କିଛିଦିନ ହେଲା ନିୟମିତ ଭାବେ ଫେସ ବୁକରେ କୃପାସୀନ୍ଧୁ ବାବୁଙ୍କ ପୋଷ୍ଟିଙ୍ଗ ଅଭିଶପ୍ତ ଦ୍ୱାରପାଳ ପଢ଼ିବାର ସୁଯୋଗ ମିଳିଯାଇଛି। ମନ ମୋର ଭାରି ଖୁସି। ବହୁତ ଦିନରୁ ଭାବୁଥିଲି ଆମ ପୁରାଣ ସବୁ ପଢିବା ପାଇଁ। ପିଲାମାନେ ତ ବଡ଼ ହୋଇ ଗଲେଣି। ଆଉ କାମ ବି ଛାଡି ସାରିଲିଣି। ଏଥର ଯାହା ସବୁ ମନରେ ଅଛି ସେ ସବୁ କରିବି। ନହେଲେ ପ୍ରେତ ହୋଇ ଫେରିବି ଅବଶୋଷ ରହିଯାଇ ଥିବା ଆଶା ସବୁକୁ ପୁରା କରିବା ପାଇଁ ? ପିଲାଦିନେ ଆମ ପୁରୀରେ କହନ୍ତି ମନରେ ଯାହା ଥାଏ ତାହା ପୁର୍ଣ ନହେଲେ ମଣିଷ ସବୁ ଭୁତ (ପୁରୁଷ ମାନେ) ବା ପ୍ରେତ (ସ୍ତ୍ରୀ ମାନେ) ହୋଇ ଜନ୍ମ ନିଅନ୍ତି। ଆମେ ତ ପୁର୍ନର ଜନ୍ମରେ ବିଶ୍ୱାସ କରୁ।
ଜନ୍ମରେ ବିଶ୍ୱାସ କରୁ।
ଏବେ ରାବଣ ବିଷୟରେ ପୋଷ୍ଟ ଟି ପଢିଲା ବେଳକୁ ମୋର ମନେ ପଡିଗଲା ପୁରୁଣା କଥା। ଆମ ଘର ଦାଣ୍ଡ ପିଣ୍ଡାରେ ବସି ସବୁ ଦିନ ସନ୍ଧ୍ୟା ବେଳେ ସାଇର ଆଠ ବା ଦଶ ଜଣ ବିଧବା ମାଇପୀ ଏକାଠି ହୋଇ ପୁରାଣ ଶୁଣଂତି। ରାମାୟଣ, ମହାଭରତ, ଭାଗବତ ଇତ୍ୟାଦି। ସବୁଦିନ ପୁରାଣ ପଢା ସରିଲା ପରେ ଭୋଗ ହୁଏ ଓ ସମସ୍ତେ ଖାଇ ଘରବୁ ଯାଆନ୍ତି । ଭୋଗଟା ଜଣେ ଜଣେ ସ୍ତ୍ରୀ ଲୋକ ଦିଅନ୍ତି ଦିନେ ଦିନେ କରି । ଗୁରୁବାର ଦିନ ଆମ ସାଇର ସୁନ୍ଦ ଦିଦି ଭୋଗ ଦିଅନ୍ତି। ସିଏ ବାଲ୍ୟ ବିଧବା ଥିଲେ। ଓଡ଼ିଆ ହେଲେବି ତାଙ୍କୁ ଆମେ ଦିଦି ଡାକୁ ଥିଲୁ କାହିଁକି ମୁଁ ଜାଣିନି। ବୋଧେ ବାଲେଶ୍ୱରରେ ବାହା ହୋଇଥିଲେ। ବଙ୍ଗାଳି ମାନଙ୍କ ପ୍ରଭାବ ଥିଲା ସେମାନଙ୍କ ଉପରେ ?
ସିଏ ଟିକେ ଧନୀ ଘରର ବୋହୁ ଥିଲେ। ସବୁ ଗୁରୁବାର ଦିନ ତାଙ୍କ ପଟରୁ ବୁନ୍ଦିଆ ଭୋଗ ହୁଏ। ମୋର ବୁନ୍ଦିଆ ସବୁଠୁ ପ୍ରିୟ ମିଠା ଥିଲା। ତେଣୁ ପୁରାଣ ଆରମ୍ଭ ହେବା ପୂର୍ବରୁ ମୁଁ ସୁନ୍ଦ ଦିଦି ଙ୍କୁ କହି ଗୁରୁବାର ଦିନ ପୁରାଣ ପଢିବାକୁ ଠିକ କରିଦେଇଥାଏ ବୁନ୍ଦିଆ ଲୋଭରେ। ମୋର ପୁରାଣ ପଢ଼ିବାର ଶୈଳୀ ବି ସମସ୍ତେ ପସନ୍ଦ କରୁଥିଲେ l ମୁଁ ଜୋରରେ ବଡ଼ ପାଟିରେ ପଢି ପାରୁଥିଲି l ଜଣେ ଦୁଇ ଜଣ ସେମାନଙ୍କ ଭିତରୁ ଟିକିଏ କମ୍ ଶୁଣିପାରୁ ଥିଲେ l ତେଣୁ ମତେ ଡାକୁଥିଲେ ପୁରାଣ ପଢିବାକୁ l ଯାଣନ୍ତି ମୁଁ ବଡ଼ ପାଟିଆ ଚନ୍ଦୁ ବୋଲି l ମୁଁ ବି କହୁଥିଲି କେବଳ ଗୁରୁବାର ଦିନ ପଢ଼ିବି ବୋଲି , ବାକି ଦିନ ପଢା ଅଛି l
ମୋ ଭାଗ୍ୟରେ ରାମାୟଣ ପଢିବାକୁ ହେଲା ଗୁରୁବାର ଦିନ l ମୋର ମହାଭାରତ ପଢିବାକୁ ମନ ଥିଲା. ଭାବିଲି ବଦଳେଇ ଦେଲେ ଯଦି ସୁନ୍ଦ ଦିଦି ମତେ ଗୁରୁବାର ଦିନ ଦେବେନି ତାହେଲେ ଅନ୍ୟ ମାନଙ୍କ ଠୁ ଆସୁଥିବା ମହନ ଭୋଗ, ଖଇ ଖାଇବାକୁ ପଡିବ। ରାମାୟଣ ପଢା ମୋର ଭାଗ୍ୟରେ ଅଛି ଭାବି ଚୁପ୍ ରହିଲି। ଅନ୍ୟ ପିଲାମାନେ ଆଉ ସବୁ ପୁରାଣ ପଢୁଥିଲେ l
ରାମାୟଣ ପଢା ଆରମ୍ଭରୁ ମତେ ଭଲ ଲାଗିଲା। ଅସୁର, ମାଙ୍କଡ଼ ସେନା ବିଷୟରେ ପଢିଲା ବେଳେ ଭାବେ ଏଇଟା କଣ ସତ? ପୁଣି ଭାବେ, ନାଇଁ ସେମିତି ଭାବିଲେ କାଳେ ରାମ ରାଗି ଯିବେ। ପିଲାଦିନରୁତ ବୋଉ ନାହିଁ। ପୁଣି ଯଦି ଭଗବାନ ରାଗିଯାଇ ବାପାଙ୍କୁ ନେଇଯିବେ ତାହାଲେ ମୁଁ କଣ କରିବି? ସେତେବେଳେ ବୋଧେ ମତେ ଦଶ ବର୍ଷ ହୋଇଥିଲା। ଧୀରେ ଧୀରେ ପ୍ରଭୁ ରାବଣଙ୍କ ବିଷୟ ବର୍ଣ୍ଣନା ଆରମ୍ଭ ହେଲା। ଜାଣିଲି ତାଙ୍କର ଦଶଟି ମୁଣ୍ଡ ଓ କୋଡିଏଟି ହାତl ଶୁଣି କାବା ଲାଗେ ? ରାବଣଙ୍କ ସ୍ତ୍ରୀ ଭାରି ଭଲ ଓ ସୁନ୍ଦରୀ ଥିଲେ। ତାଙ୍କ ନାଁ ମନ୍ଦୋଦରୀ l
ସେଇ ବୟସ ବେଳକୁ ମୁଁ ଟିକିଏ ଟିକିଏ ପୁଅ ପିଲାଙ୍କ ବିଷୟ ଜାଣିବାର ସୁଯୋଗ ପାଇଥିଲି। ଆମ ଘର ପଥୁରିଆ ସାହିରେ। ସେଠି ସବୁ ଖଡ଼ି କାମ ତିଆରି ହୁଏ। କୋଣାର୍କ ମନ୍ଦିରରେ ଯେତେ ସବୁ ମୂର୍ତି ଅଛି ସେ ସବୁ ଆମ ସାହି କାରିଗର ମାନଙ୍କର ପୂର୍ବ ପୁରୁଷ ମାନେ କରିଥିଲେ ବୋଲି କୁହାଯାଏ। ମୋର ବହୁତ ପଥୁରିଆ ଘର ଝିଅ ମାନେ ସାଙ୍ଗ ଥିଲେ। ସେମାନେ ପ୍ରାୟ ଛୋଟ ଛୋଟ ସ୍ତ୍ରୀ ପୁରୁଷଙ୍କ ମୂର୍ତି କରି ତାକୁ ବିକନ୍ତି। ତାଙ୍କ ବାପା ମାଙ୍କୁ ଘର ଚଳେଇବାରେ ଏହା କିଛି ଆର୍ଥିକ ସାହାଯ୍ୟ ହୁଏ। ମୋ ସାଙ୍ଗ ତୁନିଆ ମତେ ଡାକି ଖଡ଼ି ମୂର୍ତି ସିଏ ଯାହା କରୁଥାଏ ସବୁ ଦେଖାଏ। ଆଜିକାଲି ଯୋଉଟା କୁହାଯାଉଛି ପ୍ରିଟିନ୍ ସେକ୍ସ ଶିକ୍ଷ୍ୟା ସେଇଟା ମୋର ଏଇଠି ବୋଧେ ଆରମ୍ଭ ହୋଇଥିଲା। ଆମ ଘରେ ତରୁଣ ଯୋଡି କେହି ନଥିଲେ। ବାପା, ଜେଜେମା, ମୋ କୁନା ଭାଇନା ଆଉ ମୁଁ। ତେଣୁ କେବେ କାହାକୁ ସେଭଲି ନିକଟରେ କିସ୍ କରିବା ଦେଖି ନଥିଲି। ଯା ହେଉ ତୁନିଆ ମତେ କହେ କେମିତି ପୁଅ ପିଲା ମାନେ ଓଠରେ କିସ୍ ଦିଅନ୍ତି। ଆଉ ଗାଲରେ ବି ଦିଅନ୍ତି l ବେଳେ ବେଳେ ଅବାଗିଆ ଲାଗିଲେବେ ଭଲ ଲାଗୁଥିଲା ତା କଥା ଶୁଣିବାକୁ। ତାଙ୍କ ଘରେ ତା ଭାଇ , ଭାଉଜ ସମସ୍ତେ ପଥର ମୂର୍ତି ତିଆରି କରୁଥିଲେ l ତା ପାଇଁ ଏପ୍ରକାର କିସ୍ କରୁଥିବା ଯୁଗଳ ମୂର୍ତି ଦେଖିବା କିଛି ବଡ଼ କଥା ନଥିଲା l
ସେଦିନ ପଢ଼ିଲି ରାବଣ ମନ୍ଦୋଦରୀଙ୍କୁ ଭଲ ପାଉଥିଲେ। କିନ୍ତୁ ସୀତାଙ୍କୁ ଚୋରି କରି ନେବା ଯୋଗୁ ରାମ ୟୁଦ୍ଧ କରିବାକୁ ବାନର ସେନା ମାନଙ୍କୁଏକାଠି କଲେ। ହଠାତ ମୋ ମନରେ ଆସିଲା ରାବଣଙ୍କର ଦଶ ମୁଣ୍ଡରେ ଦଶଟି ଓଠ ଥିବ ? ତାହାଲେ ମନ୍ଦୋଦରୀଙ୍କୁ ସିଏ କୋଉ ଓଠ ରେ କିସ୍ କରୁଥିଲେ? ଦଶ ମୁଣ୍ଡ ଯୋଗୁ ଆର ମୁଣ୍ଡ ଗୁଡିକ ଦେହରେ ବାଜି ମନ୍ଦୋଦରୀଙ୍କୁ କଷ୍ଟ. ଦେଉଥିବ? ରାବଣଙ୍କର ଲମ୍ବା ବାଳର ବି ବର୍ଣ୍ଣନା ପୁରାଣରେ ହୋଇଥିଲା। ମୁଁ ଭାବିଲି ତାଙ୍କର ମୁଣ୍ଡ କୁଣ୍ଡାଇବା ପାଇଁ କେତୋଟି ପାନିଆ ଦରକାର ହେଉଥିବ? ପାନିଆ କେତେବଡ଼ ହୋଈତିବ ? ପୁଣି ଭାବିଲି ବୋଧେ ଚାକରାଣୀ ମାନେ ଦଶାନନଙ୍କୁ ଦଶଟି ପାନିଆ ଧରି ମୁଣ୍ଡ କୂଣ୍ଡେଇ ଦେଉଥିବେ? ରାଜା ଥିଲେ ସିଏ ? ଚାକରଙ୍କର ଅଭାବ ତ ନଥିବ ? ଦିନେ ରାବଣ ଓ ମନ୍ଦୋଦରୀଙ୍କ କିସ୍ ବିଷୟ କଥା ପଚାରିଲି ସୁନ୍ଦ ଦିଦିଙ୍କୁ? ସିଏ ହସି କହିଲେ “ମୁଁ କହିପାରିବି ନାହିଁ”। ତୁ ପରେ ସମୟ ଆସିଲେ ନିଜେ ବୁଝି ଯିବୁ l ତୁ ବୁନ୍ଦିଆ ନେଇ ଘରକୁ ଯା। ସେଦିନ ବୁନ୍ଦିଆ ଖାଇବା ପାଇଁ ବି ମୋର ମନ ନଥିଲା। ଭାବୁଥିଲି ବିଚାରି ମନ୍ଦୋଦରୀ କେତେ କଷ୍ଟ ପାଉଥିବେ ? ତଥାପି ମନକୁ ବୁଝାଇ ବୁନ୍ଦିଆ ତକ ଧରି ଘରକୁ ଡ଼େଇଁ ଡ଼େଇଁ ଚାଲିଗଲି।
ସେ ଦିନ ମନରେଥିବା ପ୍ରଶ୍ନ ମୋ ସାଙ୍ଗ ତୁନିଆକୁ ପଚାରିଲି। ସିଏ ହସି କହିଲା ଚନ୍ଦୁ, ତୁ ସବୁ ବେଳେ ଜିରାରୁ ସିରା ବାହାର କଲା ଭଳି କଥା ପଚାରୁ ? ବୋଧେ ତୁ ଗୋଇନ୍ଦା ନହେଲେ ବୈଜ୍ଞାନିକ ହବୁ। ତୁ ତ ଭଲ ପଢ଼ୁଛୁ ? ମୁଣ୍ଡ ହଲାଇ କିନା ତା କାନରେ କହିଲି ହଁ, ବାପା ପଢ଼େଇଲେ ସିନା? ତାପରେ ଭାବିଲି ତୁନିଆତ ଭଲ ପଢିଲେବି ପଞ୍ଚମ ଶ୍ରେଣୀ ପଢିଲା ପରେ ଘରେ ରହୁଛି ଆଉ ଖଡି କାମ କରୁଛି। ଆମେ ଦୁହେଁ ଛୋଟ ଦିନୁ ଜାଣିଥିଲୁ ଆମର ଭାଗ୍ୟ ଡୋରି ଆମ ବାହାଘର ଦ୍ୱାରା ଆମ ସ୍ୱାମୀମାନଙ୍କ ସଙ୍ଗେ ଯୋଡି ହୋଇଛି। ବୁନ୍ଦିଆ ତକ ଦୁହେଁ ବାଣ୍ଟି ଖାଇଲୁ ଆକାଶକୁ ଅନେଇ।
ମନରେ ସେ ପ୍ରଶ୍ନ ଏବେବି ଘୁରିବୁଲେ। ରାବଣଙ୍କର କଣ ସତରେ ଦଶଟା ମୁଣ୍ଡ ଥିଲା? ଥରେ ଫେସବୁକରେ ଏହି ପ୍ରଶ୍ନ ଇଂରାଜୀ ଭାଷାରେ ଲେଖିଥିଲି। କେତେ ଲୋକ ଉତ୍ତର ଦେଇଥିଲେ। ମିଶ୍ର ବାବୁ ଏଇ ପୁରାଣ ବିଷୟରେ ବହୁତ ଜ୍ଞାନୀ ବୋଲି ଶୁଣୁଛି। ତାଙ୍କ ରାବଣ ପୋଷ୍ଟ ଫେସବୁକ ରେ ଦେଖି ପିଲାଦିନ କଥା ପୁଣି ମନେ ପଡିଗଲା। ଭାବିଲି ଆଜି ଲେଖି ପଚାରି ଦେଵି। ଯଦି ପଢିବେ ସେ ନିଶ୍ଚୟ ଉତ୍ତର ଦେବେ। ସେଇ କଥା ଲେଖୁଛି ଏଠି।
ଆମ ପିଲାଦିନେ ଆମେ କେତେ ସରଳ ଥାଉ। ସାଙ୍ଗ ମାନେ ଆମକୁ କେତେ କଥା ଶିଖାନ୍ତି, କେତେ ଭଲ ପାଆନ୍ତି। ତୁନିଆ ତେର ବର୍ଷରେ ବାହା ହୋଇ ଆମ ସାହିରୁ କାକଟପୁର ଚାଲିଗଲା ଆଉ ମୁଁ ଅଠର ବର୍ଷରେ ବାହା ହୋଇ ପୁରୀ ଛାଡ଼ିଲି। ଏବେବି ତା କଥା। ମୋର ଆଖିରେ ନାଚୁଛି। ସିଏ ମୋର ଭଲ ସାଙ୍ଗ ଥିଲା। ମୁଁ ବି ସବୁ ଗୁରୁ ବାର ଦିନ ଭୋଗ ବୁନ୍ଦିଆରୁ ଅଧେ ତାକୁ ଦେଉଥିଲି। ଦୁହେଁ ଖାଇଲା ପରେ ରାବଣ ଆଉ ମନ୍ଦୋଦରୀ ଙ୍କ କିସ୍ ନେଇ ବୁହେ ହସୁଥିଲୁ। ଆଶା ଆଜି ମୋ ପିଲା ଦିନ ଗପ ଆପଣମାନଙ୍କୁ ଭଲ ଲାଗିବ l
ଲେଖିକା : GFPS (ଗାର୍ଲ ଫ୍ରମ ପଥୁରିଆ ସାହି)
l