ମୋ ଫଟୋ ଟା ଫେସ ବୁକରେ ପୋଷ୍ଟ କରିଦେଇଥିଲି କାଲି।ମୋ ସାଙ୍ଗ ସବିତାର ଚାଲେଞ୍ଜ ଯୋଗୁ। ସାଙ୍ଗେ, ସାଙ୍ଗେ ପୁରବୀ ଠାରୁ ଏଇ ମେସେଜ ଟି ଆସିଗଲା।
“ଏ ଫୋଟୋ ଦେଖି ମୁଁ ଈର୍ଷାରେ ଜଳୁଛି। ମାଉସୀ ତମେ ଏତେ ଗୋରା ଆଉ ସୁନ୍ଦରୀ। ମୁଁ ଟିକିଏ ସୁନ୍ଦରୀ ହୋଇଥାନ୍ତି ହେଲେ। “
ତା ମେସେଜ ଦେଖି ମତେ ହସ ମାଡିଲା ଆଉ ମୋର ପିଲାଦିନ କଥା ମନେ ପଡିଗଲା । ମୁଁ କେମିତି ସବୁବେଳେ ଗୋରା ହେବି ବୋଲି ବାଇଆ ହେଉ ଥିଲି ପିଲାବେଳେ। ଆମ ପୁରୀରେ ସବୁ ଝିଅ ମାନେ ପ୍ରାୟ ଗୋରା ହେବାକୁ ଚେଷ୍ଟା କରନ୍ତି। ମୋ ନାନୀ ମୋ ପୂର୍ବରୁ ବିଶ୍ଵନାଥପୁର ଶାସନ ଗାଁରେ ବାହାହୋଇଥିଲା। ପୁରୀ ପାଖ ଶାସନ ଗାଁରେ ବ୍ରାହ୍ମଣ ମାନେ ଶୁଣିବାରେ ବହୁତ ପୂର୍ବରୁ କାନପୁରରୁ ଓଡିଶାକୁ ଅଣା ଯାଇଥିଲେ। କାରଣ ଓଡ଼ିଶାରେ ବୁଦ୍ଧଧର୍ମ ବେଶୀ ବିସ୍ତାର ହୋଇ ଥିଲା ରାଜା ଅଶୋକ ଆସିବା ପରେ । ବ୍ରାହ୍ମଣ ମାନଂକୁ ଆଣି ପୁରୀ ରାଜା ୫ ଟି ଗାଁ ରେ ସ୍ଥାପିତ କରେଇ ଥିଲେ। ସେମାନଂକୁ ଶାସନୀ ବ୍ରାହ୍ମଣ କୁହାଯାଉଥିଲା। ସେଇ ବ୍ରାହ୍ମଣ ଲୋକ ମାନଙ୍କର ରଙ୍ଗ ଭାରି ଗୋରା ଥିଲା ଓ ନାକବି ତାଙ୍କର ଭାରି ସୁନ୍ଦର ଥିଲା। ଶୁଆ ନାକ ପରି ନାକ ଥିଲା।ପରେ ସେମାନେ ଓଡିଶାର ସ୍ଥାନୀୟ ଝିଅ ମାନଂକୁ ବାହା ହୋଇ ଥିଲେ। ମୋ ନାନୀ ସେଇ ଶାସନ ଗାଁ ବିଶ୍ଵନାଥ ପୁର ରେ ବାହାହୋଇଥିଲା। ଆମ ଜୋଇଁ ଙ୍କ ଘରେ କିଛି ଲୋକ ଭାରି ଗୋରା ଥିଲେ।
ମୁଁ, ପିଲାଦିନେ ନାନୀ ଘର ଗାଁ କୁ ବହୁତ ଥର ଯାଏ। ଦଶହରା ଛୁଟିରେ ଆଉ ଦୋଳ ଛୁଟିରେ ତାଙ୍କ ଗାଁରେ ମେଳା ହୁଏ। ତାଙ୍କ ଗାଁର ଗୋପୀନାଥ ଙ୍କ ପାଖରେ ବହୁତ ସୁନ୍ଦର ଜଲଶା ହୁଏ। ନାନୀ ଘରେ ଭଲ ପିଠା ପଣା ହୁଏ। ମତେ ଭାରି ଭଲ ଲାଗେ ସେଠି ଥିଲା ବେଳେ । ନାନୀ ମତେ ଭଲ ଭଲ ପିଠା ପଣା ଖାଇବାକୁ ଦିଏ। ମୁଣ୍ଡ କୁଣ୍ଡେଇ ଦିଏ ଆଉ ନୂଆ ରିବନ ରେ ମୋର ଲମ୍ବା ବାଳରେ ସୁନ୍ଦର କଦଳୀ ବେଣୀ ଯୋଡିଏ କରିଦିଏ।
ଜୋଇଁଙ୍କ ମାଇଁ ଙ୍କ ଘର ସେଇ ପାଖରେ ଥିଲା। ମାଇଁଙ୍କ ପୁଅ ମଧୁ ଭାଇନା ମତେ ତାଙ୍କ ଗାଁର ପୋଖରୀ ଦେଖେଇ ନିଅନ୍ତି। ସିଏ ମୋଠୁ ବେଶୀ ବଡ଼ ନଥିଲେ। କଇଁ ଫୁଲ ସେ ପୋଖରୀରେ ଭର୍ତି ହୋଇ ଥାଏ । ମଧୁ ଭାଇନା ପହଁରିଯାଇ ସୁନ୍ଦର, ସୁନ୍ଦର ଗୋଲାପୀ, ଧଳା ରଙ୍ଗ କଇଁ ଗୋପୀନାଥଙ୍କ ପାଇଁ ଆଣନ୍ତି । ମୁଁ ତାଙ୍କ ସାଙ୍ଗେ ଯାଇ ଫୁଲ ସବୁ ଏକାଠି କରି ଆଣେ ମନ୍ଦିରପର୍ଯ୍ୟନ୍ତ। ମଧୁ ଭାଇନା ଭାରି ଗୋରା ଥିଲେ। କାରଣ ସିଏତ ଶାସନୀ ବ୍ରାହ୍ମଣ ଘର ପୁଅ। ସବୁ ବେଳେ ତାଙ୍କୁ ଦେଖିଲେ ମୁଁ ଭାବେ ଆହା ସିଏ ପୁଅ ପିଲା ହେଲେବି ଏତେ ଫରଫର ତୋଫା ଗୋରା। ଆଉ ମୁଁ ଝିଅ ପିଲାଟେ ହୋଇ କଳା ହେଲି। ମନେ ମନେ ଭାବେ ଦିନେ ପଚାରିବି ସିଏ କେମିତି ଆଉ କାହିଁକି ଏତେ ଗୋରା ହୋଇଛନ୍ତି।
ମଧୁ ଭାଇନା ଭାରି ଗପୁଡା ଥିଲେ। ମୁଁ ବି ଗପ କରିବାରେ କିଛି କମ ନଥିଲି। ମୁଁ ତାଙ୍କୁ ଆମ ପୁରୀ ସମୁଦ୍ରର ଲହରୀ, ଜଗନ୍ନାଥ ମନ୍ଦିର ଆଉ ଆମ ପକା ଘର କଥା କହେ। ସିଏ ତାଙ୍କ ଗାଁର ଗୋପୀନାଥଙ୍କ ଗପ ମତେ କହନ୍ତି। ବେଳେ ବେଳେ ସେମାନେ ଫୂଟବଲ ଖେଳୁଥିଲେ ଗୋପୀନାଥଙ୍କ ମନ୍ଦିର ପାଖ ପଡିଆରେ। ମୁଁ ସେଇଠି ବସି କରି କଇଁ ଫୁଲ ସବୁ ଦେଖେ। ସେ ଗାଁର ଝିଅ ମଞ୍ଜୁ ବେଳେ ବେଳେ ଆସି ମୋ ସାଙ୍ଗେ ସେଠି ବସେ, ଆଉ ଆମେ ଚଟା ଖେଳୁ ଏକାଠି ହୋଇ। ଭାରି ଭଲ ଲାଗେ। ବର ଗଛ ଓହଳରେ ଆମ ପାଇଁ ମଧୁ ଭାଇବା ଦୋଳି କରି ଦେଇ ଥାଆନ୍ତି। ଖରା ଛୁଟି ଟା କେତେବେଳେ ସରିଯାଏ ଜଣା ପଡ଼େନି।
ଦିନେ ମୁଁ ଓ ମଞ୍ଜୁ ମଧୁ ଭାଇନା ଆଣୁ ଥିବା କଇଁ ଫୁଲ ଏକାଠି କଲା ବେଳେ ମୁଁ ସମ୍ଭାଳି ନପାରି ପଚାରିଲି ତୁମେ ଦୁହେଁ ଏତେ ଗୋରା କେମିତି ହେଲ? ସେତେବେଳେ ବୋଧେ ମତେ ୮ ବା ୯ ବର୍ଷ ହୋଇଥିବ, ଆମ ଜୋଇଁ ସେତେ ଗୋରା ନଥିଲେ। ନାନୀର ବି ମୋରି ଭଳି ଶ୍ୟାମଳ ରଙ୍ଗ ଥିଲା। ସେ ଦୁହେଁ (ମଧୁ ଭାଇନା ଆଉ ମଞ୍ଜୁ) ପରସ୍ପର ଆଡ଼କୁ ଅନେଇ କହିଲେ ଆମ ଗାଁ ର ପୋଖରୀ ଯୋଗୁ। ପୋଖରୀ ଯୋଗୁ? ସେଇଟା କଣ କେମିତି ମୁଁ ପଚାରିଲି ? ମଧୁ ଭାଇନା କହିଲେ ପରେ କହିବି।
ଆମେ ଗୋପୀନାଥଙ୍କ ପାଖେ ଫୁଲ ଥୋଇଦେଇ ଘରକୁ ଆସିଲୁ। ମଞ୍ଜୁ ଆଉ ମଧୁ ଭାଇନା ମୋ ସାଙ୍ଗରେ ଥିଲେ। ମୁଁ ତ ଭୁଲିବା ପିଲା ନୁହେଁ। ଯଦି କୋଉ ଜିନିଷରେ ମୁଁ ମୋ ମନ ଦିଏ ସେଇଟା ନିଶ୍ଚୟ ନକରିବା ପର୍ଯ୍ୟନ୍ତ ମୁଁ ବସି ପାରେନି । ପିଲା ଦିନଠୁ ଏପର୍ଯ୍ୟନ୍ତ ସେଇ ଅଭ୍ୟାସ ଟି ଅଛି। ପୁଣି ପଚାରିଲି କେମିତି ଗୋରା ହେବି କୁହ ମଧୁ ଭାଇନା। ତାପରେ ସିଏ କହିଲେ, ଆମର ଏଇ ଗୋପୀନାଥଙ୍କ ପୋଖରୀର ପଙ୍କ ସକାଳୁ ସକାଳୁ ଆସି ଗୋଡ଼ , ହାତ ଆଉ ମୁହଁରେ ଲଗେଇବୁ। ପର ଦିନ ତୋ ରଙ୍ଗ ମଞ୍ଜୁ ଆଉ ମୋ ପରି ହୋଇଯିବ। ଖବରଦାର କେହି ବଡ଼ ଲୋକଙ୍କୁ କହିବୁନି। କହିଲେ କଳା ହୋଇଯିବୁ। କାଂଦିବୁନି ଜମା, ଯଦି ପଙ୍କ ଲଗେଇଲା ବେଳେ କଷ୍ଟ ହେବ। କାନ୍ଦିଲେ ବି କଳା ହୋଇଯିବାର ସମ୍ଭାବନା ଅଛି। ମଞ୍ଜୁ ବି ଚୁପକିନା ଠିଆ ହୋଇ ମୁଣ୍ଡ ହଲାଇ କହିଲା ହଁ ଚନ୍ଦୁ ସେଇଆ କଲେ ଗୋରା ହୋଇ ଯିବୁ। ସେଦିନ ରାତିରେ ଶୋଇଲା ପୂର୍ବରୁ ଗୋପିନାଥଙ୍କୁ ପ୍ରଣାମ କରି କହିଲି, ପ୍ରଭୁ ମତେ ବି କାଲିଠୁ ଗୋରା ହେବାରେ ସାହାଯ୍ୟ କର। ମୁଁ ଭଲ କରି ପଙ୍କ ଲଗେଇବି।
ତା ପରଦିନ ମୁଁ ସକାଳୁ ଉଠି ଗଲି ଗୋପୀନାଥଙ୍କ ପୋଖରୀକୁ। ଚାରିଆଡ଼କୁ ଅନେଇଲି କେହି ନଥିଲେ। ପଙ୍କ ମେଞ୍ଚେ ନେଇ ଆଗ ବାଁ ହାତରେ ବୋଳିଲି। ଟିକିଏ ଅବାଗିଆ ଲାଗିଲା। ତାପରେ ବାଁ ଗୋଡ଼ , ଡାହାଣ ହାତ, ଗୋଡ଼ରେ ପଙ୍କ ବୋଳି ହେଲି। ଶେଷରେ ମୁହଁ ରେ ଭଲ କରି ପଙ୍କ ବୋଳିଲି। ସବୁଠୁ ମୁହଁଟା ବେଶୀ ଗୋରା ହଉ ବୋଲି ଭାବି ପୋଖରୀ ଭିତରକୁ ଯାଇ ବେଶୀ ଭଲ ମୋଟା ପଙ୍କ ଆଣି ମୁହଁରେ ଭଲକରି ଲଗେଇ ଦେଲି। ବୋଧେ ଛୋଟ ଗୋଡି ଥିଲା ସେ ପଙ୍କରେ। ଟିକିଏ ପୋଡିଲା ଭଳି ଲାଗିଲା। ମୋର ମନେ ପଡିଗଲା ମଧୁ ଭାଇନାଙ୍କ ତାଗିଦା, ଚନ୍ଦୁ ଜମା କାଂଦିବୁନି। କାନ୍ଦିଲେ ଯୋଉଠି ଲୁହ ପଡିବ ସେଇଠି କଳା ହୋଇ ଯିବୁ। ବଡ଼ କଷ୍ଟ୍ରରେ ଧୁଆ ଧୁଇ ହୋଇ ଘରକୁ ଆସିଲି। ନାନୀ ବ୍ୟସ୍ତ ହୋଇ ପଚାରିଲା ମୁଁ କୁଆଡ଼କୁ ସକାଳୁ , ସକାଳୁ ଯାଇଥିଲି? ସିଏତ ସେ ଗାଁ ରେ ବୋହୁ। ତେଣୁ ବାହାରକୁ ଆସିପାରୁ ନଥିଲା। କେବଳ ହଜିଗଲା ଗାଈ ଭଳି ଏପଟ, ସେପଟ ହୋଇ ବାଡି଼କୁ ଆଉ ଦାଣ୍ଡ ପଟକୁ ଦେଖୁଥିଲା। ମଧୁ ଭାଇନା ଆସିବା ଦେଖି ପଚାରିଲା ଚନ୍ଦୁ କୁ ଦେଖିଛକି? ମଧୁ ଭାଇନା ଜାଣିଛନ୍ତି ମୁଁ କୁଆଡେ ଯାଇଥିବି ସକାଳୁ। ସିଏ ବାଁରେଇ କହିଲେ ବୋଧେ ଗୋପୀନାଥଙ୍କ ପୋଖରୀ ପାଖକୁ ଯାଇଥିବ ତାକୁ କଇଁ ଫୁଲ ଭଲଲାଗେ ସକାଳୁ ସକାଳୁ ଖୋଲୁଥିବା କଇଁ ଫୁଲର ପାଖୁଡା ମେଲା ଦେଖିବ ବୋଲି।
ସେମାନେ କଥା ହେଉଥିଲେ ମୁଁ ବାଡ଼ିପଟେ ଆସି ନାନୀ ପାଖରେ ହାଜର। ନାନୀ କହିଲା ତୁ କାହିଁକି କହି କରି ଗଲୁ ନି? “ଆମେ ତତେ ଖୋଜୁଛୁ? “। ମୁଁ ସେ ସବୁ ଶୁଣି ନଶୁଣିଲା ପରି ହୋଇ ରୋଷେଇ ଘରକୁ ପଳେଇଲି। ଭୋକ କରୁଥିଲା ଆଉ ଗାଲଟାବି ଭାରି ପୋଡୁ ଥିଲା। ବୋଧେ ପଙ୍କରେ ବହୁତ ଛୋଟ ଗୋଡି ଥିଲା। ନାନୀକୁ କିଛି କହିଲିନି କାଳେ କଳା ହୋଇଯିବି କହିଲେ ?ମଧ୍ଜୁ ଭାଇନା ମତେ ଅନେଇ ଟିକିଏ ହସୁଥିଲେ ବୋଧେ ?
ତାପରଦିନ ସକାଳୁ ଉଠି ନାନୀ ଘରେ ଥିବା ଛୋଟିଆ ଦର୍ପଣଟି ରେ ମୁହଁକୁ ବାରମ୍ବାର ଦେଖିଲି। ବାଁ ପଟ ଡାହାଣ ପଟ ସବୁ ଦେଖିଲି। କିଛି ଗୋରା ହେବାର ଜଣା ପଡ଼ିଲାଣି। ଫ୍ରକକୁ ଟେକି ଗୋଡ଼ ଆଉ ହାତର ସମୀକ୍ଷା କଲି। କିଛି ବଦଳି ଥିବା ଦେଖିଲିନି। ନାନୀ ପଚାରୁଥିଲା କଣ ହେଲା ? ସେପଟେ ମଧୁ ଭାଇନା ମୁରକି ମୁରକି ହସୁ ଥିଲେ। ନାନୀର ଦିଅର ଥିଲେତ। ମତେ ଥଟାରେ ଏସବୁ କହିଛନ୍ତି ବୋଲି ମୁଁ ବୁଝିଲି। ଭାବିଲି ଦଉଡି ଦଉଡି ଯାଇ କହିବି ମିଛୁଆ? କିନ୍ତୁ ଚୁପ ରହିଲି କାଳେ ପରେ ଗୋରା ହେବିନି ବୋଲି।
ପରେ ମୁଁ ସେଇ ଗାଁ ର ବୋହୁ ହେଲି। ନାନୀ ର ଦିଅର ସୁଧାଂଶୁଙ୍କୁ ବାହା ହୋଇ। ସୁଧାଂଶୁ ତାଙ୍କ ଗାଁ ଲୋକଙ୍କ ପରି ଭାରି ଗୋରା ଥିଲେ। ଗୋପୀନାଥଙ୍କ ଅଗଣା ଆଉ ପୋଖରୀ ଦେଇ ମୁଁ କେତେଥର ଯାଇଛି ଗାଁକୁ । ସବୁବେଳେ ପୋଖରୀ ପଙ୍କ ଆଉ ମୋର ଗୋରା ହେବା କଥା ମନେପଡେ। ମଧୁ ଭାଇନା ବହୁତ ଦିନ ହେଲା ଚାଲି ଗଲେଣି ଏ ସଂସାର ଛାଡି। ମୋର ବି ଆଉ ଗୋରା ହେବା ପାଇଁ ଇଛା ନାହିଁ। ତେବେ ପୁରବୀର ମେସେଜଟା ଦେଖି ଭାବିଲି ଏଇ କଥାଟି ଗପ ଭାବେ ଲେଖିଲେ କେମିତି ହବ?।
ଏବେ ମୁଁ ସେଭଳି ସରଳ ନାହିଁ। ବହୁତ ଦିନ ହେଲା ବାହାରେ ରହି ମୋର ଓଡ଼ିଆ , ଓଡ଼ିଶାରେ ହେଉଥିବା ଚାଲି, ଚଳନ ବଦଳି ଗଲାଣି। ଚାହିଁଲେ ବି ଠିକ ଭାବେ ଲେଖି ପାରୁନି ମୋର ଭାବନା ଗୁଡିକ। ତେବେ ଚାଲିଲା ବେଳେ ମନେ ପଡେ ଆଉ ଭାବେ ନାନୀ ମତେ ଓଲଟ ଚକୁଳି ଖୁଆଇ ଛାଡ଼ିଲାନି। ସେଥିପାଇଁ ଥରେ ଗାଁ ଛାଡିଲା ପରେ ଇଛା ଥିଲେବି ମୁଁ ସବୁ ବେଳେ ବାହାରେ ରହିଲି। ଏବେତ ମୋ ପିଲା ମାନେ ଏଠି ରହିଲେ। ତେଣୁ ଫେରି ଯିବାର ପ୍ରଶ୍ନ ନାହିଁ। ଆମେ ଗଲେ ସେମାନେ ମୋ ପରି ଏକୁଟିଆ ହୋଇଯିବେ। ମୋରି ପରି ସେମାନେ ବି ଏକୁଟିଆ ବାହାରେ ଜୀବନ କାଟିବେ। ସୁବିଧା ଅସୁବିଧାରେ ଏକା ହୋଇ ରହିବେ। ଆଶା ସମସ୍ତେ ପଢି କେମିତି ଲାଗିଲା ବୋଲି କହିବେ।
ଲେଖିକା: ଚନ୍ଦ୍ରା ମିଶ୍ର GFPSP ଗାର୍ଲ ଫ୍ରମ ପଥୁରିଆ ସହି ପୁରୀ
—