାଂଶୁ ଭାବିଲେ ସିଏ ଆମେରିକାକୁ ଇମିଗ୍ରେସନ୍ ନେଇ ଆସିବେ l ତାଙ୍କର ଯୋଗ୍ୟତା ଯୋଗୁ ବିନା ଅସୁବିଧାରେ ଆମେରିକାକୁ ଆସିବା ପାଇଁ ଇମିଗ୍ରେସନ୍ ମିଳିଗଲା l ତେବେ କଥା ହେଲା ସିଏ ଆଗ ଯାଇ କାମ ଦେଖିବେ ଆଉ ତା ପରେ ମୁଁ ଓ ପିଲାମାନେ ଆସିବୁ କାମ ମିଳିଲା ପରେ l ତେଣୁ ପିଲାଙ୍କୁ ଧରି ମୁଁ ମୁମ୍ବଇରେ ରହିଲି l ପୁରୀ ଯାଇ କେବଳ ବୁଲି ଆସିଥିଲି ଓ ସମସ୍ତଙ୍କୁ କହି ଦେଇ ଆସିଲି ବୋଧେ ଆମେରିକା ଯିବାର ହେବ l

କିଛି ଦିନ ପରେ ଚିଠି ଆସିଲା ଯେ ସୁଧାଂଶୁଙ୍କୁ ଚିକାଗୋ ରେ କାମ ମିଳି ଗଲା ବୋଲି l ଆମେ ଜଲ୍ଦି ଚିକାଗୋ ଆସିବାର ଠିକ କରିବା ଦରକାର କାରଣ ମୋ ପିଲା ମାନେ ସ୍କୁଲ ରେ ନାଁ ଲେଖେଇବେ ସେଠିକୁ ଗଲେ l ଆମେରିକାରେ ସେପ୍ଟେମ୍ବର ମାସରେ ସ୍କୁଲ ର ପଢା ଆରମ୍ଭ ହୁଏ l ଘରେ ଯାହା ସବୁ ଜିନିଷ ଥିଲା ତାକୁ ଶାଗ , ମାଛ ଭଳିଆ ଜଲ୍ଦି ରେ ମୁଁ କଲୋନୀ ଲୋକଙ୍କୁ ବିକ୍ରି କରିଦେଲି l ଦୁଇଟି ସାନ ପିଲାଙ୍କୁ ଧରି ମୋର ମୁମ୍ବଇରେ ଏକୁଟିଆ ରହିବା ସହଜ ନଥିଲା l ତେବେ ସାଙ୍ଗ , ସାଥି ମାନେ କିଛି ସାହାଯ୍ୟ କରିଥିଲେ l ମୁଁ ମୋର ବାହାଘର ପରଠାରୁ କେବେ ସୁଧାଂଶୁଙ୍କୁ ଛାଡି ଏତେ ଦିନ ଏକୁତିଆ ରହି ନଥିଲି l ମୋର ଝିଅ ବି ମୁମ୍ବଇରେ ଆମେ ଏକୁଟିଆ ଥିଲା ବେଳେ ଜନ୍ମ ହୋଇଥିଲା l ଶାଶୁ ବା ମା ନଥିବାରୁ ଅନ୍ୟ ମାନଙ୍କ ଉପରେ ଆମେ ଭାର ହେବାକୁ ଚାହୁଁ ନଥିଲୁ l ମୋର କାମ କରିବାର ଅଭ୍ୟାସ ଥିଲା ଆଉ ସୁଧାଂଶୁ ସାହାଯ୍ୟ କରି ଦେଉଥିଲେ l ତେଣୁ ପୁରୀ ଯିବାର ଆବଶ୍ୟକ ବୋଲି ଭାବି ନଥିଲି l ତାପରେ ମୋର ପଢା ଟା ବି ମୁମ୍ବଇ ରେ ଚାଲିଥିଲା ?

ଆମ ପାଇଁ ସୁଧାଂଶୁ ସୁଇସ୍ ଏରୋପ୍ଲେନ ରେ ଟିକେଟ କରି ପଠାଇଦେଇଥିଲେ l ମୁଁ ଯାହାଙ୍କୁ ଜାଣିଥିଲି ପଚାରିଲି କେମିତି ପ୍ରଥମ ଥର ଉଡ଼ାଜାହାଜରେ ଯିବି ବୋଲି ? କୋଉଠି ବସିବି, କଣ ଖାଇବି ଇତ୍ୟାଦି l ମୋ ସାଙ୍ଗ ମାନଙ୍କ ଭିତରୁ କେହି ଉଡ଼ାଜାହାଜରେ ବସି କୁଆଡେ ଯାଇ ନଥିଲେ l ପୁରୁଷ ଲୋକ ମାନେ ବି କେବଳ ଦିଲ୍ଲୀ ବା କଲିକତା କେତେ ଥର କାମରେ ଯାଇ ଥିଲେ ଉଡ଼ାଜାହାଜରେ ବସି l ଭୟ ତ ଲାଗୁଥିଲା, କିନ୍ତୁ ପିଲାଙ୍କ ଆଗରେ ନ ଡରି କହୁଥିଲି ହଁ ସବୁ ଠିକ ହେବ, ତୁମେ ପାପାଙ୍କୁ ଦେଖିବ l ଝିଅ ଅଳ୍ପ ବୁଝୁ ଥିଲା କିନ୍ତୁ ମୋ ପୁଅ କିଛି ଜାଣି ପାରୁ ନଥିଲା l ଏବେ ପିଲାମାନେ ଆସିଲା ବେଳକୁ କେତେ କଥା ଜାଣିଛନ୍ତି ଇଣ୍ଟରନେଟ୍ ଦ୍ୱାରା l ଯା ହେଉ ପୁଣି ଆମ ସାହୀ ଠାକୁରାଣୀ ଅଲପଦ୍ମାଙ୍କୁ ଡାକିଲି ଆଉ ସବୁ ଠିକଣା କରି ରାତି ରେ ଟାକ୍ସି ନେଇ ଆମେ ବାହାରିଲୁ l

ଆସିଲା ବେଳକୁ ମୋର ସାଙ୍ଗରେ ଛଅଟା ବାକ୍ସ ଥିଲା, ଜଣକୁ ଯୋଡିଏ ବାକ୍ସ ଆଣିବାକୁ ମିଳୁଥିଲା l ସାତ ବର୍ଷର ଘର ଥିଲା l ପିଲାଙ୍କ ଜାମା ପଟା , କିଛି ଖେଳଣl ମୋର ଶାଢ଼ୀ ବ୍ଲାଉସ ଆଉ ସାୟାରେ ତିନୋଟି ବାକ୍ସରେ ଭର୍ତି କରିଥିଲି l ବାକି ବାକ୍ସରେ କିଛି ବଡି , କଳା ଜିରା, ସୋରିଷ ଆଉ ଷ୍ଟିଲ ବାସନ ଭର୍ତି କରିଥିଲି l ସେତେବେଳେ ଆଚାର ଆଣି ବାରେ ଅସୁବିଧା ଆଜିକାଲି ପରି ନଥିଲା l ଯାହଠୁ ଯାହା ଶୁଣିଲି ତାହା ଭର୍ତି କଲି ବାକ୍ସରେ l ସୁଧାଂଶୁ ଚିଠିରେ ଲେଖିଲେ, ପ୍ରାୟ ସବୁ ମିଳୁଛି ଯାହା ନମିଳିଵ ଅନ୍ୟ କଣ ବ୍ୟବହାର କରି କାମ ଚଲେଇବ l ବେଶୀ କିଛି ଜିନିଷ ଆଣିବା ଦରକାର ନାହିଁ l ସାନ ଯୋଡିଏ ପିଲା ଧରି ପ୍ରଥମ କରି ଏକୁଟିଆ ଏରୋପ୍ଲେନରେ ଆସୁଛୁ l ଅସୁବିଧାରେ ପଡନା ଜିନିଷ ଯୋଗୁ l ମୁଁ ଯେତେବେଳେ ଜାଣିଲି ଛଟା ବାକ୍ସ ନେଇ ପାରିବି ବୋଲି ମୁଁ ଯାହା ପାରିଲି ଭର୍ତି କଲି l ଭାବିଲି କିଏ ଜାଣେ ସେଠି କଣ ମିଳୁଥିବ କି ନାହିଁ ? ପଚାରିବି କାହାକୁ ? ଗୁଡ଼ାଏ ମୋର ପ୍ରିୟ ବହିବି ଭର୍ତି କଲି l

ଯାହେଉ ବଡ଼ କଷ୍ଟରେ ପ୍ରାୟ ଚାରି ଘଣ୍ଟା ପରେ ଯାଇ ଉଡ଼ାଜାହାଜ ଭିତରେ ଆମେ ତିନି ଜଣ ଯାକ ବସିଲୁ l ବାୟୁ କର୍ମଚାରୀ ଜଣକ ଜଣେ ସୁଇସ୍ ଝିଅ ଥିଲେ l କାରେନ୍ ବୋଲି ତାଙ୍କର ନାଁ ଲେଖା ହୋଇଥିଲା ଡ୍ରେସ୍ ନେମ୍ ଟାଗ୍ ରେ l ସିଏ ପିଲାଙ୍କ ପାଇଁ କିଛି ଜୁସ୍ ଆଉ ଯୋଡିଏ କଲରିଂ ବହି ଆଣି ଦେଲେ ମୋ ହାତରେ l ମୋ ପିଲାମାଙ୍କ ଆଖି ନିଦରେ ଟୁଳୁ , ଟୁଳୁ ହେଲେବି ଦୁହେଁ ବହି ପାଇ ଭାରି ଖୁସି ହୋଇଗଲେ l ମୁଁ ତାଙ୍କୁ ଯୁସ୍ ପିଇ ବାକୁ କହି ବାଥରୁମ୍ ଯିବା ପାଇଁ ଅନେଇଲି l ପାଖ ସିଟ୍ ରେ ଜଣେ ବୟସ୍କ ସ୍ତ୍ରୀ ଲୋକ କେରଳ ର ବୋଧେ ଆସି ବସିଲେ l ତାଙ୍କୁ ଇଂରାଜୀ ଜମା ଭଲରେ କହି ଆସୁ ନଥିଲା l ସାଙ୍ଗରେ କେତେଖଣ୍ଡ ଇଣ୍ଡେକ୍ସ କାର୍ଡ ଆଣି ଥାନ୍ତି l ତାକୁ ଦେଖେଇ ଦେଉଥିଲେ ଯାହା ଦରକାର ହେଉଥିଲା ବାୟୁ କର୍ମଚାରିଙ୍କୁ l ମୁଁ ମନେ, ମନେ ଭାବିଲି ଏଇ ମୋର ଆଗତ ଚବିଶ ଘଂଟାର ସାଥି ? ହେ ଜଗନ୍ନାଥ , ମୁଁ ଭାବୁଥିଲି କିଏ ଜଣେ ସାହାଯ୍ୟ କଲା ଭଳି ଲୋକ ଆସି ବସିବେ, ଇଏତ ସାହାଯ୍ୟ ନେଲା ଵାଲା ଲୋକ ମତେ ମିଳି ଗଲେ ?

ଖାଇବା ଜିନିଷ ପ୍ରାୟ ପ୍ରତି ତିନି ଘଂଟାରେ ଆସି ଯାଉ ଥାଏ l କିନ୍ତୁ ଆମେ ସେ ସବୁ ଖାଦ୍ୟରେ ଅଭ୍ୟସ୍ତ ନଥିବା ଯୋଗୁ କିଛି ଭଲ ଲାଗୁ ନଥାଏ l ଆସିଲା ବେଳେ ଯାହା ପୁରୀ, ଆଉ ଶୁଖିଲା ଆଳୁ ତରକାରୀ କିଛି ଆଣି ଥିଲି ସେତକ ଏୟାର୍ ପୋର୍ଟରେ କିଛି ଖାଇଥିଲି ଆଉ ବାକିଥିବା ଖାଇବା ଜିନିଷ ଆଣିବାକୁ ଦେଇ ନଥିଲେ ସାଙ୍ଗରେ ନିୟମ ଯୋଗୁ l ଭୋକରେ କେବଳ ଅନାଉ ଥାଏ ଉପରକୁ ତଳକୁ ଆଉ ପିଲାମାନଙ୍କୁ l ମୁଁ ଭୋକ ଜମା ସଂଭାଳି ପାରେନି l ଭଦ୍ର ମହିଳା ଜଣକ ମତେ ଦେଖେଇଲେ ଇଣ୍ଡେକ୍ସ କାର୍ଡ ବାଥ ରୁମ୍ ଯିବେ ବୋଲି l ମୁଁ ଭାବିଲି ବୋଝ ଉପରେ ନଳିତା ବିଡା ଭଳି ଇଏ ମତେ ସାହାଯ୍ୟ ମାଗୁଛନ୍ତି ? ମୁଁ ଏକୁଟିଆ ଯୋଡିଏ ସାନ ପିଲା ଧରି କଣ ଅନୁଭବ କରୁଛି ମୁହିଁ ଜାଣେ ? ତେବେ ଉଠି ତାଙ୍କୁ ନେଇ ଗଲି ବାଥରୁମ୍ ପର୍ଯ୍ୟନ୍ତ ଆଉ ନିଜେ ବି ଗଲି l ବାଥରୁମ୍ ପାଖରେ ଥିବାରୁ ପିଲାଙ୍କ ଉପରେ ମୋର ଆଖି ଥିଲା l

ବସିଲା ପରେ ଭଦ୍ର ମହିଳା କହିଲେ “ମି ମାଳତୀ, ଭିଜିଟ୍ ସନ ଚିକାଗୋ” l ମୁଁ କହିଲି “ମି ଚନ୍ଦ୍ରା”, ସି ମାଇ ପତି ଇନ ଚିକାଗୋ” ! ତାପରେ ମାଳତୀ ଦେବୀ ବ୍ୟାଗ୍ ରୁ କଣ ସବୁ ଖାଇବାକୁ କାଢ଼ିଲେ l ମତେ ଯୋଡିଏ ଗୋଲ୍ , ଗୋଲ୍ ବରା ବଢ଼େଇ ଦେଲେ l ମତେ ଭାରି ଭୋକ ଲାଗୁଥାଏ l ମୁଁ ମନା ନକରି ଖାଇ ଦେଲି ଟପ୍ ଟପ୍ କରି ଭୋକିଲା ନେଉଳ ଯେମିତି ଖାଏ l ସିଏ ମୋ ଆଡ଼କୁ ଚାହିଁ କହିଲେ କୁଟୁ ??? ତାଙ୍କ ଭାଷାରେ (ମାଲାୟାଲାମ)l ମୁଁ ନବୁଝିଲେବି ଭାବିଲି ମତେ ପଚାରୁଛନ୍ତି ଆଉ ନବ ? ତାଙ୍କ ମୁହଁର ଭାବରୁ ଜାଣିଲି ? ମୁଁ ହାତ ଆଉ ମୁଣ୍ଡ ହଲାଇ କହିଲି ନା , ନା l ତାପରେ ଚାହା ଆଉ କଫି ଆସିଗଲା l ପିଲାମାଙ୍କ ପାଇଁ ଜୁସ୍ ଆଉ ବିସଚୁଟ୍ ଆଣିଲେ ବ୍ୟାମଜାନ କର୍ମଚାରିଣୀ l

ଆଉ ଅଳ୍ପ ସମୟରେ ଆମେ ଜୁରୀକ୍ ରେ ପହଂଚିବା କଥା l ସେଠି ତିନି ଘଣ୍ଟା ରହି ଚିକାଗୋ କୁ ସେଇ ପ୍ଲେନ ରେ ଯିବାର କଥା ପରବର୍ତି ଛ ଘଣ୍ଟା l ମୋ ବ୍ୟାଗ୍ ରେ ଖଣ୍ଡେ ଶାଢ଼ୀ ଆଉ ବ୍ଲାଉସ୍ , ଶାୟା ଆଣିଥିଲି l ଭାବିଥିଲି ଅପେକ୍ଷା କରିବା ଭିତରେ ମୁଁ ଶାଢ଼ୀ ବଦଳି କରିବି ଆଉ ଭଲରେ ମୁଣ୍ଡର ବାଳ କୁ କୁଣ୍ଡେଇଦେବି l ସେତେବେଳେ ମୋର କଳା ଆଉ ଲମ୍ବା ବାଳ ଥିଲା l ପ୍ଲେନରେ ବାଳ ସବୁ ଏପଟ ସେପଟ ହୋଇ ଯାଇଥିଲା l ମତେ ସେତେବେଳେ ଜମା ପଚିଷ ବର୍ଷ ହୋଇଥିଲା l ଭାବିଲି ପ୍ରଥମ ଥର ବାହାଘର ପରେ ମୁଁ ସୁଧାଂଶୁଙ୍କ ଠାରୁ ଛ ମାସ କାଳ ଅଲଗା ହୋଇ ଅଛି ଏତେ ଦିନ ?ଦୁଇଟି ପିଲାଙ୍କର ମା ହେଲେବି ଏତେଦିନପରେ ଦେଖା ହେବ ? ଟିକିଏ ସଜାଡି ହୋଇ ବାହାରିବି ପ୍ଲେନ ଦ୍ୱାରରୁ ? ଏତିକି ବେଳେ ଜ୍ଞାପିତ ହେଲା ବହୁତ ବରଫ ପଡିବା ଯୋଗୁ ପ୍ଲେନ ଯୁରୀକ୍ ନଯାଇ ବାସେଲ୍ ଯିବ ଆଗ l ମୁଁ ସେତେବେଳେ ବେଶୀ ଇଂରାଜୀ ବୁଝି ପାରୁ ନଥାଏ l ତେବେ ପଚରା , ପଚରି କରି ଜାଣିଲି ଆମେ ବାସେଲ୍ ରେ ପ୍ଲେନରୁ ଓଲ୍ହେଇବୁ l ତାପରେ ବସ୍ରେ ଯୁରୀକ୍ ଏୟାର୍ ପୋର୍ଟ କୁ ଯିବୁ l

ସେତେବେଳେ ଆଜିକାଲି ପରି ଫୋନ ନଥିଲା ଯେ ମୁଁ ସୁଧାଂଶୁଙ୍କୁ ଏଇ ଖବର କହିଦେଇ ଥାନ୍ତି l ବରଫପାତ କେବେ ଜୀବନରେ ଦେଖି ନଥିଲି କେବଳ ସିନେମା ଛଡା l ରାଗିଲି ସୁଧାଂଶୁଙ୍କ ଉପରେ ମତେ ଏକୁଟିଆ ଆସିବାକୁ କହିଲେ ଏଇ ସୁଇସ ବ୍ୟମଜାନରେ ପିଲାଙ୍କୁ ଧରି l ଏୟାର୍ ଇଣ୍ଡିଆ ହୋଇଥିଲେ ଅବା କାହାକୁ ପଚାରି ଥାଆନ୍ତି ହିନ୍ଦୀ ବା ଆମ ଆଡ଼ ଖଣ୍ଡିଆ ଇଂରାଜୀରେ ? ମୋର ରାଗ କ୍ଷଣିକ ମାତ୍ର ଥିଲା l ବାପା , ବୋଉ ତ ନଥିଲେ କାହାକୁ କହିବି ବା କାହା ଉପରେ ରାଗ ,ଅଭିମାନ କରିବି ? ଆଖିରୁ ଲୁହ ପୋଛିଲି ଆଉ ତର , ତର କରି ବ୍ୟାଗ୍ ଏକାଠି କରି ଲମ୍ବା ଲାଇନ୍ରେ ଛିଡା ହେଲି ବସ କୁ ଅନାଇ !! ସାଙ୍ଗରେ ମାଳତୀ ଦେବୀ ବି ଯୋଡି ହେଲେ ମୁଁ ନଚାହିଁଲେବି l

ଦ୍ଵିତୀୟ ଭାଗରେ ଲେଖିବି କେମିତି ଆସି ଚିକାଗୋ ରେ ପହଂଚିଲି :

ଲେଖିକା : ଚନ୍ଦ୍ରା ମିଶ୍ର (GFPS ) ଗାର୍ଲ ଫ୍ରମ୍ ପଥୁରିଆ ସାହି