💕ମୋ ସ୍ମୃତିରୁ କଥାଟିଏ: ଆମେରିକାରେ ପିଲାଙ୍କ ପାଇଁ ପ୍ରଥମ ଶୀତ ଜ୍ୟାକେଟ କିଣାର ଅନୁଭୂତି 💕

ଚିକାଗୋ ସହରରେ ଆମେ ସେପ୍ଟମ୍ବର ମାସରେ ପହଂଚିଲୁ l ପହଁଚିବାର ଦଶ , ପନ୍ଦର ଦିନ ଭିତରେ ସେଠି ଥଣ୍ଡା ପଡିବା ଆରମ୍ଭ ହୋଇଥିଲା l ମୋର ପୁରୀ ଆଉ ମୁମ୍ବାଇରେ ରହିଵା ଅଭ୍ୟାସ ଥିଲା l ଅତି ବେଶୀରେ ସେଠି ଖଣ୍ଡିଏ ସ୍ବେଟର ବା ଶାଲ ଟିଏ ହେଲେ ଶୀତ ଦିନ କଟିଯାଏ l ତେଣୁ ଜ୍ୟାକେଟ ବା ଅନ୍ୟ ଶୀତ ଦିନରେ ଦରକାର ପୋଷାକ ବିଷୟରେ ମୋର ଜ୍ଞାନ ବହୁତ କମ୍ ଥିଲା l ମୁଁ ପିଲାଙ୍କର ନାଁ ପାଖରେ ଥିବା ସ୍କୁଲ୍ ରେ ଲେଖେଇ ଦେଲି l କାବା ହେଲି ଏଠି ପିଲାଙ୍କୁ ସ୍କୁଲ୍ ରେ ଆଡମିଟ୍ କରାଇବା ପାଇଁ କିଛି ଅସୁବିଧା ହେଲାନି l କେବଳ ଘର ଠିକଣା ଆଉ ଯେ କୌଣସି ଘରର ବିଲ୍ ଦେଖେଇଦେଲେ ଆରାମରେ ପିଲାମାନେ ସ୍କୁଲରେ ଭର୍ତି ହୋଇଯାଆନ୍ତି l ମୋର ମନେ ଥିଲା ମୁମ୍ବଇରେ ମୋର ଝିଅର ଆଡ଼ମିସନ୍ କରିବା ପାଇଁ ମୁଁ ରାତି ଚାରି ଟାରୁ ଉଠି ଲାଇନ୍ ରେ ଛିଡା ହୋଇ ଥିଲି l ତେବେବି ମୋର ନମ୍ବର ସତୁରି ଥିଲା l ଇଂରାଜୀ ମିଡ଼ିଅମର ଭଲ ସ୍କୁଲ ବୋଲି ଜଣେ ଶିକ୍ଷୟତ୍ରୀ ଙ୍କୁ ଥରକୁ ଥର ଅନୁରୋଧ କରିଥିଲି ଟିକିଏ କହିବାକୁ ପ୍ରିନସିପାଲଙ୍କୁ l ଯା ହେଉ ଚିକାଗୋରେ ଆଡିମିଶନ୍ ଭଲରେ ହୋଇ ଗଲା ଆଉ ପିଲା ଦୁହେଁ ସ୍କୁଲ ଯିବା ଆରମ୍ଭ କଲେ l ଶୀତ ଆସିବ ବୋଲି ଏଠି ସବୁବେଳେ ଟି .ଭି ଆଉ ରେଡ଼ିଓ ରେ ବାରମ୍ବାର ଟେମ୍ପରେଚର୍ ଜିରୋ ପର୍ଯ୍ୟନ୍ତ କମିବ, ସ୍ନୋ ପଡିବ ବୋଲି ଆନଉନ୍ସ ହେଉଥିଲା l

ଥଣ୍ଡା ଯୋଗୁ ସବୁ ପିଲା ମାନେ ଜ୍ୟାକେଟ୍ ପିନ୍ଧି ସ୍କୁଲ ଯିବା ଆରମ୍ଭ କରିଥିଲେ l ମୋ ପିଲାଙ୍କ ପାଇଁ ମୁଁ ସ୍ବେଟର୍ ଆଣିଥିଲି ଆଉ କିଛି ଗରମ ପୋଷାକ ଏଠାରୁ କିଣି ଥିଲି l ଜ୍ୟାକେଟ୍ ବିଷୟରେ ମୋର କୌଣସି ପ୍ରକାର ଅନୁଭୂତି ନଥିଲା lପିଲାମାନଙ୍କର ଥଣ୍ଡାରେ ଚାଲି ସ୍କୁଲ ଯିବାର ଅସୁବିଧା ଦେଖି ମୁଁ ଭାବିଲି ଯାହା ହେଉ ପଛେ ଦୁଇ ପିଲାଙ୍କ ପାଇଁ ଯୋଡ଼େ ଜ୍ୟାକେଟ୍ କିଣି ଆଣିବି ଶୀଘ୍ର l

ସୁଧାଂଶୁ କାମରେ ବହୁତ ବ୍ୟସ୍ତ ରହୁଥିଲେ l ନୂଆ ଦେଶ ଆଉ ନୂଆ କାମ ଯୋଗୁ ଛୁଟି ଦିନରେ କେବେ କେବେ କାମକୁ ଯିବାକୁ ହେଉଥିଲା l ତେଣୁ ରବିବାର ଦିନ ଆମେ ମଲ୍ କୁ ଯିବାକୁ ଠିକ କରିଥିଲୁ l ଦିନେ ପିଲାମାନେ ସ୍କୁଲରେ ଥିଲା ବେଳେ ଆମ ପଡିଶା ଘରରେ ରହୁଥିବା ଭଦ୍ର ମହିଳା ଯାହାଙ୍କ ନାଁ ମାର୍ଗାରେଟ୍ ଥିଲା ମତେ ପଚାରିଲେ ମୁଁ ମଲ୍ ତାଙ୍କ ସାଙ୍ଗେ ଚାହିଁଲେ ଯାଇ ପରେ l ତାଙ୍କର କଣ ଜିନିଷ ମଲ୍ ରୁ ଆଣିବାର ଥିଲା l ତାଙ୍କ କଥା ଶୁଣି ମୁଁ ଭାରି ଖୁସି ହୋଇ ଯାଇ ଥିଲି l ତାଙ୍କ ସଂଗେ ଯାଇ ମଲ୍ ରୁ ଜ୍ୟାକେଟ୍ ପିଲାଙ୍କ ପାଇଁ ଆଣିବାକୁ ଠିକ କଲି l ମନେ ମାନେ ଭାବିଲି :

ମଳୁ ଖୋଜୁ ଥିଲା କାକର ପାଣି

ବଇଦ କହିଲା ଦିଅ ତୋରାଣି l

ଆମେ ଦୁହେଁ ପାଖରେ ଥିବା ଗୋଟିଏ ବଡ଼ ମଲ୍ କୁ ଯାଇ ସେଠି ସିଅରଶ୍ ଦୋକାନରେ ପହଁଚିଲୁ l ସେଇ ଦୋକାନରେ ସବୁ ପ୍ରକାର ଲୁଗା ପିଲାଠାରୁ ଆରମ୍ଭ କରି ବଡ଼ ମାନଙ୍କ ପାଇଁ ମିଳେ l ବିଭିନ୍ନ ବିଭାଗରେ ଡ୍ରେସ, ଶାର୍ଟ, ଜ୍ୟାକେଟ , ଟୋପି ଇତ୍ୟାଦି ଜିନିଷ ସୁନ୍ଦର ଭାବେ ସଜଡା ହୋଇ ଥୁଆ ହୋଇ ଥିଲା l ମାର୍ଗାରେଟ ମତେ ସେଠି ଛାଡି ତାଙ୍କ କାମରେ ଅନ୍ୟ ଦୋକାନକୁ ଗଲେ l ମୂଁ ଏତେ ପ୍ରକାର ପିନ୍ଧିବା ପୋଷାକ ବିଶେଷକରି ଶୀତ ଦିନର ଲୁଗା କେବେ ଦେଖି ନଥିଲି l ଖୋଜି ଖୋଜି ଶେଷରେ ପିଲାଙ୍କ ବିଭାଗକୁ ଯାଇ ଯୋଉଠି ଜ୍ୟାକେଟ୍ ଥିଲା ସେଠି ପହଂଚିଲି l କେତେ ଜ୍ୟାକେଟ୍ ଦେଖିଲା ପରେ ମୋ ଆଖି ପଡିଲା ଗୋଟିଏ ନାଲି ମୋଟା ନାଇଲନର ହୁଡ୍ ଥିବା ସୁନ୍ଦର ଜ୍ୟାକେଟ ଉପରେ l ସେଇଟା ସେଲ୍ ରେ ଥିଲା l ମୋ ପୁଅର ସାଇଜ଼ର ଜ୍ୟାକେଟ୍ ଟିଏ ଧରି ପଇସା ଦେବାକୁ କାଉଣ୍ଟର ପାଖକୁ ଆସିଲି l ପଇସା ଦେଲା ବେଳେ କ୍ୟାସିଅର କହିଲେ ଏଇ ଜ୍ୟାକେଟ୍ ପରି ଆଉ ଗୋଟିଏ ଜ୍ୟାକେଟ୍ କିଣିଲେ ଅଧା ପଇସାରେ ସେ ଜ୍ୟାକେଟ୍ ଟି ମିଳିବ l ଆଜିର ସେଇଟା ସ୍ପେସିଆଲ ସେଲ୍ l ଅଧା ପଇସା ଶୁଣି ମୁଁ ଖୁସି ହୋଇ ଗଲି l

ମୁଁ ସେତେବେଳେ ଝିଅ ଆଉ ପୁଅ ପିଲାଙ୍କ ଜ୍ୟାକେଟ୍ ଅଲଗା ରଙ୍ଗ ହୁଏ ବୋଲି ଜାଣି ନଥିଲି l ଭାବିଲି ଜ୍ୱାକେଟ୍ ରେ ଭଲ ପକେଟ ଅଛି l ପିଲା ମାନେ ଗ୍ଳୋବ୍ସ ରଖି ପାରିବେ ପକେଟ୍ ରେ l ହୁଡ୍ ଥିବା ଦ୍ୱାରା ପବନ ହେଲେ ମୁଣ୍ଡରେ ଥଣ୍ଡା ପବନ ପଶିବନି l ତାପରେ ଭଲ ଶସ୍ତା ବି ଯେ ହେତୁ ଦୁଇଟି ଜ୍ୟାକେଟ କିଣିବି l ମୁଁ ଫେରିଯାଇ ଝିଅ ପାଇଁ ଆଉ ଗୋଟିଏ ନାଲି ଜ୍ୟାକେଟ୍ ତାର ମାପ ହିସାବରେ କିଣିଲି l ପର ଦିନ ଦୁହେଁ ଜ୍ୟାକେଟ ପିନ୍ଧି ସ୍କୁଲ ଗଲେ l ମୁଁ ଖୁସି ହେଲି ଯେ ଯା ହେଉ ପିଲାମାନେ ଥଣ୍ଡାରୁ ଟିକିଏ ମୁକ୍ତି ପାଇବେ ସ୍କୁଲ କୁ ଚାଲି ଗଲା ବେଳେ l କିଛି ଦିନ ପରେ ଦେଖିଲି ମୋ ଝିଅ ସେ ଜ୍ୟାକେଟ୍ ପିନ୍ଧି ସ୍କୁଲ ଯିବାକୁ ଜମା ଚାହିଁଲାନି l କଥା କଣ ବୋଲି ମୁଁ ବୁଝି ପାରିଲିନି l ତାପରେ ମାର୍ଗାରେଟ୍ ଙ୍କୁ ପଚାରିଲି l ପ୍ରାୟ ତାଙ୍କୁ କିଛି କଥା ପଚାରି ଜାଣେ ସେତେବେଳେ l ସିଏ ଭାରି ଭଲ ଲୋକ ଥିଲେ l ତାଙ୍କର ଝିଅ ଆଉ ପୁଅ ଥିଲେ l ମତେ ରୋଷେଇ ଘର କୁ ଡାକି ନେଇ କହିଲେ ଏଇଟା ପୁଅ ପିଲାଙ୍କ ଜ୍ୟାକେଟ୍ l ଆଉ ରଙ୍ଗ ଟା ବି ନାଲି l ପିଲା ମାନେ କଣ କହିଥିବେ l ସେଥିପାଇଁ ତୁମ ଝିଅ ରାଜି ହେଉନି ଏଇ ଜ୍ୟାକେଟ ଟି ପିନ୍ଧିବାକୁ l

ମନେ ମନେ ଭାବିଲି ମାର୍ଗାରେଟ ସାଙ୍ଗରେ ଥିଲେ l ପଚାରି ହେଲେ ଦେଇ ଥାଆନ୍ତି ? ପୁଣି ରବିବାର ଦିନ ଯାଇ ଝିଅ ପାଇଁ ଆଉ ଗୋଟିଏ ଜ୍ୟାକେଟ ଗାର୍ଲସ୍ ବିଭାଗରୁ କିଣିଲୁ l ଏମିତି କେତେ ଭୁଲ ପ୍ରଥମେ, ପ୍ରଥମେ କରିଥିଲି l ଏବେ ପିଲାମାନେ ୱେବ ଦ୍ୱାରା ବହୁତ କଥା ଆଗରୁ ଜାଣୁଛନ୍ତି l ଆମ ମାନଙ୍କ ପରି ଭୁଲ କରି ଶିଖିବା କରୁନାହାନ୍ତି l କେବଳ ରବିବାର ଖବର କାଗଜ ବାହାରୁ ଆଣିଲା ବେଳେ ମୋ ଝିଅ ତାର ସେ ନାଲି ଜ୍ୟାକେଟ ପିନ୍ଧେ l ଆଜି ସେ କଥା ମନେ ପଡିଗଲା l ଭାବିଲି କିଛି ଧାଡି ଲେଖିଦେବି l

💕ଯୁମ୍ ମାଧ୍ୟମରେ ପ୍ରଥମ ଦର୍ଶନର ଅନୁଭୂତି ପ୍ରଭୁଙ୍କ ସଂଗେ : 💕

ଯେବେଠାରୁ କୋଭିଡ୍ ମହାମାରୀ ସାରା ପୃଥିବୀରେ ଛାଇ ଗଲାଣି ସମସ୍ତେ ବାହାରକୁ ଯିବା ବହୁତ କମ କରିଦେଲେଣି l ସବୁ ଜିନିଷ ଆମାଜ଼ାନ୍ ଦ୍ୱାରା କିଣା ଯାଉଛି l ମିଟିଂ , ପଢା, ବାହାଘର , ଜନ୍ମଦିନ ସବୁ ପାଇଁ ଯୁମ୍ ର ବ୍ୟବସ୍ଥା ହୋଇଛି l ଆମର ଏଠି ମନ୍ଦିର, ଚର୍ଚ୍ଚ , ମସଜିଦ୍ ସବୁଥିରେ ପ୍ରଭୁ, ଜିସସ୍ ଆଉ ଆଲ୍ହା ଙ୍କୁ ଯୁମ୍ ରେ ପୂଜା କରା ଯାଉଛି l କାନାଡା ରୁ ମୋ ସାଙ୍ଗ ସୁମିତ୍ରା ପ୍ରାୟ ମତେ କହି ଦିଏ କେବେ କଣ ଓଡ଼ିଆ ପ୍ରୋଗ୍ରାମ କୋଉଠି ହେବ ବୋଲି l ତାକୁ ପ୍ରାୟ ଆମ ଓଡ଼ିଆ ସମାଜରେ ହେଉଥିବା ସବୁ ଖବର ଜଣl ଥାଏ l ମଝିରେ ମଝିରେ ମତେ ଫୋନ କରି କୋଉଠି କେବେ କଣ ହେଲା ବା ହେବ ସବୁ କହି ଦିଏ l ଆଗ କାଳ ହୋଇଥିଲେ ସିଏ ଅଲଇଣ୍ଡିଆ ରେଡ଼ିଓ ର ଆନଉସ୍ ର କୁ ଟପି ଦେଇ ଥାଆନ୍ତା ସମ୍ବାଦ ଲୋକଙ୍କ ପାଖେ ପହଁଚେଇବାରେ l

କିଛି ମାସ ତଳେ ପ୍ରଥମ କରି ଆମ ଓଡ଼ିଆ ସମାଜରେ ଯୁମ୍ ରେ ପୁରୀର ଗଜପତି ମହାରାଜା ଆଉ ବିଶିଷ୍ଟ କବି ମାନଙ୍କୁ ନେଇ ଗୋଟିଏ ପ୍ରୋଗ୍ରାମ ହେବାର ଆୟୋଜନ ହୋଇଥିଲା l ସେତେବେଳେ ମୋର କମ୍ପୁଟର ରେ ମୁଁ ଯୁମ୍ ଆପ ଲଗେଇ ନଥିଲି l ସୁମିତ୍ରା ଦିନ ଦୁଇଟା ବେଳେ ଫୋନ ରେ କହିଲା , ଚନ୍ଦ୍ରା କାଲି ସକାଳ ନଅଟା ବେଳେ ଭଲ ପ୍ରୋଗାମ୍ ପ୍ରଭୁଙ୍କ ଦ୍ୱାରା ହେବାର ଆୟୋଜନ ହୋଇଛି l “ତୁ ନିଶ୍ଚୟ ଚେଷ୍ଟା କରିବୁ ଯୋଗ ଦେବାକୁ ” l ମୁଁ କହିଲି ସୁମିତ୍ରା ମୋର ଯୁମ୍ ଆପ ନାହିଁ l ତେବେ ଚେଷ୍ଟା କରିବି l

ଫୋନ୍ ରଖିଲା ପରେ ମୋ ସାନ ପୁଅକୁ ଫୋନ୍ ରେ କହିଲି ଆଜି ଯେ କୌଣସି ମତେ ମୋ କମ୍ପୁଟରରେ ଯୁମ୍ ତତେ ଲଗାଇବାକୁ ହେବ l ଜାଣିଛୁ, ପ୍ରଭୁ ଯୁମ୍ ରେ ଆସିବେ ଆମ ସଂଗେ କଥା ବାର୍ତା କରିବାକୁ l

ବ୍ୟସ୍ତ ଥିଲେ ମଧ୍ୟ ବିଚରା ଦରଦ ଦେଖେଇ ମୋ ପୁଅ ସଞ୍ଜୟ ମୋ ସଂଗେ ଫୋନ ଦ୍ୱାରା କଥା ହୋଇ ଯୁମ୍ ଆପ ଟି ଲଗେଇ ଦେଲା ରିମୋଟରୁ l ଆଉ ସରଳ ଅନୁଦେଶ ଦେଇ ଲେଖି ପଠେଇ ଦେଲା କେମିତି ମିଟିଂ ରେ ଭାଗ ନେବାକୁ ହେବ l ମୁଁ ଭାରି ଖୁସି ହେଲି ଭାବି କରି ଯେ ପରଦିନ ସକାଳୁ ବସି ଯିବି ପ୍ରଭୁଙ୍କ କଥା ଶୁଣିବାକୁ l

ମୁଁ ସକାଳୁ ଗାଧୋଇବା ଅଭ୍ୟାସ ଛାଡିଦେଇଛି l ଟିକିଏ ପରେ ଗାଧାଏ କାମ ସାରି l କିନ୍ତୁ ସେଦିନ ସକାଳୁ ଉଠି ଭଲ କରି ସାନୁନ ଲଗେଇ ଗାଧୋଇ ପଡିଲି l ମୁଣ୍ଡ ସାମ୍ପୁ ଲଗେଇ ଧୋଇ ଦେଲି l ଦିନ ନଟାରେ ଆମର ମିଟିଂ ଥିଲା l ଜଳଖିଆ ଖାଇ ସେଦିନ ମୋର ଧଳା ସୀଲ୍କ ଶାଢ଼ୀ ଯୋଉଥିରେ ନାଲି ବର୍ଡର ଅଛି ସେଇଟା ନାଲି ବ୍ଲାଉସ ସଂଗେ ପିନ୍ଧି ପକେଇଲି l କପାଳରେ ନାଲି ଟିପା ଲଗେଇବା ଦେଖି ସୁଧାଂଶୁ କହିଲେ କଥା କଣ ? କୁଆଡେ ଯିବl କୁ ବାହାରିଲ ? ମୁଁ ମୁହଁ ବୁଲେଇ ମୁଣ୍ଡ କୁଣ୍ଡେଇ ବାଳରେ କ୍ଲିପ ଲଗାଇ କହିଲି ଜାଣିଛ, ଆଜି ଯୁମ୍ ରେ ପ୍ରଭୁ ଆସିବେ l ମୁଁ ଘରେ ରେ ବସି ତାଙ୍କୁ ଦେଖିବି ଆଉ ତାଙ୍କ ଦ୍ୱାରା ହେବା ଚର୍ଚା ବି ଶୁଣିବି l ତୁମେ ତ ଏସବୁ ଚର୍ଚାରେ ଭାଗ ନିଅନି, ତେଣୁ କହିନି ତୁମକୁ !

ପଚାରିଲି ଯଦି ବସିବ ଯୁମ୍ ରେ ତାହେଲେ ଗାଧୋଇ ପଡ଼ l ସଞ୍ଜୟ ମୋର ଯୁମ୍ ଆପ ଲଗେଇ ସବୁ ଠିକ କରି ଦେଇଛି l ସୁଧାଂଶୁ କହିଲେ ନାଁ ବାବା, ତୁ ଯୁମ୍ ରେ ବସି ସବୁ ଯାଣି ଯା l ମୁଁ ମନେ, ମନେ ଗୁଣୁ ଗୁଣୁ ହୋଇ କହିଲି କେବେ ତୁମେ ବସିନ , ଆଜି କାହିଁକି ନୂଆ ଆରମ୍ଭ କରିବ l ମୋର ଗୋଟେ ଭାରି ଖରାପ ଅଭ୍ୟାସ ଅଛି l ସବୁ କାମ ମୁଁ ବହୁତ ତର ,ତର ରେ କରେ l ରିଭାଇଜ୍ କରିବାକୁ ମୁଁ ବିଲକୁଲ ଭଲ ପାଏନି l ତେଣୁ ଅନେକ ସମୟରେ ଜରୁରି କଥା ଦେଖି ନଥାଏ ବା ଜାଣି ନଥାଏ l ଭୁଲ ବି ବହୁତ ହୁଏ l

ସୁମିତ୍ରା କୁ ପଚାରିନି ପ୍ରଭୁ କିଏ ବୋଲି l ଠିକ ସମୟରେ କମ୍ପୁଟର ମୁଁ ଅନ୍ କଲି l ସବୁ ଠିକ ରେ ଆସିଲା l ମନେ, ମନେ ଭାବିଲି ଯା ହେଉ ଭଗବାନ ଦୟା କଲେ ଆଉ ସଞ୍ଜୟ ବି ଠିକ କରି ଅନୁଦେଶ ଦେଇଛି l କେତେ ଲୋକଙ୍କର ଅସୁବିଧା ହେଉଥିଲା ଯୋଗ ଦେବାରେ l ମୁଁ ନିଜକୁ ପ୍ରଶଂସା କରି ବସିଲି ପାଣି ଗିଲାସେ ଧରି l କିଛି ସମୟ ପରେ ବକ୍ତା ମାନେ ଆସି ବିଭିନ୍ନ ବିଷୟରେ କହିଲେ l ଗୋଷ୍ଠୀ ମୋଡରେଟର୍ ପ୍ରଶାନ୍ତ ଭୁଇଆଁ ସମୟ ଦେଖି ବକ୍ତା ମାନଙ୍କୁ ଆଣୁ ଥାଆନ୍ତି ଆଉ ସମୟ ହେଇଗଲା ବୋଲି କହୁ ଥାଆନ୍ତି l ସିଏ ସମସ୍ତଙ୍କର ଉପକ୍ରମ କରାଇ ତାଙ୍କ ବିଷୟରେ କିଛି କହୁ ଥାଆନ୍ତି l ପୁରୀ ରାଜା ଗଜପତି ମହାରାଜା ଆସିଲେ ଆଉ ପୁରୀ ବିଷୟରେ କହିଲେ l ଦିନ ବାର୍ ଟା ବାଜିବାକୁ ହେଲା l ମନେ ମନେ ଭାବିଲି କାଇଁ କେହି ପ୍ରଭୁ ତ ଗେରୁଆ ବସ୍ତ୍ର ପିନ୍ଧି ଆସି କିଛି କଥା କହିଲେନି l ଶେଷକୁ ଜଣେ କହିଲେ ପ୍ରଭୁ, ଧନ୍ୟବାଦ ଆପଙ୍କର ଏଇ ସାହାଯ୍ୟ ପାଇଁ l ମୁଁ ଦେଖିଲି ପ୍ରଶାନ୍ତ ଭୁଇଁଆ ଉତ୍ତର ଦେଇ କହିଲେ ସବୁ ସେଇ କାଳିଆଙ୍କର କୃପା l ମୁଁ ଭାବିଲି ତାହେଲେ ଇଏ ପ୍ରଭୁ?

ମୁଁ ହଠାତ ନୀରବତା ବଟନ୍ କୁ ଦବାଇ କହିବାକୁ ଅନୁମତି ମାଗିଲି ଆଉ କହିଲି ଆପଣ ପ୍ରଭୁ ? ସିଏ ହସି କରି କହିଲେ ହଁ ଲୋକ ମାନେ ମତେ ପ୍ରଭୁ ବୋଲି ଡାକନ୍ତି l ମୁଁ ସମ୍ଭାଳି ନପାରି କହିଲି ଆଂଜ୍ଞା , ମୁଁ ପୁରୀର ଲୋକ l ଭାବିଲି ପ୍ରଭୁ ବୋଲି କିଏ ଜଣେ ବାବା ଆସିବେ l ସେଥି ପାଇଁ ସକାଳୁ ଗାଧୋଇ, କେବଳ ସୁଜି ଟିକିଏ ଖାଇ ଅନେଇଛି l ସେଦିନର କଥା ସେତିକିରେ ସରିଲା l ତାପରେ ପ୍ରଶାନ୍ତ ଙ୍କୁ ଅନେକ ଥର ଯୁମ୍ ରେ ଭେଟିଲି ବିଭିନ୍ନ ମିଟିଂରେ l ମନେ ମନେ ବୁହେ ହସେ ତାଙ୍କ ସଙ୍ଗେ ମୋର ପ୍ରଥମ ଦେଖା ବିଷୟରେ ଭାବି l କେତେବେଳେ କଣ କମ୍ପୁଟର କାମ ଦରକାର ହେଲେ ପ୍ରଭୁ ସବୁବେଳେ ମତେ ସାହାଯ୍ୟ କରନ୍ତି ନିଜର ଯେତେ କାମ ଥିଲେ ବି l ତେଣୁ ସତରେ ପ୍ରଭୁ ନହେଲେବେ ପ୍ରଶାନ୍ତ ବେଳେ, ବେଳେ ମତେ ପ୍ରଭୁଙ୍କ ପରି ସାହାଯ୍ୟ କରିଛନ୍ତି l ବଡ଼ ଭଉଣୀ ଭଳି ମର୍ଯ୍ୟାଦା ଓ ସ୍ନେହ ଦେଇଛନ୍ତି lତେବେ ଭାବିଲି ଆଜି ଆମ ପ୍ରଭୁ (ପ୍ରଶାନ୍ତ ଭୁଇଁଆ) ଙ୍କ ବିଷୟରେ ମୋର ଅନୁଭୂତି ଲେଖିବି l ଆଶା ଆପଣମାନେ ତାଙ୍କ କଥା ଶୁଣି ଖୁସି ହେବେ l

ଲେଖିକା : ଚନ୍ଦ୍ରା ମିଶ୍ର (GFPSP) ଗାର୍ଲ ଫର୍ମ ପଥୁରିଆ ସlହି ପୁରୀ

💕ମୋ ସ୍ମୃତିରୁ ରୁ କଥାଟିଏ: ମୁମ୍ବଇରେ ଆମ ଦାଣ୍ଡ ଦୁଆରେ ଲାଗିଥିବା ନେମ୍ ପ୍ଲେଟ୍ ର ସ୍ମୃତି (ଡାକ୍ତର ନୁହଁ ଡ଼କ୍ଟର)💕

ଗତ ସପ୍ତାହରେ ଲେଖିଥିବା ଗପରେ କମେଣ୍ଟ ଦେଖିଲି “ଇଣ୍ଟ୍ରେଷ୍ଟିଙ୍ଗ୍ କାହାଣୀ। ଆପଣଙ୍କ କାହାଣୀ କହିବାର ଢଙ୍ଗଟି ଆକର୍ଷଣୀୟ। ପଢିବା ଲୋକକୁ କାବୁ କରି ରଖିପାରନ୍ତି।” ଏଇ କଥା କମେଣ୍ଟ ରେ ଦେଖିଲା ପରେ ଭାବିଲି ମୋ ମନରେ ଆଉ କେତେ ଅନୁଭୁତିର ଗପ ସାଇତି ରଖିଚି l ସବୁ ଧରେ ଧୀରେ ଲେଖିବି l କିନ୍ତୁ ତର ତର କରି ପୋଷ୍ଟ କରିବିନି l ପାଞ୍ଚ ଥର ରିଭାଇଜ୍ କରିବି ବୋଲି ନିଜକୁ ନିଜେ କହିଲି, ତାହେଲେ ଗୁଡ଼ାଏ ଭୁଲ ହେବନି!!! ଦେଖିବା ମୋର ଯୋଉ ତୁର , ତୁର ପିଲାଳିଆ ଅଭ୍ୟାସ, ସେଥିରେ ରହି ପାରିଲେତ ?

ମୁମ୍ବଇରେ କିଛିଦିନ ରହିଲା ପରେ ମୁଁ ସେଠି ଚଳ, ପ୍ରଚଳ ହେଵା ପାଇଁ ଭଲରେ ଶିଖିଗଲି l ନାଲି ବେଷ୍ଟ ବସ୍ ରେ ଜଲ୍ଦି କରି ଚଢି ଆଗକୁ ଠେଲି ପେଲି ଦେଇ ବସ୍ ରେ ବସିବା ଶିଖିଗଲି l ଟ୍ରେନ୍ ରେ ଥାର୍ଡ଼ କ୍ଲାସ୍ ର ଭିଡ଼ ଭିତରେ ବସି ଗାନ୍ଧୀ ମାର୍କେଟ ରୁ ନିଜ ପାଇଁ ସାଲ୍ୱୱାର , କମିଜ୍ କିଣି ପାରିବାରେ ଧୁରନ୍ଧର ହୋଇଗଲି ବୋଲି ଖୁସି ଥିଲି l ଆଉ ଅନିତା ବା ପିଙ୍କି ର ସାହାଯ୍ୟ ଦରକାର କରୁ ନଥିଲି l ଧୀରେ ଧୀରେ ମରାଠୀ ଆଉ ପଂଜାବୀ ରେ କିଛି ସାଧାରଣ ଶବ୍ଦ କହିବାକୁ ଆରମ୍ଭ କଲି ସ୍ଥାନୀୟ ଲୋକମାନଙ୍କ ସଂଗେ ଚଳିବାକୁ ସୁବିଧା ହେବ ବୋଲି l

ମୁମ୍ବଇରେ ଗଣେଶ ପୂଜା ସବୁଠାରୁ ବେଶି ଯାକ ଯମକରେ ହୁଏ l ଆମ ପୁରୀରେ ବି ଗଣେଶ ପୂଜା ହେଉଥିଲା କିନ୍ତୁ ମୁମ୍ବାଇର ଗଣପତି ପୂଜା ରେ ଆଉ ଗୋଟାଏ ପ୍ରକାର ମହକ, ଜଲସା ଥିଲା l ସାତ ଦିନ ଧରି ଏଠି ଗଣେଶଙ୍କୁ ପୂଜା ହୁଏ l କମ୍ପାନୀରେ ସବୁ କର୍ମଚାରୀ ମାନଙ୍କୁ ମିଠାଇ ଆଉ ଉପହାର ମିଳେ l ପ୍ରଥମ କରି ଏସବୁ ଦେଖି ମୁଁ ଭାରି ଖୁସି ହୋଇଥିଲି l ଆମ ପଡିଶା ଘରେ ରହୁ ଥିବା ମରାଠି ଲୋକ ମିଶେଶ୍ ଯୋଶୀ ଙ୍କ ଠାରୁ ଗଣେଶଙ୍କ ପୂଜା ପାଇଁ ମରାଠୀ ମାନଙ୍କ ପରି ମୋଦକ ତିଆରି କରିବା ଶିଖିଲି l ରାତିରେ ମରାଠି ନାଟକ ଦେଖିବାକୁ ତାଙ୍କ ସଂଗେ ଯିବାର ମଜା ଏବିଡି ମନେ ପଡିଗଲେ ମନ ପୁରୁଣା ଜାଗାକୁ ଉଡ଼ିଯାଏ l ଗଣେଶ ପୂଜା ବେଳେ ଦିନେ ସନ୍ଧ୍ୟାରେ ସୁଧାଂଶୁ ଫେରିଲା ବେଳେ ଦେଖିଲି ଗୋଟିଏ ସୁନ୍ଦର ବ୍ୟାଗରେ ପ୍ୟାକେଟ୍ ଟେ ଆଣି ମତେ ଦେଲେ, ଆଉ କହିଲେ ସେଇଟା ତାଙ୍କ କମ୍ପାନୀରେ ତାଙ୍କୁ ଗଣେଶ ପୂଜା ପାଇଁ ଦିଆ ଯାଇଛି l ମୁଁ ସଂଗେ ସଂଗେ କାଗଜକୁ ସାଵଧାନରେ କାଢି ଦେଖିଲି ଗୋଟିଏ ନାଁ ପ୍ଲେଟ୍ l ସେଥରେ ଲେଖା ଥିଲା “Dr. Sudhanshu Misra” l ସେଇଟା ଆମ ଦାଣ୍ଡ ଦୁଆରେ ଲଗେଇବାକୁ ଦୁହେଁ ଭାବିଲୁ l

ମୁଁ ବାହାରକୁ ଗଲା ବେଳେ ଦୁଆର ସାଵଧାନରେ ବନ୍ଦ କରେ କାଳେ ଧଡ଼ କରି ଦୁଆର ବନ୍ଦ କଲେ ନାଁ ପ୍ଲେଟ ଖସି ଯିବ ବୋଲି l ଆମେ କିନ୍ତୁ ଦୁଇଟା ସ୍କୃ ଲଗେଇ ମଜଭୁତ କରି ତାକୁ ଲଗାଇ ଥିଲୁ l ଆମ କଲୋନୀରେ ସବୁ ଶିଖ୍ ପଂଜାବୀ ରହୁ ଥିଲେ l ସମସ୍ତଙ୍କର ମଟର ପାର୍ଟ ବ୍ୟବସାୟ ଥିଲା l ସେମାନଙ୍କ ଭିତରେ ପାଠ ପଢା ଲୋକ ବେଶୀ କେହି ନଥିଲେ l କେତେଲୋକ ମତେ ଡାକ୍ତର ଙ୍କ ପତ୍ନୀ ବୋଲି କହନ୍ତି ବାହାରେ ” Dr Misra” ନାଁ ଟା ପଢି l କେତେଥର ଭାବେ କହିବି ବୋଲି ସୁଧାଂଶୁ PhD କରିଛନ୍ତି l ସେଇଟା ଡ଼କ୍ଟରେଟ , ଡାକ୍ତର ନୁହଁ l ତେବେ ସେଇଟା ତାଙ୍କର ବୁଝିବା ଆଉ ମୋର ବୁଝାଇବା ହୋଇ ପାରି ନଥିଲା l

ଦିନେ ରାତି ଦୁଇଟା ପାଖାପାଖି ହେବ ଆମ ଦୁଆରର କଲିଙ୍ଗ୍ ବେଲ୍ ବାଜିଲା l ମୁଁ ନିଦରୁ ଉଠି ସୁଧାଂଶୁଙ୍କୁ ଉଠାଇଲି l ଦୁହେଁ ଧିରୀ ହୋଇ ଯାଇ ବାହାର ବାରଣ୍ଡାର ଗ୍ରିଲ ଭିତରୁ ଦେଖିଲୁ ଜଣେ ସର୍ଦlରଜୀ ଦୁଆର ବାହାରେ ଠିଆ ହୋଇ ବେଲ ଦ୍ବବାଇ ଚାଲିଛନ୍ତି, ଆଉ କହୁଛନ୍ତି ଡାକ୍ତର ସାହେବ “ତୁ ସି ଆ ଯାଓ , ବେବି ଅଚାନକ ବୀମାର୍ ହୋ ଗଇ” l ତାଙ୍କ ପଛରେ ଆଉ ଯୋଡିଏ ସର୍ଦାର ଲୋକ ଦେଖିଲୁ l ରାତିରେ ସେମାନଙ୍କ ମୁଣ୍ଡରେ ପଗଡି ନଥିଲା l ତାଙ୍କର ଲମ୍ବା ବାଳ ଆଉ ଦାଢ଼ି ବି ନେଟ୍ ରେ ବାନ୍ଧି ନଥାନ୍ତି l ବୋଧେ ଜଣେ ତିକିଏ ପିଇଲା ଭଳି ଲାଗୁ ଥାଏ l ସୁଧାଂଶୁ ଦୁଆର ଖୋଲି ସେମାନଙ୍କୁ ଧୀର ଶବ୍ଦ ରେ କହିଲେ ଯେ ସିଏ ଡାକ୍ତର ନୁହନ୍ତି , ତାଙ୍କର ରସ ଶାସ୍ତ୍ରରେ ଡ଼କ୍ଟରେଟ ଡିଗ୍ରୀ ଅଛି। ଏତକ ବୁଝିବା ସେମାନଙ୍କ ପାଇଁ କାଠିକର ପାଠ ଥିଲା l ଥରକୁ ଥର କହି ଚାଲିଲେ “ବେବି ବହୁତ ବୀମାର ହୋ ଗଇ , ଜଲ୍ଦି ଆକେ ଥୋଡା ଦେଖଲୋ” l ଥରକୁ ଥର ସୁଧାଂଶୁ ତାଙ୍କୁ କହୁ ଥିଲେ ସିଏ ଡାକ୍ତର ନୁହଁନ୍ତି l ପାଞ୍ଚ ମିନିଟ ହୋଇଗଲା l ଜଣେ ବାହାରି କହିଲା ଯଦି ପଢୁଛ ଡାକ୍ତରୀ ତାହାଲେ ଦୁଆର ସାମ୍ନାରେ ଲେଖିଲ କାହିଁକି ? କଥାଟା ବଢି ଚାଲିଲା l ଆମର କେହି ଜଣl ଶୁଣା ଲୋକ ପାଖରେ ନଥିଲେ l

ସେତେବେଳେ ଏବ ପରି ଫୋନ ନଥିଲା କାହାକୁ ଡାକିଦବୁ ବୋଲି l ସର୍ଦାର ମାନେ ରାଗି ଗଲେ କିଛି ନବୁଝି ମାରିବା ପାଇଁ କୂଂଠାନ୍ତିନି l ଭାରି ଡର ଲାଗିଲା l

ହଠାତ୍ ବିଜୁଳି ପରି ମୋ ମୁଣ୍ଡରେ ଭାବନାଟିଏ ଆସିଲା l ଭାବିଲି ବିପଦ ବେଳେ ଆମ ସାଇର ହାତଯୋଡି ଠାକୁରାଣୀଙ୍କୁ ମନେ ମନେ ଡାକିଵି ଆଉ କହିବି ମା ସାହାଯ୍ୟ କର l ମୁଁ ସୁଧାଂଶୁଙ୍କୁ ପଛରେ ରଖି କହିଲି “ଭାଇ ସାହେବ ମେରେ ପତି ମେଡ଼ିସିନ ଦେନେଵାଲା ଡାକ୍ତର ନହିଁ , ଓଃ ତୋ ମେଡ଼ିସିନ ବନାନେ ଵାଲା ଡାକ୍ତର ହେଁ l ମୁଁ ଦୁଇ ଥର ଜୋରରେ କହିଲି “ଦ୍ବାଇ ବନାନେ ଵାଲା କ୍ୱେଏସେ ଦେଏଗେ?” ଜାଣିନି କଣ ହେଲା , ପଂଜାବୀରେ ସେମାନେ ଜଣେ ଆର ଜଣକ ମୁହଁକୁ ଦେଖିଲେ ଆଉ କହିଲେ , ଆଛା ବନାନେ ଵାଲା ଡାକ୍ତର l ମୋ ମୁହଁ କୁ ଅନେଇ କହିଲେ “ତୁସି ୱେଇସା ଲିଖ ଦୋ ବାହ୍ ର” l ତାପରେ ସେମାନେ ଗଲେ ଆଉ ଆମେ ଦୁଆର ବନ୍ଦ କରି ଭିତର୍କୁ ଗଲୁ l ଵର୍ଡା ପତ୍ର ପରି ଦେହ ଥରୁଥାଏ l ସାରା ରାତି ନିଦ ନାହିଁ l ଭାବିଲୁ ଘର ଖଣ୍ଡିଏ ପାଇଁ ଏଠି ଆମେ ନିଦା ମୂର୍ଖ ଜାଗାରେ ରହିଛୁ l

ତା ଆର ଦିନ ସକାଳୁ ଦୁହେଁ ମିଶି ନାଁ ପ୍ଲେଟ ରୁ Dr. ଅକ୍ଷ୍ୟର ଦୁଇଟି କାଟିଲୁ l ଚାହା ପିଇଲା ବେଳେ ସୁଧାଂଶୁ ମତେ କହିଲେ ତୋର ବୁଧ୍ହି ହଠାତ୍ କାମ ଦେଲା l ମୁଁ ଖୁଶିରେ ଆଉ ଛାତି ଫୁଲେଇ କହିଲି ମୁଁ , ପଥୁରିଆ ସାହି ଝିଅଟି l ତୁମେ କଣ ଭାବୁଛ !! ସିଏ ଅଫିସ୍ ଗଲେ ଆଉ ମୁଁ ଭାବିଲି ନିଶ୍ଚୟ ସୁଧାଂଶୁ ଆଉ କୋଉଠି ରହିବାର ବ୍ୟବସ୍ତା କରିବେ l ଆଜିର ଗପ ଏତିକିରେ ଶେଷ କଲି l

ଲେଖିକା : ଚନ୍ଦ୍ରା ମିଶ୍ର (GFPSP ) Girl From Pathuria Sahi Puri

💕ମୋ ସ୍ମୃତିରୁ କଥାଟିଏ : ମୁମ୍ବଇ ମହାନଗରରେ ସ୍ଥାନୀୟ ଟ୍ରେନ୍ ରେ ଯାତ୍ରାର ଅନୁଭୂତି l 💕

୧୯୭୧ ମସିହାରେ ଆମେ ଝରିଆ ଛାଡି ମୁମ୍ବଇ ଆସିଲୁ l ସୁଧାଂଶୁ ସେଠି ନୂଆ କାମ ନେଲେ l ଭୁବନେଶ୍ୱର ଯିବା ହେଲାନି ବୋଲି ମୋ ମନରେ ଦୁଃଖ ହୋଇଥିଲା l ତେବେ ଭାବିଲି ମୁମ୍ବଇ ମହାନଗରରେ ବୋଧେ ବେଶୀ ସୁବିଧା ହେବ l ଭଗବାନ ଯାହା କରନ୍ତି ସେଇଟା ସ୍ୱୀକାର କରିବା ହିଁ ଭଲ ବୋଲି ଭାବିଲି l ସୁଧାଂଶୁଙ୍କର ଦରମା ସରକାରୀ ଚାକିରୀ ଠାରୁ ଅଧିକ ଥିଲା l ଆମେ ଅଂଧେରୀ ରେ ଘର ଭଡା ନେଇ ରହିଲୁ l ସେଠି ପ୍ରାୟ ଅନେକ ଫିଲ୍ମ ଚିତ୍ରକକ୍ଷ ଥିଲା l ଶୁଣିବାରେ ନୂତନ୍ , ରାଜେଶ ଖାନା, ଶର୍ମିଳା ଟାଗୋର୍ ଇତ୍ୟାଦି ବଡ଼ ଷ୍ଟାର୍ ଙ୍କୁ ଲୋକ ମାନେ ଦେଖି ପାରନ୍ତି ସେମାନେ ଗାଡ଼ିରେ ଗଲା ବେଳେ l ଭାବିଲି ମୋରବି ଚାନ୍ସ ଆସିପାରେ ସେମାନଙ୍କ ଭିତରୁ କାହାକୁ ଦେଖିବାକୁ l ସବୁବେଳେ ମନରେ ଥାଏ ଜଣେ ଅଭିନେତା ବା ଅଭିନେତ୍ରୀଙ୍କୁ ଦେଖିବା ପାଇଁ ବାସ୍ତବ ସମୟରେ l

ମତେ ତେର ବର୍ଷ ହେଲା ପରେ ବାପା ଆଉ ଘରେ ସମସ୍ତେ ଶାଢ଼ୀ ପିନ୍ଧି ବା ପାଇଁ କହିଲେ l ତେଣୁ ସିଧା ଫ୍ରକ୍ ପରେ ଶାଢ଼ୀ ପିନ୍ଧା କଷ୍ଟେ , ମଷ୍ଟେ ଶିଖିଲି l ଶାଲୱାର , କମିଜ ଖଣ୍ଡେ ପିନ୍ଧିବା ଭାଗ୍ୟରେ ନଥିଲା l ତେବେ ବେଳେ ବେଳେ ଚାଉଳିଆ ଗଛରେ ଚଢି ଚାଉଳିଆ ଖାଇଲା ବେଳେ ସାଧନା ବା ନନ୍ଦା ଅଭିନେତ୍ରୀଙ୍କ ଭଳି ଚିପା ଶାଲୱାର , କମିଜ୍ ପିନ୍ଧିବାର ଭାବନା ମନରେ ଆସେ l ତେବେ ଘରୁ ଡାକରା ଆସିଗଲେ ସେଇ ଭାବନା ସେଇଠି ରଖି ଆସେ l ମନକୁ ମନ କହେ ପୁଣି କାଲି ସେ କଥା ଭାବିଵି l

ଆମେ ମୁମ୍ବଇ ରେ ଶହୀଦ୍ ଭଗତ ସିଙ୍ଗ କଲୋନୀରେ ରହୁଥିଲୁ l ଏଇ ମହା ନଗରରେ ସବୁ ଜିନିଷ ସୁବିଧାରେ ମିଳିବ କେବଳ ଘର ଟିଏ ମିଳି ବା କାଠିକର ପାଠ l ତେବେ ସୁଧାଂଶୁ ଙ୍କର ଜଣେ ସାଂଗଙ୍କର  ବାପା ଆମ ପାଇଁ ମଧ୍ଯସ୍ତ  ହୋଇ ଘରଟି ଠିକଣା କରି ଦେଇଥିଲେ l ଅନେକ ସର୍ଦାର (ଶିଖି) ଲୋକ ସେଠି ରହୁଥିଲେ l ଥରେ ବସ୍ ଭିତରକୁ  ଶାଢ଼ୀ  ପିନ୍ଧି ଚଢିବା ବେଳେ ମୁଁ ଝୁଂଟି ପଡିଲି l ଭାରି ଅସୁବିଧା ହେଲା l ସବୁତକ ପରିବା ମାଛ ତଳେ ଆଉ ମୁଁ  ମୁଁ ଶାଢ଼ୀ କାନି ଧରି ବସ୍ ର ପାହାଚ ଉପରେ ରହିଲି l ବସ୍ କଂଡକଟର୍ ଘଣ୍ଟି ଦବେଇ ଚାଲିଲା ଆଉ  ଡ୍ରାଇଭର ଅପେକ୍ଷ୍ୟା ନ କରି ଫୁର୍ କରି ଗାଡି ଚଲେଇଦେଲା l  ମୁଁ କାନ୍ଦି ପକେଇଲି l କୋଡିଏ ଟଙ୍କା ର ପରିବା,ମାଛ ଆଉ ତା ସହିତ ନୂଆ ପରିବା ବ୍ୟାଗ ପଛରେ ରହିଲା ମୋ ସାମ୍ନାରେ l ଆମ ପଡିଶା ଘରେ ରହୁ ଥିବା ଜଣେ ଦିଦି ସେଇ ବସ୍ ରେ ଥିଲେ l  ମୋ ଅବସ୍ଥା ଦେଖି ସେଇ ଦିଦି  ମୁଁ ବସ୍ ରୁ ଓଲ୍ଲାଇଲା ବେଳେ କହିଲେ ଚନ୍ଦ୍ରମା, “ତୁମ୍ ଶାଲୱାର , କମିଜ ପହନା କରୋ “l ବସ୍ ମେ ଚଢ୍ ନା ନିରାପଦ ହୋଗl l

ପରଦିନ ମୁଁ ସୁଧାଂଶୁଙ୍କୁ କହିଲି ଶାଲୱାର , କମିଜ୍ କିଣିବି ବୋଲି l ତାଙ୍କର କାମ ଥିଲା ଓ ଆମେ ରବିବାର ଦିନ ଯିବା ବୋଲି କହିଲେ l ମୋର ସବୁ କାମ ତର, ତର ରେ କରିବା ଅଭ୍ୟାସ l ମୁଁ ଜିଦି ଲଗେଇଲି ନାଇଁ  ପରଦିନ ଯିବି ବୋଲି l ସୁଧାଂଶୁ କହିଲେ କାହା ସଂଗେ ପଡିଶା ଘରୁ ଯାଇ କିଣି ଆଣ l ମନା ତ ମୁଁ କରୁନି l ଯାହା  ସୁବିଧା ହେବ ତା କର, କିନ୍ତୁ ମତେ ସେ ଦୋକାନ ଯିବାକୁ ରବିବାର ପୂର୍ବରୁ କହନା l ମୂଁ ପଚାରିଲି ଆମ କଲୋନୀ ରେ ଥିବା ମୋ ସାଙ୍ଗ ପିଙ୍କି ଆଉ ଅନିତାକୁ l ସେମାନେ ଅବିବାହିତ ଥିଲେ ବି ଆମେ ଏକା ବୟସର ଥିଲୁ l ଭାବିଲୁ ଭାରି ଭଲ ହେବ,ତିନି ଜଣ ମିଶି ସପିଙ୍ଗ୍ କରିବାକୁ ଯିବୁ,  ଆଉ ଆସିଲା ବାଟରେ ପାଣିପୁରୀ ଖାଇବାଟା ହେବ l ଆମେ କୋଲିୱାଡାରେ ଗାନ୍ଧୀ ମାର୍କେଟ୍ ଯିବାକୁ ଠିକ କଲୁ l ଅନିତା କହିବାରେ ଗାନ୍ଧୀ ମାର୍କେଟ୍ ରେ କୁଆଡେ ସବୁ ଭଲ ଜିନିଷ ଶସ୍ତା, ସୁନ୍ଦର ଆଉ ମଜଭୁତ ଭାବରେ ମିଳେ l ପିଙ୍କି ବି ଗାୟକ ସହିତ ପାଳିଆ ତାନା ଦେଲାପରି କହିଲା “ହଁ , ହଁ” ଅନିତା  ଠିକ କହୁଛି ଚନ୍ଦ୍ରମା l ମୁମ୍ବଇରେ ମତେ ସମସ୍ତେ ଚନ୍ଦ୍ରମା ବୋଲି ସେତେବେଳେ ଡାକୁଥିଲେ l

ମୁଁ ରବିବାର ଦିନ ପିଙ୍କି ଆଉ ଅନିତା ସାଙ୍ଗରେ ବାହାରିଲି ଗାନ୍ଧୀ ମାର୍କେଟ କୁ l ସେମାନେ ଶାଲୱାର,କମିଜ୍ ପିନ୍ଧି ଥିଲେ, କିନ୍ତୁ ମୁଁ ଶାଢ଼ୀ ପିନ୍ଧି ବାହାରିଲି l ତାଙ୍କୁ ଦେଖି ଭାବିଲି ରହ, ଆଉ କିଛିଦିନ ଗଲେ ମୁଁ ବି ଶାଲୱାର, କମିଜ଼୍ ପିନ୍ଧି ତୁମ ଦୁହିଁ ଙ୍କ ପରି ଓଢ଼ଣୀ ହାଲକାରେ ପକେଇ ଚାଲିବି ଆମେ ବୁଲି ଗଲା ବେଳେ l ଭାବିଲି ମୁଁ ଢିଲା ଶାଲବାର ଆଉ ଚିପା କମିଜ଼ ଷ୍ଟାଇଲ ଵାଲା କିଣିବି ନହେଲେ ବରାଦ ଦେଇ କରେଇବି l ଏଠିତ ବାପା ବା ଭାଇନା ନାହାନ୍ତି କି ଏଇଟା ପୁରୀ ପଥୁରିଆ ସାହି ନୁହେଁ l ନିଡର୍ ହୋଇ ଛମ୍ , ଛମ୍ ହୋଇ ଚାଲିବି ଯେମିତି ମୋ ପ୍ରିୟ ହିରୋଇନ ସାଧନା ଚାଲେ ଫିଲ୍ମରେ l ଏମିତି ଭାବୁଥିଲି ମତେ ଅନିତା ପଚାରିଲା “ତୁମ କୋ କୂଦନା ଆତା ହେ?” ମୁଁ ହିନ୍ଦି ରେ  ଜବାବ ଦେଲି “ପକ୍କା ” l “ମେଁନେ ଝାଡ଼୍ ସେ ହମେସା କୁଦକେ ନୀଚେ ଆତି ଥି ହମାରା ପୁରୀ ମେଁ “l ମୁଁ ଆଉ କାରଣ କିଛି ପଚାରିଲିନି ସିଏ କାହିଁକି ଏଇ ପ୍ରଶ୍ନ ପଚାରିଲା ବୋଲି l ଏଇଟା ମୋର ପ୍ରଥମ ଥର ମୁମ୍ବଇରେ ସ୍ଥାନୀୟ ଟ୍ରେନରେ ବସିବା ଅନୁଭୂତି l ଆମର ମୋଟର ସାଇକଲ ଟିଏ  ଥିଲା l ବୁଲିବାକୁ ଗଲା ବେଳେ ମୁଁ ଆଉ ସୁଧାଂଶୁ ସେଥିରେ ବସି ଯାଉ l ମୁଁ ବି ସେମାନଙ୍କ ପରି ଟିକେଟ କାଉଣ୍ଟରକୁ ଯାଇ ଟିକେଟ କିଣିଲି  l ଆମ ଟିକେଟ ଥାର୍ଡ କ୍ଲାସ୍ ର ଥିଲା l ସିଡିରେ ଯାଇ ତଳେ ଅପେକ୍ଷ୍l କଲୁ l ଷ୍ଟେସନରେ  ଭାରି ଭିଡ଼ ହୋଇଥିଲା l ମତେ ଭିଡ଼ ସବୁବେଳେ ପସନ୍ଦ l ତେଣୁ ମୁଁ ଚାରି ଆଡ଼କୁ ଅନାଉ ଥାଏ l ପୁରୀରୁ କଟକ କେତେ ଥର ଆଉ ଝରିଆ କୁ ବି ଟ୍ରେନରେ ଯାଇ ଥିଲି କିନ୍ତୁ ସ୍ଥାନୀୟ ଟ୍ରେନରେ କେବେ ବସି ନଥିଲି l ଏମିତି ଭିଡ଼ କେବେ ଦେଖି ନଥିଲି l ଠିକ୍ ପୁରୀର ରଥ ଯାତ୍ରା ଭିଡ଼ ପରି ଦିଶୁ ଥିଲା ଗହଳି l

ଟ୍ରେନ୍ ଟା ରଡି ଛାଡି ହଠାତ ଆସି ରହିଲା l ମୁଁ ଶାଢ଼ୀ କୁ ଟିକିଏ ଉପରକୁ କରି ଅନିତା ପଛରେ ଟ୍ରେନ୍ କୁ ଚଢ଼ିଗଲି l ସେମାନେ ବୋଧେ ଜାଣିଥିଲେ କୋଉଠି ଭିଡ଼ କମ୍ ହୁଏ l ଅନ୍ୟ ଡବା ପାଇଁ ଭିଡ଼ ଥିଲା l ଆମେ ଯେଉଁ ଡଵା ରେ ପଶିଲୁ ସେଠି ବସିବା ଜାଗାରେ ଗଦି ଥିଲା ଆଉ ଭିଡ଼ କମ୍ ଥିଲା l ମୁଁ ଜାଣିଲି ଏଇଟା ନିଶ୍ଚୟ ଫାଷ୍ଟ କ୍ଲାସ୍ ଡିବା l ଗାଡି ଚାଲିବା ଆରମ୍ଭ ହେଲା l ପିଙ୍କି କହିଲା ଭୁଲରେ ଭିଡରେ ଜାଣି ନପାରି ଫାଷ୍ଟ  କ୍ଲାସ୍ ରେ ପଶିଗଲେ l ପରେ ଦାଦର ଷ୍ଟେସନ୍ ରେ ବଦଳି କରିଦେବା l ମତେ ଡର ମାଡୁ ଥାଏ, କାଳେ  ଯଦି ଟିକେଟ କଲେକ୍ଟର ଆସିବ l ଅନିତା କହିଲା ଡରିବାରେ କିଛି ନାହିଁ l ଦାଦରରେ ଭିଡ଼ ନଥାଏ ଆଉ ଟ୍ରେନ୍ ବି ତିନି ମିନିଟ ରହିବ ସେଠି l ଆମେ ଆରାମରେ ବଦଳି କରିପାରିବା ଥାର୍ଡ଼ କ୍ଲାସକୁ l ତା କହିବା ଅନୁସାରେ ସେମାଙ୍କର ଆଗରୁ କେତେ ଥର ଏମିତି ଅନୁଭୂତି ହୋଇଥିଲା l ମୋ ଆଡ଼କୁ ଅନେଇ ଦୁହେଁ କହିଲେ , କିନ୍ତୁ ଟ୍ରେନ ରହିବା  ପାଇଁ ଧିମା ହୋଇ ଆସିଲା ବେଳକୁ “କୂଦନା ପଡେଗା, ସମଝା ନା” l  ମୁଁ କହିଲି “ହାଁ  ସମଝା ” l କେଜାଣି କାହିଁକି ଭାବିଲି ସୁଧାଂଶୁ ଙ୍କ ସାଙ୍ଗରେ ଆସିଥିଲେ ଏସବୁ ପାଇଁ ମୋର ଡରିବାର ନଥାଆନ୍ତା l ଜଗନ୍ନାଥ ଙ୍କୁ  ମନରେ ମୁଣ୍ଡିଆ ମାରି କହିଲି ପ୍ରଭୁ , ଏଥର ରକ୍ଷା କର l ଓଲ୍ଲାଇବା  ପୂର୍ବରୁ ଟିକେଟ୍ କଲେକଟର୍ ନ ଆସନ୍ତୁ l

କିଛି ସମୟ ପରେ ଦlଦର ଷ୍ଟେସନ ଆସିଗଲା l ଟ୍ରେନ୍ ଧିମା ହେଲା ଆଉ ପିଙ୍କି , ଅନିତା ସାଙ୍ଗେ ମୁଁ ତଳକୁ ଓ଼ଲ୍ଲେଇଲା ବେଳେ ମୋର ଶାଢ଼ୀ କାନିଟା ବୋଧେ ଲାଗିଗଲା ଟ୍ରେନ୍ ର ଗୋଟେ ଦୁଆରରେ  l ଶାଢ଼ୀ କୁ ସେଥିରୁ ଓଟାରି ଆଣିଲା ବେଳକୁ ଦେଖିଲି ସାମ୍ନାରେ ଧଳା ପ୍ୟାଣ୍ଟ , ସାର୍ଟ ଆଉ କଳା  ଜ୍ୟାକେଟ୍ ପିନ୍ଧି ଟିକେଟ୍ କଲେକ୍ଟର୍ ଛିଡା ହୋଇଛନ୍ତି l ଅନିତା ଆଉ ପିଙ୍କି ଙ୍କୁ ଦେଖିଲିନି ପାଖରେ l ଟିକେଟ୍ କଲେକଟର୍ କହିଲେ ଟିକେଟ ଦେଖାଅ ? ମୁଁ ମୋ ବ୍ୟାଗ ରୁ ଟିକେଟ୍ ବାହାର କରି ଦେଖେଇଲି l ସିଏ କହିଲେ ମାଡାମ୍ , ଏଇଟା ଥାର୍ଡ଼ କ୍ଲାସ୍ ଟିକେଟ l ତୁମେ ଫାଷ୍ଟ କ୍ଲାସ୍ ରେ ବସିଥିଲ ? ଆଉ ପଇସା ଦିଅ l ନହେଲେ ଥାନା କୁ ଯିବ l ଥାନା ନା ଶୁଣି ମୁଁ କାନ୍ଦି ପକେଇଲି l ଅଳ୍ପ ହିନ୍ଦୀରେ କହିଲି ମୁମ୍ବଇରେ ମୁଁ  ନୂଆ l ଜଗନ୍ନାଥ ପୁରୀରୁ ଆସିଛି ଏବେ l ମୋ ସ୍ୱାମୀ ଏସ୍ଟ୍ରେଲା ବ୍ୟାଟେରି ରେ କାମ କରନ୍ତି l ବ୍ୟାଗରୁ ପଇସା ବାହାର କଲା ପୂର୍ବରୁ ମତେ ଟିକେଟ୍ କଲେକଟର୍ କହିଲେ ଥାଉ l ଆଉ  କେବେ ଏମିତି କରିବନି l

ସେମାନେ ପଂଜାବୀ ପିଲା l ଏଥିରେ ଅଭ୍ୟସ୍ତ ବୋଲି କହି ଟିକେଟ କଲେକଟର ଅନେଇଲା l ତାପରେ ମୁଁ ମୁଣ୍ଡ ହଲାଇ, ଆଖିରୁ ଲୁହ ପୋଛି କହିଲି ବରାବର l ଭାବିଲି ସିଏ ପିଙ୍କି ଆଉ ଅନିତା କୁ ଦେଖିଚନ୍ତି କିନ୍ତୁ ଧରି ପାରିଲେନି ଡବାରୁ ବାହାରିଲା ବେଳକୁ l ତେଣୁ ସେମାନେ ଖସି ଗଲେ l ମତେ ଜଗନ୍ନାଥ ସାହାଯ୍ୟ କଲେ l ମନେ , ମନେ ଭାବିଲି ପୁରୀରୁ ଆସିଲା ବେଳେ ବାପା , ନାନୀ କହିଥିଲେ ମୁମ୍ବଇ ସହର ରେ ସୁଧାଂଶୁ ସାଙ୍ଗରେ ଯୁଆଡେ ହେଲେ ଯିବୁ l ପୁରୀ ଛୋଟ ଜାଗା l ମୁମ୍ବଇ କଥା ଅଲଗା l ତାପରେ ଆମେ ତିନି ଜଣ ଏକାଠି ଗାନ୍ଧୀ ମାର୍କେଟ ଯାଇ ମୋ ପାଇଁ ଶାଲୱାର , କମିଜ଼୍ କିଣିଲୁ l ପାଣି ପୁରୀ ବି ଖାଇଲୁ l ସେଇ ଦିନ ଠାରୁ ମୁଁ ପରିବା, ମାଛ ଆଣିବା ଛଡା ଅନ୍ୟ ଜାଗାକୁ ସୁଧାଂଶୁଙ୍କ ସାଙ୍ଗେ ଗଲି l ନୂଆ ଶାଲୱାର , କମିଜ୍ ଆଉ ଓଢଣୀ ପିନ୍ଧି l

💕ମୋ ସ୍ମୃତିରୁ ଆଉ ଗୋଟିଏ ଛୋଟ ଗପ : ମନେ ପଡେ ଆମେରିକାରେ ମୋର ପ୍ରଥମ ଡ୍ରେସ କିଣା ଓ ମୋର ସାଇଜ ବିଷୟରେ ନିର୍ବୋଧପଣ💕

୧୯୭୭ ରେ ମୁଁ ଆମେରିକା ଆସିଲି। ମୁଁ ଓଡିଶା ଓ ମୁମ୍ବଇରେ ସେପର୍ଯ୍ୟନ୍ତ ସବୁ ବେଳେ ଶାଢ଼ୀ ପିନ୍ଧୁ ଥିଲି। ବୋଧେ ମତେ ତେର ବର୍ଷ ହେଲା ପରେ ଘରେ ବାପା, ଗୋସେଇଁ ମା କହିଲେ ଏଥର ଶାଢ଼ୀ ପିନ୍ଧିବାକୁ ପଡିବ। ସେଥିରେ ମୋର ଆପତ୍ତି ନଥିଲା। କାରଣ ଆମ ସାଇରେ ଥିବା ପଥୁରିଆ ଝିଅମାନେ ମୋ ପୂର୍ବରୁ ଶାଢ଼ୀ ପିନ୍ଧା ଆରମ୍ଭ କରିଥିଲେ। ଆମେ ଶାଢ଼ୀ ପିନ୍ଧି ଚାଉଳିଆ ଗଛରେ ଚଢୁଥିଲୁ। ନରେନ୍ଦ୍ର ପୋଖରୀ ରେ ଚନ୍ଦନ ଯାତ୍ରା ବେଳେ ପହଁରି ଆସୁଥିଲୁ ଗୋଟେ ମୁଣ୍ଡରୁ ଆର ମୁଣ୍ଡ ପର୍ଯ୍ୟନ୍ତ। ତେଣୁ କିଛି ଖରାପ ଲାଗୁ ନଥିଲା। ବାହାଘର ପରେ ମୁଁ ଓଡିଶା ବାହାରେ ରହିଲି।ସେତେବେଳେ ମୋ ବୟସର ଝିଅ ମାନେ ସାଲୱାର୍ କମିଜ଼ ପିନ୍ଧୁ ଥିଲେ। ମୋର ଶାଢ଼ୀ ପିନ୍ଧିବାରେ ଏତେ ଅଭ୍ୟାସ ଥିଲା ଯେ ମୁଁ ଶାଢ଼ୀ ପିନ୍ଧିବାକୁ ପସନ୍ଦ କରୁ ଥିଲି। ମୋ ସ୍ୱାମୀ ସୁଧାଂଶୁ ଙ୍କୁ ବି ମୁଁ ଶାଢ଼ୀ ପିନ୍ଧିଲେ ଭଲଦେଖା ଯାଏ ବୋଲି କହୁଥିଲେ, ତେଣୁ କେବଳ ଶୋଇଲା ବେଳେ ମାକ୍ସିଟେ ପିନ୍ଧେ, ଯେମିତି ଓଡ଼ିଶାରେ ମୋ ବୟସର ଝିଅ ପିଲାମାନେ ପିନ୍ଧୁଥିଲେ ସେତେବେଳେ ।

ମୁଁ ଶାଢ଼ୀ କିଣିଲା ପରେ ପାଖ ବ୍ଲାଉସ ଦୋକାନକୁ ଯାଇ ମ୍ୟାଚିଙ୍ଗ ବ୍ଲାଉସ ପିସ କିଣେ ଓ ସେଇଠି ଦରଜି ପାଖରେ ବ୍ଲାଉସ ତିଆରି ପାଇଁ ବରାଦ ଦିଏ। ଦରଜି ମୋ ମାପ ନିଏ ଓ କେବେ ଆସି ବ୍ଲାଉସ ନେଇଯିବି ବୋଲି କହେ। ତେଣୁ ମୋର ସାଇଜ କଣ ମୁଁ କେବେ ଜାଣି ନଥିଲି। ସାୟା ମୁଁ ପ୍ରାୟ ଗୋଟିଏ ସାଇଜ୍ ଯାହା ସମସ୍ତଙ୍କୁ ଫିଟ ହୁଏ ତାହା କିଣେ। ତେଣୁ କେବଳ ଶାଢ଼ୀର କ୍ୱାଲିଟି, କଲର୍ ଛଡା ମୁଁ ଆଉ କେଉଁଥିକୁ ଗୁରୁତ୍ୱ ଦେଉ ନ ଥିଲି ।

ଚିକାଗୋ ଆସିଲା ପରେ ମୁଁ ଦେଖିଲି ମୋ ଭଳି ଶାଢ଼ୀ ପିନ୍ଧିବା ଲୋକ ଏଠି ବହୁତ କମ। ଗାଡି ଚଲେଇବାକୁ ପଡିଲା, ଘର ପାଇଁ ଗ୍ରସରି ଆଉ ପିଲାଙ୍କୁ ସ୍କୁଲ ନେବାପାଇଁ । ଶାଢୀ ପିନ୍ଧି ଗାଡି ଚଲେଇବାକୁ ଡର ମାଡୁ ଥିଲା। କାଳେ ଛନ୍ଦି ହୋଇ ବ୍ରେକ୍ ବଦଳରେ ଆକସେଲେରେଟ୍ ରେ ଗୋଡ଼ ମାରିଦେବି ବୋଲି। ତାହାଲେ ସରିଲା କଥା। ଆମ ଦେଶରେତ ମତେ ଗାଡି ଚଲାଇବାକୁ ପଡୁ ନଥିଲା। ସବୁ ଘର କାମ ସହିତ ଏ କାମ କରିବା ବିନା ଚାରା ନଥିଲା l

ଶୀତ ଦିନ ଯୋଗୁ ଶାଢୀ ଉପରେ ଯେତେ ସ୍ବେଟର୍ ପିନ୍ଧିଲେ ବି ଭାରି ଥଂଡା ଲାଗୁଥିଲା। ଭାବିଲି ସୁଧାଂଶୁ ଙ୍କୁ କହି ୨ ଖଣ୍ଡ ପ୍ୟାଣ୍ଟ ଓ ୨ ଖଣ୍ଡ ଟପ୍ସ କିଣିବି , ତାହାଲେ ସୁବିଧା ହେବ। ଦିନେ କହିଲି ସାଙ୍ଗରେ ଯିବା ଚାଲ ମୁଁ ଲୁଗା କିଣିବି। କହିଲେ ମତେ ସେ ସବୁ ଜଣା ନାହିଁ। ତୁମେ ପଡିସା ଘରର କୋଉ ସ୍ତ୍ରୀ ଙ୍କୁ ପଚାରି ତାଙ୍କ ସଂଗେ ଯାଅ। ଭାରି ଚିଡ ମାଡିଲା ମତେ। କାନ୍ଦ କାନ୍ଦ ହୋଇଗଲି। ମୋର କେତେ ସାଙ୍ଗ ମୁମ୍ବାଇରେ ଥିଲେ। ମୁଁ କେବେ ତାଙ୍କୁ ବଜ଼ାର ଯିବାକୁ ବା ଲୁଗା ଦୋକାନକୁ ଯିବାକୁ କହେନି। ଏଠି ତ ଥଂଡା ଯୋଗୁ କୁଆ କି କୋଇଲଟି ଏ ବି ଦେଖା ଯାଉନି। କାହାକୁ କହିବି ? ମନକଥା ମନରେ ରଖି ବାପାଙ୍କ ଉପରେ ଚିଡ଼ିଲି। ଏଇ ଫରେନ୍ ଵାଲା ଜୋଇଁ ନକରି ଥିଲେ ମୁଁ କେତେ ଖୁସି ରେ ଥାଆନ୍ତି ଆମ ଭୁବନେଶ୍ୱର ବା ମୁମ୍ବାଇରେ। କଣ ନେଫେଡା ଖାଇବାକୁ ଏ ରାଜ୍ୟକୁ ଆସିଲୁ ? ଭାବୁ ଭାବୁ ଆଖି ପିତା ବୁଜି ହୋଇ ଯାଇଥିଲା। ଝିଅ ଆସି ଉଠେଇ କହିଲା ମମି , ପାପା ଆସିଲେଣି । ସତରେ ବହୁତ ସମୟ ଶୋଇ ପଡ଼ିଥିଲି। ଆଖି, ମୁହଁ କୁ ପାଣିରେ ଧୋଇ ଆସିଲି। ତର ତର କରି ଡ଼ାଲିଲେ ଛୁଙ୍କ ଦେଲି। ତାପରେ ପିଲାଙ୍କୁ ଖାଇବାକୁ ଦେଲା ପରେ ଆମେ ଦୁହେଁ ଖାଇବସିଲୁ। ମୁଁ ପଚାରିଲି କାମ କେମିତି ଚାଲିଛି? ଖାଉ ଖାଉ କହିଲେ କଣ ଗୋଟେ ଏକ୍ସପେରିମେଣ୍ଟରେ ଠିକ ରେଜଲଟ୍ ଆସୁନି। ଭାରି ଚିନ୍ତିତ ଥିଲାପରି ଲାଗିଲା। ମନେ ମନେ ଭାବିଲି ମୁଁ ତାଙ୍କ କାମର ଅସୁବିଧା ବୁଝୁନି। ସବୁବେଳେ ଭାବୁଛି ମୋର କଣ କିଣା ହେଲା ନହେଲା ବୋଲି। କଥା କଥାରେ ତାନା ଶୁଣେଇ ଦଉଚି ମୋର ଏଇଟା ନାହିଁ, ସେଇଟା ଦରକାର। ଆମ ଚାରି ଜଣ ଙ୍କର ଭଲ ହେଉ ବୋଲି କେତେ କଷ୍ଟ କରି ସିଏ ଆମେରିକା ରେ ପହଁଚିଛନ୍ତି ସାଧରଣ ଘରୁ ଆସି।

ମୁଁ ଆଉ ଟିକିଏ ପାଖକୁ ଘୁଂଚି ଆସିଲି । ମୁଁ ହସି କହି ବାକୁ ଚାହୁଁ ଥିଲି ମୁଁ ଅବୁଝା ଭଳି ହେଲେ ବି ବୁଝୁଛି । ଭାବିଲି ପଛପଟୁ ଯାଇ ବେକରେ ଓହଳି ପଡି ଚୁମ୍ବନ ଟିଏ ଦେବି, ଯେମିତି ହେମା ମାଳିନୀ ଦେବାନନ୍ଦକୁ ଦେଇ ଥିଲା ଫିଲ୍ମ ରେ। ହଠାତ୍ ସୁଧାଂଶୁ କହିଲେ, ସିଏ ତାଙ୍କ ସାଙ୍ଗ “କୁଳ ଭୂଷଣ” କୁ କହିଛନ୍ତି। ତାଙ୍କ ସ୍ତ୍ରୀ ମୋ ସାଙ୍ଗେ ଯାଇ ମତେ ପ୍ୟାଣ୍ଟ , ଟପ୍ କିଣିବାରେ ସାହାଯ୍ୟ କରିବ। ମୁଁ ପୁଣି ଭାବନାରେ ଆଗକୁ ଚାଲିଗଲି। ଭାବିଲି ସତରେ ସୁଧାଂଶୁ କେତେ ଭଲ ଲୋକ । ମୋ ପାଇଁ ଏତେ କାମ ଭିତରେ ବି ତାଙ୍କ ସାଙ୍ଗକୁ ମୋର ସାହାଯ୍ୟ ଦରକାର ବୋଲି କହିଛନ୍ତି। ଖାଇଲା ପରେ ପିଲା ମାନେ ଟି. ଭି ପାଖରେ ବସି ଥାଆନ୍ତି। ମୁଁ ସୁଧାଂଶୁଙ୍କୁ ଶୋଇବା ଘରକୁ ଡାକି ନେଇ ଗଲି। ସେଠି ବହୁତ ଜୋରରେ ଗୋଟିଏ ଚୁମାଟିଏ ଦେଲି। କହିଲି ତୁମେ ମୋ କଥା କେତେ ଭାବୁଛ ! ଆଜି ମୁଁ ବି ସେତିକି ଚକ୍ରବୃଧି ସୁଧ ସହିତ ଫେରେଇ ଦେଲି। ସିଏ ମତେ ଟିକିଏ ଛାତି ପାଖକୁ ଟାଣି ନେଇ କହିଲେ ବଦମାସ୍ । ମୁଁ ତଳକୁ ଅନେଇ କହିଲି ସେଇତି ପାଇଁ ତ ମତେ ପସନ୍ଦ କଲ? ଅନ୍ଧାରରେ ବେଶୀ କିଛି ଦେଖା ଯାଉ ନଥିଲା, କିନ୍ତୁ ମୁଁ ତାଙ୍କ ଦେହ ମୋ ଦେହର ବହୁତ ପାଖରେ ଥିବା ଅନୁଭବ କରୁଥିଲି ଆଉ ମୋର ଦେହର ଲୁଗା ଧୀରେ ଧରେ ଗୋଟିଏ ଗୋଟିଏ ହୋଇ କମ୍ ହୋଇ ଯାଉଥିଲା। ମୋର କିଛି ଆପତ୍ତି ନଥିଲା l

ଦୁଇ ଦିନ ପରେ କୁଲ ଭୁଷଣଙ୍କ ସ୍ତ୍ରୀ ମାରିଆ ମତେ କଲ୍ କଲେ ଆଉ କହିଲେ ସିଏ ମୋ ସାଙ୍ଗେ ଶନିବାର ଦିନ ଶପିଂ ପାଇଁ ଯିବେ। ମୋର ଡ୍ରେସ୍ କିଣିବା ପାଇଁ ଯାହା ସାହାଯ୍ୟ ଦରକାର ସେଥିରେ ସହାୟତା କରିବେ। ମୁଁ ମନେ ମନେ ଭାରି ଖୁସି ହେଲିଯେ ଯା ହେଉ ଏ ଦୂର ଦେଶରେବି ଲୋକ ମାନେ ସାହାଯ୍ୟ କରିବାକୁ ଅଛନ୍ତି । ମୁଁ ଶନିବାର ଦିନ ଦୁଇପହର ଖାଇବା ଖାଇ ମାରିଆ ଙ୍କୁ ଅପେକ୍ଷା କଲି l ପିଲା ମାନେ ସୁଧାଂଶୁ ଙ୍କ ପାଖରେ ରହିବେ , ତେଣୁ ଭାବିଲି ଡ୍ରେସ୍ କିଣିବା କାମଟା ଶାନ୍ତିରେ ହେବ। ମାରିଆ ଠିକ ସମୟରେ ଆସି ଆମ କଲିଙ୍ଗ ଵେଲ ବଜେଇଲେ। ମୁଁ ତର ତର କିନା ବାହାରି ଗଲି ପିଲାଙ୍କୁ ବାଇ ବାଇ କହି।

ମାରିଆ ଗାଡି ଭାରି ଆରାମରେ ଚଲାଉ ଥାଆନ୍ତି। କଥା ବି କହୁ ଥାଆନ୍ତି ଗାଡି ଚଲାଇବା ବେଳେ। ମୋ ଭଳି ଟେନ୍ସ ଦେଖା ଯାଉ ନଥିଲେ। ମୁଁ ବାଟରେ ନାନା ପ୍ରଶ୍ନ କରୁଥିଲି। ଗପୁଡିତ, ଅଭ୍ୟାସ ଜଲ୍ଦି ବଦଳିବ କେମିତି? କଥା ହେଲା ବେଳେ ସିଏ କହିଲେ କୁଲ ଭୁଷଣ ଙ୍କୁ ଗ୍ରାଜୁଏଟ୍ ସ୍କୁଲରେ ଭେଟିଥିଲେ। ସେମାନ ପିଲା ହେବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ “ନୋ ଲକ” ଏପର୍ଯ୍ୟନ୍ତ। ମତେ ମୋ କଥା ପଚାରିଲେ। ମୁଁ କହିଲି ଆମରତ ବହୁତ ଜଲ୍ଦି ପିଲା ହେଲେ। ଆମର ବୟସରେ ଫରକ ଥିବାରୁ ପିଲା ଜଲ୍ଦି ହେଲେ ସେମାନେ ସୁଧାଂଶୁଙ୍କ ଚାକିରୀ ଭିତରେ ବଡ଼ ହୋଇ ଯିବେ ବୋଲି ଭାବିଲୁ। ସେତେବେଳେ ପ୍ରାୟ ସମସ୍ତଙ୍କର ଦୁଇଟି ପିଲା ହେଉଥିଲେ । ତେଣୁ ଏବିଷୟରେ ଭାବି ନଥିଲି ଆଗକୁ।

କଥାରେ କଥାରେ ସମୟ କଟି ଗଲା ଓ ଦୋକାନ ଆସିଗଲା। ଆମେ ଦୁହେଁ ଗାଡି ପାର୍କ କରି ଦୋକାନରେ ପଶିଲୁ। ଏହା ପୂର୍ବରୁ ମୁଁ କେବଳ ଥରେ ବା ଦୁଇଥର ମୁମ୍ବାଇ ରେ ଶହକାର ଭଣ୍ଡାର ଡ଼ିପାର୍ଟମେଣ୍ଟ ଷ୍ଟୋର ଯାଇଥିଲି। ଏଠିକାର ମଲ୍ ରେ ଲୁଗା ଦୋକାନ ସବୁ ଦେଖି ମୋ ଆଖି ଖୋସି ହୋଇଗଲା। ଧାଡି ଧାଡି ବିଭିନ୍ନ ପ୍ରକାର ଡ୍ରେସ, ସାର୍ଟ , ପ୍ୟାଣ୍ଟ , ଟପସ୍ ଓ ବ୍ରା ଇତ୍ୟାଦି ଲାଇନରେ ସଜଡା ହୋଇ ଥୁଆ ହୋଇ ଥାଏ। କେହି ଦୋକାନୀ ବସି ବିକିବାର ଦେଖିଲିନି ଯେମିତି ଆମ ଭୁନେଶ୍ୱର ବା ମୁମ୍ବଇରେ ଦେଖିଥିଲି। ମାରିଆ କସମେଟିକ୍ ଆଡେ ଗଲେ ମତେ ଡ୍ରେସ ଜାଗାରେ ଛାଡି। ବହୁତ ଭଲ ପ୍ୟାଣ୍ଟ , ଟପ୍ସ ସବୁ ଥାଏ। ମୁଁ ହାତ ଲଗେଇ ସବୁ ଦେଖିଲି। କଳା, ଧଳା, ଅନ୍ୟ ରଙ୍ଗର ବିଭିନ୍ନ ପ୍ରକାର ଟପ୍ସ ,ପ୍ୟାଣ୍ଟ ଦେଖିଲି। ମୁଁ ଡ୍ରେସ ପଟକୁ ନ ଯାଇ କେବଳ ପ୍ୟାଣ୍ଟ ଆଉ ଟପ୍ସ ଜାଗାରେ ରହିଲି। କାରଣ ମୁଁ ସେଇ ଜିନିଷ କିଣିବାକୁ ନିଶ୍ଚିତ କରି ଘରୁ ଆସିଥିଲି। ସବୁ ଲୁଗାକୁ ଦେଖିଲା ପରେ ଜାଣିବି କୋଉଟା ମତେ ଠିକ ଲାଗିବ। ସୁଧାଂଶୁ ୫୦ ଡ଼ଲାର ଦେଇ ଥିଲେ। ମୁଁ ପ୍ୟାଣ୍ଟ ଆଉ ଟପ୍ସ ର ଷ୍ଟାଇଲ ଯାହା ଭଲ ଲାଗିଲା ତାହା ଦୁଇ ହଳ କିଣିବାକୁ ଭାବିନେଇ ଥିଲି । ତାପରେ ଭାବିଲି ଆରେ ମୁଁତ ଜାଣିନି ମୋର ସାଇଜ଼୍ କଣ, କେତେ ନମ୍ବର ବୋଲି। ଭାବିଲି ବୋଧେ କାହାକୁ ପଚାରି ଦେବି। କିନ୍ତୁ କେହି ଲୋକ ଦେଖାଯାଉ ନଥିଲେ। ଦୂରରେ ଚେକଆଉଟ୍ କ୍ୟାସିଅର୍ ମାନଙ୍କୁ ଦେଖିଲି କିନ୍ତୁ ସେଠିତ ଲୋକ କେବଳ ପଇସା ଦେଇ ଜିନିଷ କିଣୁଥିଲେ। ବୋଧେ ଆମ ଆଡ଼ ଭଳି ଦର୍ଜୀ ଟିଏ ଖୋଜୁ ଥିଲି ମନେ ମନେ ଯିଏ ମତେ କହିଦେବ ମୋର ସାଇଜ଼୍ କଣ ?

ବୁଲି ବୁଲି ମୋର ଗୋଡ଼ ବିନ୍ଧା ଆରମ୍ଭ ହୋଇଗଲା। ମନେ ମନେ ବିରକ୍ତ ବି ଲାଗୁଥିଲା। ଦେଖିଲି ମାରିଆ ହାତରେ ଦୁଇଟା ହେୟାର କଲର ଡିବା ଧରି ଆସିଲେ l ମତେ ପଚାରିଲେ ” ରେଡି ଫର ଚେକ ଆଉଟ୍ “? ମୁଁ ତାଙ୍କ ମୁହଁକୁ ବକ ବକ କରି ଚାହିଁ କଣ କହିବି ଭାବୁଥିଲି, ସିଏ କହିଲେ , ଚନ୍ଦ୍ରା, କଣ ହେଲା? ମୁଁ ଜୋରରେ କହିଲି ପ୍ୟାଣ୍ଟ, ଟପ୍ସ ତ ମୁଁ ବାଛିଚି, କିନ୍ତୁ ମୋର ସାଇଜ଼ ମୁଁ ଜାଣିନି? ଏଠି କାହାକୁ ପଚରିବା ପାଇଁ ଦେଖୁନି? ମାରିଆ ହସି କହିଲଲେ , “ଲେଟ ଅସ୍ ଗୋ ଟୁ ଫିଟିଙ୍ଗ୍ ରୁମ” । ସେଇଟା ପୁଣି କଣ ମୁଁ ମନେ ମନେ ଭାବିଲି? ତେବେ ତାଙ୍କ ପଛେ ପଛେ ଗଲି ଲୁଗା ତକ ଧରି ଧରି। ସିଏ ଆଉ ଯୋଡ଼େ ବା ତିନିଟା ସେଇ ପ୍ରକାର ପ୍ୟାଣ୍ଟ, ଶାର୍ଟ କାଢି ଆଣିଲେ ଓ ସବୁ ଲୁଗା କୁ ଗୋଟେ ଟ୍ରଲି ରେ ଧରି ଜୋର ଜୋରରେ ଫିଟିଙ୍ଗ ରୁମ ଆଡେ ଗଲେ l

ମତେ ଗୋଟେ ଛୋଟିଆ ରୁମ୍ (ଫିଟିଙ୍ଗ) ରେ ପଶି ସବୁ ପ୍ୟାଣ୍ଟ ଶାର୍ଟ କୁ ଗୋଟି ଗୋଟି କରି ପିନ୍ଧି ବାହାରକୁ ଆସିବାକୁ କହିଲେ ତାହେଲେ ସିଏ ଦେଖିପାରିବେ କୋଉଟା ଫିଟ ହଉଚି ବୋଲି । ଦୋକାନରେ ପୁରା ଲୁଗା ଖୋଲି ଆଉ ନୂଆ ଲୁଗା ଟ୍ରାଇ କରିବାକୁ ମତେ ଟିକିଏ ଅଡୁଆ ଲାଗିଲା। କାଳେ କିଏ ଦେଖିବ। ମାରିଆ କହିଲେ ରିଲାକ୍ସ। କେହି ଆସିବେନି ଏଠିକୁ। ମୁଁ ତାଙ୍କ କଥା ଶୁଣି ଗୋଟାକ ପରେ ଗୋଟେ ଲୁଗା ପିନ୍ଧି ବାହାରକୁ ଆସି ତାଙ୍କୁ ଦେଖେଇଲି । ସେ ମତେ ପଚାରୁ ଥିଲେ ଏଇଟା କେମିତି ଫିଟ ହେଉଛି। ସାତ ବା ଆଠ ହଳ ଲୁଗା ଚେଷ୍ଟା କରିବା ପରେ ଦୁଇଟି ପ୍ୟାଣ୍ଟ ଆଉ ଦୁଇଟା ଶାର୍ଟ ହାତରେ ଧରିଲି।

ମାରିଆ ଟ୍ୟାଗ ପ୍ୟାଣ୍ଟ ଆଉ ଟପ୍ସ ଭିତରୁ କାଢି ମତେ ଦେଖେଇଲେ l ପ୍ୟାଣ୍ଟ ରେ ଛ (M) ଲେଖା ହୋଇଥିଲା। ସିଏ କହିଲେ ତା ମାନେ ତୁମ ସାଇଜ ଛ ଆଉ ଲମ୍ବା ମିଡ଼ିଅମ । ଟପ୍ସ ରେ କେବଳ (M) ଲେଖା ଦେଖିଲି। ତା ମାନେ ମୋର ସାଇଜ ମିଡ଼ିଅମ? ସେ ହସି କରି କହିଲେ , “ୟୁ ଗଟ ଇଟ “l ପୁଣି ଥରେ ସବୁ ଲୁଗା ପିନ୍ଧିଲି । ସବୁ ଭଲ ଆଉ ଠିକ ଲାଗିଲା ପ୍ୟାଣ୍ଟ ଆଉ ଶାର୍ଟ। ସେଇଟା ମୋର ପ୍ରଥମ ଶିକ୍ଷା ପ୍ୟାଣ୍ଟ ଆଉ ଶାର୍ଟ ର ସାଇଜ଼ ଜାଣିବା ବିଷୟରେ। ମାରିଆ ମତେ ଘରେ ଛାଡି ଚାଲିଗଲେ l

ତାଙ୍କ କହିବା ଅନୁସାରେ ସିଏ କୁଲଭୂଷଣ ଙ୍କର ମା ଆଉ ଭଉଣୀ ସହିତ ଏଇ ସାଇଜ଼ ଟ୍ରାଏଲ ର ଅନୁଭୂତି ପାଇଥିଲେ ଯେତେବେଳେ ସେମାନେ ଆସିଥିଲେ ବୁଲିବାକୁ ଆମେରିକା। ମତେ ସେକଥା ଶୁଣି ଖୁସି ଲାଗିଲାଯେ କେଵଳ ଆମ ଓଡ଼ିଆ ସ୍ତ୍ରୀ ମାନଙ୍କର ଏଇ ଅସୁବିଧା ଥିଲା ବୋଲି ନୁହେଁ। ଆସି ସାଂଗେ , ସାଂଗେ ମୋ ଛୋଟ ଡାଏରୀରେ ମୋ ପ୍ୟାଣ୍ଟ ଆଉ ଶାର୍ଟର ନମ୍ବର ଲେଖିଦେଲି। ସେ କଥା ମନେ ପଡିଲେ ଏବେବି ହସ ମାଡ଼େ। ଏବେତ ମୋ ସାଇଜ଼ ବଦଳି ଗଲାଣି ା ଆଉ ଏବେ ଦରଜି ଖୋଜି ବୁଲେନି ମୋ ଆଖି, ଦୋକାନରେ। ସେଇଟା ସେଵର କଥା। ଵର୍ତମାନ ପିଲାମାନେ ସବୁ ଗୁଗୁଲ ଦ୍ୱାରା ଜାଣୁଛନ୍ତି।

💕ମୋ ସାଙ୍ଗ ସୁଚେତା, ବୀଣା ସାଙ୍ଗେ ଘରେ ନକହି ମାଗେଣାରେ ଶ୍ରୀକୃଷ୍ଣ ସିନେମା ହଲ୍ ରେ ବସି ସିନେମା ଦେଖିବାର ଅନୁଭୂତି💕

❤️କିଛି ସ୍ମୃତି (GFPSP)ଗାର୍ଲ ଫ୍ରମ ପଥୁରିଆ ସାହି ପୁରୀ ର କଲମରୁ❤️ :


ମୋ ସାଙ୍ଗ ସୂଚେତାର ବାପା ପୁରୀର ପ୍ରସିଦ୍ଧ ସିନେମା ହଲ୍ ଶ୍ରୀକୃଷ୍ଣ ଟକିଜର ମାଲିକ ଥିଲେ l ପୁରୀରେ ସେଇ ସିନେମା ହଲ୍ ଟି ଭାରି ଭଲ ଥିଲା ଆଉ ନୂଆ ମୋଡେଲରେ ତିଆରି ହୋଇଥିଲା ସେତେବେଳ l ନୂଆ ସିନେମା ଆସିବାର ଦୁଇ ବା ତିନି ସପ୍ତାହ ପର୍ଯ୍ୟନ୍ତ ପ୍ରାୟ ସବୁବେଳେ ହଲ୍ ଟି ପୁରା ଥାଏ l ତାପରେ ହଲ୍ ରେ କେତେ ସିଟ୍ ଖାଲି ରହେ l ସେଇଟା ଆମର ଗୋଲଡେନ ସମୟ l ସୁଚେତା ସିନେମା ହଲ୍ ର ଦୁଆରେ ଟିକେଟ ଆଦାୟ କରିଥିବା ଵାଲା ଲୋକ ନଟୁକୁ ଆଗରୁ କହିଥାଏ ଆମକୁ ଖବର ଦେବାକୁ କି ସିନେମା ହଲ୍ ରେ ସିଟ ଖାଲି ଅଛି ବୋଲି l ଆମେ ପଢିବା ପାଇଁ ବୀଣା ଘରେ ଏକାଠି ବସିଥାଉ l ପଢା, ପଖାଳ , ଆଚାର ଖିଆ ସବୁ ଏକାଠି ଚାଲିଥାଏ l ଯେମିତି ନଟୁ କୁ ଦେଖୁ ବୀଣା ତା ବୋଉକୁ କହେ ଆମେ ସୁଚେତା ଘରକୁ ଇଂରାଜୀ ପଢି ବାକୁ ଯାଉଚୁ l ତାଙ୍କ ଘରେ ଭଲ ଡିକ୍ସନାରୀ ଅଛି l ମାଉସୀ ଭାରି ଭଲ ଆଉ ସରଳ ଲୋକ ଥିଲେ l କହନ୍ତି ଯୁଆଡେ ଗଲେବି ସନ୍ଧ୍ୟା ପୂର୍ବରୁ ନିଜ ଘରକୁ ଫେରି ଆସିବ l


ଆମ ଘରେ ଭାଉଜ ସକାଳର ଖାଇବା ପିଇବା ସାରି ଦୁଇ ପହରେ ବିଶ୍ରାମ ନିଅନ୍ତି l ତେଣୁ ଦିନ ଗୋଟାଏରୁ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ସାହି ଭିତରେ କୋଉଠିକୁ ଯିବାକୁ ମନା ନଥିଲା l ତାପରେ ମୁଁ ତ ସାଙ୍ଗ ହୋଇ ପଢିବାକୁ ଯାଉଥିଲି ବୋଲି ଘରେ କେହି କିଛି କହନ୍ତିନି l ବୀଣାର ବହୁତ ସୁନ୍ଦର ଶାଢ଼ୀ ସବୁ ଥାଏ l ତାର ମନ ବହୁତ ବଡ଼ l ସବୁ ଶାଢ଼ୀ ଆମ ସାମ୍ନାରେ ଆଣି ଥୋଇ ଦିଏ l ମୁଁ ଆଉ ସୁଚେତା ମିଶି ଶାଢ଼ୀ ପିନ୍ଧି ମଡେଲ ଭଳିଆ ଚାଲୁ l ତେବେ ସୂଚେତାକୁ ଶାଢ଼ୀ ପିନ୍ଧିବା ସେତେ ଭଲ ଭାବେ ଜଣା ନଥିଲା l ଆମେ ତାକୁ ସାହାଯ୍ୟ କରୁ l ପ୍ରାୟ ରବିବାର ଦିନ ଏକାଠି ହେଉ ଆମେ ତିନି ଜଣ l ଯେତେବେଳେ ନଟୁ ଆସେ ଆମ ମୁହଁ ଆକାଶର ଚନ୍ଦ୍ର ପରି ଖୁସିରେ ନାଚି ଯାଏ l ତିନି ଜଣ ଯାକ ଯାଉ ସିନେମା ହଲ୍କୁ l ବେଶୀ ଦୂର ନଥିଲା ସିନେମା ହଲ l ସିନେମା ଆରମ୍ଭ ହୋଇଯାଇଥାଏ l ନଟୁ ଟର୍ଚ୍ଚ ଧରି ଆମକୁ ଖାଲି ପଡିଥିବା ସିଟ ଆଡ଼କୁ ନେଇ ଯାଏ l ବେଳେ ବେଳେ ଭାଗ୍ୟ ଭଲ ଥିଲେ ତିନୋଟି ସିଟ ଏକାଠି ମିଳିଯାଏ l ନହେଲେ ଅଲଗା ବସି ଯାଉ l ବାଲକୋନୀର ସିଟ ଆଉ ବିନା ପଇସାରେ l ମୁଁ ତ ଭାରି ଖୁସି ହୁଏ l


ଥରେ “ଦିଲ ଅପନା ଔର ପ୍ରୀତ ପରାୟା ” ସିନେମା ପଡିଥିଲା l ନଟୁ ଠାରୁ ଖବର ଶୁଣୁ ଶୁଣୁ ଆମେ ତିନି ଜଣ ଭାରି ଖୁସିରେ ନାଚି ଗଲୁ l ବୀଣାର ପାଉଡ଼ର, କଜଳ ଲଗେଇ ଜଲ୍ଦି ବାହାରି ଗଲୁ l ବୀଣା ବୋଉଙ୍କୁ କହିଲୁ ସୁଚେତା ଘରେ ଭଲ ଇଂଗ୍ରାଜୀ ଡିକ୍ସନାରୀ ଅଛି l ସେଇଠି ପଢ଼ିବୁ ସନ୍ଧ୍ୟା ପର୍ଯ୍ୟନ୍ତ l ମାଉସୀ ଭାରି ଭଲ ଆଉ ସରଳ ଲୋକ ଥିଲେ l କହୁଥିଲେ ଯୁଆଡେ ଗଲେବି ସନ୍ଧ୍ୟା ପୂର୍ବରୁ ଘରକୁ ଫେରି ଆସିବ l


ସେଦିନ ଆମ ପାଇଁ ସିନେମା ହଲରେ ତିନୋଟି ସିଟ ଏକାଠି ନଥିଲା l ବୀଣା ଆଉ ସୁଚେତା ପାଖାପାଖି ଦୁଇଟି ସିଟ ରେ ବସିଲେ l ମୁଁ ତିନି, ଚାରି ଧାଡି ଛାଡି ଗୋଟିକିଆ ସିଟରେ ବସିଲି l ଭାରି ଖୁସି ଆଉ ଉଦବେଗ ଲାଗୁଥିଲା l ମିନା କୁମାରୀ ଆଉ ରାଜ କୁମାର ସେ ଫିଲ୍ମ ରେ ଅଭିନୟ କରିଥିଲେ l ମିନା କୁମାରୀ ନର୍ସ ହୋଇଥିଲେ ଘରର ପରିସ୍ଥିତି ନେଇ l ରାଜ କୁମାର ଡାକ୍ତର ହୋଇଥିଲେ l ଦୁହେଁ ପରସ୍ପରଙ୍କୁ ଚାହିଁ ବି ଏକାଠି ହେବାର ପ୍ରଶ୍ନ ନଥିଲା l ଆମ ଆଡର ସିନେମା ପରି ପ୍ରେମଟା ଦୁଃଖରେ ଭରି ହୋଇ ଥିଲା l ହଠାତ୍ ଲାଇଟ ଜଳିବା ଆରମ୍ଭ ହେଲା ଆଉ ଚିନାବାଦାମ ଵାଲାର ଡାକିବା ଶୁଣିଲି l ଇଂଟରମିସନ ଆସିବା ଜାଣି ମୁଁ ସୁଚେତା ଆଉ ବୀଣା ବସିଥିବା ଜାଗାକୁ ଯିବା ପାଇଁ ଉଠିଲି l

ହଟାତ୍ ତଳୁ ଗୋଟିଏ ଛୋଟ ପିଲାର କାନ୍ଦିବା ଶୁଣି ତଳକୁ ଅନେଇଲି l ଆମ ସାହିର ଦେବନ ଭାଇ ସେଠି ବସିଥିବାର ଦେଖିଲି l ସିଏ ଉପରକୁ ମୋ ଆଡ଼କୁ ଅନାଇବାର ଦେଖିଲି l ତାଙ୍କୁ ଦେଖି ମୁଁ ଡ଼ରି ଗଲି l ଦେବନ ଭାଇ ମୋ କୁନା ଭାଇନାର ବଡ଼ ସାଙ୍ଗ l ନିଶ୍ଚୟ ଭାଇନାକୁ କହିବେ ମୁଁ ସିନେମା ଯାଇଥିଲି ବୋଲି l ମୁଁ କିଛି ନଭାବି ଭିଡ଼ରୁ ଆଡେଇ ହୋଇ ଡିଆଁ ମାରି ବାହାରକୁ ଆସିଲି l ହରିଣ ବାଘକୁ ଦେଖି ଦୌଡିଲା ପରି ମୁଁ ଦୌଡ଼ି, ଦୌଡ଼ି ଆସି ଆମ ପଥୁରିଆ ସାହି ହାତଯୋଡ଼ି ଠାକୁରାଣୀଙ୍କ ଦେଉଳ ପାଖେ ପହଂଚିଲି l ସେଠି ମୁଣ୍ଡିଆ ଟିଏ ମାରି ହାତ ଯୋଡି କହିଲି ମା, ମୁଁ କାଲି ଘିଅ ଦୀପ ଟିଏ ଜଳେଇବି ଆଉ ନାଲି ମନ୍ଦାର ଫୁଲଟିଏ ଚଢେଇବି ତୁମ ପାଖରେ l ଦେବନ ଭାଇ ମତେ ନଦେଖି ଥାଆନ୍ତୁ l


ମନେ, ମନେ ଭାବୁ ଥାଏ ସୁଚେତା ଆଉ ବୀଣା ମତେ ନିଶ୍ଚୟ ଖୋଜିବେ ? ତେବେ କୁନା ଭାଇନା ଜାଣିଲେ କାଳେ ମତେ ମାରିବ ଭାବି ଚୁପ ରହିଲି l ଏବ ଭଳି କଣ ସେତେବେଳେ ଫୋନ ଥିଲା ଯେ ରିଙ୍ଗ କରି କହି ଦେଇ ଥାଆନ୍ତି? ରାତି ସାରା ଅନେଇ ଥାଏ ସକାଳ ହେଲେ ଯାଇ ସୂଚେତାକୁ କହି ଦେବି l ତା ଘର ଆମ ଘରଠୁ ବେଶୀ ଦୂର ନଥିଲା l ପର ଦିନ ସୁଚେତା ମତେ ତାଙ୍କ ଦୁଆରେ ଦେଖି ପଚାରିଲା , ତୁ ଅଦ୍ଭୁତ ସାଙ୍ଗ l ଆମେ ତତେ କେତେ ଖୋଜିଲୁ? କୁଆଡେ ଗାଏବ୍ ହୋଇଗଲୁ ? କହିଲୁନି ଆମକୁ କିଛି ? କେମିତି ସାଙ୍ଗ ତୁ ? ମୁଁ କାନ୍ଦି ପକେଇଲି ଆଉ ତାକୁ କହିଲି ସବୁ କଥା l ସୁଚେତା ର ମନ ଭାରି କୋମଳ l ମତେ ଡାକି ନେଇ କହିଲା ଠିକ ଅଛି l ଗଲାଣିତ ଗଲା କଥାତ ଚନ୍ଦୁ , ଆଉ ବେଶୀ ଭାବେନି ! ଚାଲେ ବରକୋଳି ଖାଇବା l


ଅନେକ ଦିନ ପରେ ମୁଁ ମୁମ୍ବାଇ ରୁ ଆମ ଘରକୁ ଯାଇ ଥିଲି l ଦେବନ ଭାଇ ଭଲ ଖଡି ମୂର୍ତି ତିଆରି କରନ୍ତି l ସେମାନେ ପଥୁରିଆ ଘର ଲୋକ l ଭାବିଲି ତାଙ୍କଠୁ ମୂର୍ତି କେତୋଟି କିଣି ନେବି ଘର ସଜାଇବା ପାଇଁ l ମତେ ସିଏ ତାଙ୍କ ଗଢା ସବୁ ଭଲ, ଭଲ ମୂର୍ତି ଦେଖେଇଲେ l ମୁଁ ଦୁଇଟି ମୂର୍ତି ବାଛିଲି l ମୂର୍ତି ଦୁଇଟିକୁ କାଗଜରେ ଯତ୍ନରେ ବାନ୍ଧିଲା ପରେ କହିଲେ ଏଇ ନେ l ମୁଁ କେତେ ପଇସା ଦେବି ବୋଲି ପଚାରିଲି l ମତେ ଅନାଇ କହିଲେ ଚନ୍ଦୁ ସତରେ ତୁ ସେଦିନ ସିନେମାରେ ନଥିଲୁ? ମୁଁ ହସି କହିଲି ହଁ, କିନ୍ତୁ ତୁମକୁ ତଳେ ଦେଖି ମୁଁ ଅଧାରୁ ଘରକୁ ଦୌଡ଼ି ଫେରି ଆସିଲି l କାଳେ ଭାଇନାକୁ କହି ଦେବ ବୋଲି l ମାଡ଼ ପଡି ଥାଆନ୍ତା ? ଭଲ ଫିଲ୍ମ ଅଧା ଦେଖିଲି ତୁମ ଯୋଗୁ l


ପଇସା ଦେଲା ବେଳେ ଦେବନ ଭାଇ କହିଲେ ନାଁ ପଇସା ଆଉ କଣ ନେବି , ସେ ପଇସାରେ ଆଉ ଥରେ ତୁ ଜୋଇଁ ଙ୍କ ସହିତ ସେ ଫିଲ୍ମ ଟା ଦେଖି ଯିବୁ l ତାଙ୍କ ସଂଗେ ମୋର ଆଉ କେବେ ଦେଖା ହୋଇନି l ଯେତେବେଳେ “ଦିଲ ଅପନା ପ୍ରୀତ ପରାଏ ” ର ଗୀତ ଶୁଣେ ବା ସେ ଫିଲ୍ମ ଦେଖେ ସୁଚେତା, ବୀଣା ଆଉ ଦେବନ ଭାଇ ମନେ ପଡି ଯାଆନ୍ତି l ମୂର୍ତି ଯୋଡିକ ମୁଁ ଆମେରିକା ମୋ ସଂଗେ ଆଣି ରଖିଛି ପିଲା ଦିନର ସେ ସରଳ ସ୍ମୃତି ସବୁ ମୋ ମନରେ ସାଇତି ରଖି ପାଠକ , ପାଠିକା ମାନଙ୍କ ପାଇଁ ଗପ ଲେଖେ l ଆଶା ଭଲ ଲାଗିବ ପଢିବାକୁ l

💕ଟଙ୍କିକିଆ ନୂଆ ନୋଟର ବିଡ଼ା ମୋ ହାତରେ, ଆଉ ପ୍ରଥମ ସିନେମା ଦେଖା ବାହାଘର ପରେ।💕

ସମସ୍ତଙ୍କର ମୋ ଲେଖା ଓ ଅନୁଭୂତି ପଢ଼ିବାର ଆଗ୍ରହ ଦେଖି ଆଜି ପୁଣି ଆଉ ଗୋଟିଏ କଥା ମୋ ସ୍ମୃତିରୁ ଲେଖିବାକୁ ଭାବିଲି। ମୋ ବାହାଘର ପରେ ଦିଲ୍ଲୀ, ଆଗ୍ରା ବୁଲିଆସିବା ପରେ ଆମେ ଝରିଆ, ଯୋଉଠି ସୁଧାଂଶୁ କାମ କରୁଥିଲେ ସେଠାକୁ ଫେରି ଆସିଲୁ। ଧୀରେ, ଧୀରେ ମୁଁ ଘର କାମ ଠିକ କରି ସମ୍ଭାଳି ନେବାକୁ ଚେଷ୍ଟା କଲି। ପ୍ରଥମେ କିଛିଦିନ କୋଇଲା ଚୁଲି ଲଗେଇବାରେ ଭାରି ହଇରାଣ ହେଲି। ଅନେଇଥାଏ ଠିକା କାମ ବାଲି ଆସିଲେ ତାକୁ କହେ ଚୁଲି ଲଗା ଆରମ୍ଭ କରିଦେବାକୁ। ସିଏ ବଙ୍ଗାଳି ଲୋକ। ହସି କହେ “ମେ ଟାକେ ତାର ମା କିଛୁ ନା ଶିଖିଏ ବିଏ କରେ ଦିଏଛିନ, ଏ କି କଥା ବାବା “। ଭାରି ଚିଡ ମାଡ଼େ ତା କଥା ଶୁଣି। ଯାହା ହେଉ ସିଏ ଅସଲ କାମଟି କରି ଦେବା ଯୋଗୁ ମୁଁ ଚୁପ ରହେ। ନହେଲେ ମୁଁ ବଡ଼ ପାଟିରେ ତାକୁ ଶୁଣେଇ ଦେଇଥାନ୍ତି ଦୁଇ ଚାରି ପଦ। ମନରେ ଭାବିଲି ତାର ସାହସ କେତେ ଏଭଳି କହିବାକୁ। ମୁଁ ପଥୁରିଆ ସାହି ଶତପଥି ଘର ଝିଅଟି? ବେଳେ ବେଳେ ସିଏ ନ ଆସିଲେ ମୁଁ ଅନେଇଥାଏ ସୁଧାଂଶୁଙ୍କର ଆସିବା ବେଳକୁ। ମୋ ପରି ସୁଧାଂଶୁଙ୍କର ବି ପିଲାଦିନୁ ବୋଉ ମରି ଯାଇଥିଲେ। ଫରକ ଏତିକି ଥିଲା ତାଙ୍କ ଘରେ ସେମାନେ ରୋଷେଇ କରିବା ଶିଖିଥିଲେ। ସୁଧାଂଶୁ କୋଇଲା ଚୁଲି ଲଗେଇବା ଜାଣି ଥିଲେ l ଆମ ଘରେ ମୁଁ ରୋଷେଇ ଘରକୁ ପଶୁ ନଥିଲି l ଆମ ବୁଢୀମା ରୋଷେଇ କରୁଥିଲା l କାମରୁ ଆସିଲା ପରେ ସୁଧାଂଶୁଙ୍କୁ ଚୁଲି ଲଗେଇ ଦବାକୁ କହିବାକୁ ମତେ ମାଡି ପଡେ। ବହୁ ଚେଷ୍ଟା କଲେ ବି ଅଗ୍ନି ଦେବତା ମୋ ପ୍ରତି ତାଙ୍କ କୃପା ଦୃଷ୍ଟି ପକେଇ ନଥିଲେ। ଏମିତି କିଛିଦିନ ବିତିଗଲା।

ଆମ ଘରେ ମୋ ବୁଢୀମାର ଭାରି ବାରଣ ଥିଲା। ରୋଷେଇ ଘରକୁ ବାହାର ଲୁଗା ପିନ୍ଧି ଯାଇ ହବନି। ତିନି ଥର ବାସନ ଧୁଆ ଦରକାର କିଛି ଖାଇବା ଜିନିଷ ତିଆରି ହେଲା ପରେ। ଆମିଷ , ନିରାମିଷ ଅଲଗା।ଏ ସବୁଥିରୁ ରକ୍ଷ୍ୟା ପାଇବା ପାଇଁ ମୁଁ ବହିଟିଏ ମେଲେଇ ବସିଯାଏ, ଯେତେବେଳେ ରୋଷେଇ ଘରକୁ ରନ୍ଧା ଶିଖିବାକୁ ମା ଡାକେ ମତେ। ମା କେତେ ଥର ବାପାଙ୍କୁ କହେ, ଆରେ କ୍ଷେତ୍ର (ମୋ ବାପା) ତୁ ତୋ ଝିଅକୁ ମା ମଲା ପିଲା ବୋଲି ଗେଲବସର କରି ବଢେଇଛୁ , ଶାଶୁ ଘରକୁ ଗଲେ କଣ ବହି ଖାତା ଖୁଆଇବ ସେମାନଙ୍କୁ ? ସବୁବେଳେ ହାତରେ ବହି ଧରି ବସିଛ l ବାପା କହନ୍ତି ଖରାଛୁଟିରେ ଶିଖିଯିବ। ପଢୁ ସିଏ। କ୍ଲାସ ରେ ଫାଷ୍ଟ ଆସୁଛି। ମୁଁ ମୁହଁ କୁ ବହି ଭିତରେ ମାଡି ମୁରକି , ମୁରକି ହସେ l ଏବେ ବସି ଭାବେ ମା କଥା ଶୁଣି ଚୁଲି ଲଗେଇବା ଶିଖି ଯାଇଥିଲେ ଏତେ ହନ୍ତସନ୍ତ ହେଉ ନଥାନ୍ତି। ଆଖିରୁ ଲୁହ ପୋଛୁ ପୋଛୁ ବେଳେ ବେଳେ ମୋ ଚଷମାର କାଚ କୁହୁଡି ଭଳି ଷ୍ଟିମରେ ଝାପ୍ସା ହୋଇଯାଏ। ପୁଣି ନାକ ସୁଡୁ ସୁଡୁ କରି ଆଖି ପୋଛେ କାନିରେ। ଭାବେ ଚୁଲି ଜାଳିବା ଦେଖିତ ଥିଲି କିନ୍ତୁ ଆମର ଘରେ କାଠ ଚୁଲିରେ ରୋଷେଇ ହେଉଥିଲା। ଏଠିକା ପରି କୋଇଲା ଚୁଲି ନଥିଲା ।

ଇତି ମଧ୍ୟରେ ସୁଧାଂଶୁ ମତେ ତୁମେ ରୁ ତୁ ଡାକିବା ଆରମ୍ଭ କରିଦେଇ ଥିଲେ। ଆମ ଘରେ ମୁଁ ସବୁଠୁ ସାନ ଥିଲି। ମୋର “ତୁ” ଶୁଣିବା ଅଭ୍ୟାସ ଥିଲା। ନୂଆ ନୂଆ ବୋଲି ମୁଁ ସୁଧାଂଶୁଙ୍କୁ କହି ପାରୁନଥିଲି l ମତେ ସେ ତୁମେ ବୋଲି ଡାକିଲା ବେଳେ ଭାବୁ ଥିଲି ମୁଁତ ସାନ ବୟସରେ। ମତେ ତୁ ଡାକିବାକୁ କହିବି। କିନ୍ତୁ ଭାବିଲି ବୋଧେ ସ୍ୱାମୀ, ସ୍ତ୍ରୀ ଏଭଳି ସଂବୋଧନ କରନ୍ତି ପରଷ୍ପରକୁ। ଭାଇନା ବି ଭାଉଜଙ୍କୁ “ତୁମେ” ବୋଲି ଡାକୁଥିଲେ। ଦିନେ ସୁଧାଂଶୁ କହିଲେ ଚନ୍ଦୁ ଏଇ ପରିବା ବ୍ୟାଗଟା ଧର। ମୁଁ ଵ୍ୟାଗ ନଉ ନଉ ଜୋରରେ ହସିଦେଲି। କାବା ହୋଇ ସେ ମତେ ପଚାରିଲେ କଣ ହେଲା। ମୁଁ ହସିଦେଇ କହିଲି କିଛି ନାଇଁ। ତାପରେ ଧୀରେ ପାଖକୁ ଆସି କହିଲି “ମଳୁ ଖୋଜୁ ଥିଲା କାକର ପାଣି, ବଇଦ କହିଲା ଦିଅ ତୋରାଣି”। ମୁଁ କେବେଠୁ ଭାବୁଛି କହିବି ବୋଲି ମତେ ତୁମେ ତୁ ବୋଲି ଡାକ। ଆଜି ସେଇଟା ମୋର ତୁମକୁ ବିନା କହି ହୋଇଗଲା l ତୁମେ ମତେ ତୁ ବୋଲି ଡାକିଲ। ଅଳ୍ପ କଥା କହିବା ଵାଲା ସୁଧାଂଶୁ କହିଲେ ତୁ ମତେ କହିଥିଲେ ମୁଁ କେବେଠୁ ତତେ “ତୁ” ବୋଲି ଡାକୁ ଥାଅନ୍ତି। ମୁଁ ମନେ ମନେ ଭାବିଲି ମୁଁ ବେଶୀ କଥା କହେ ବୋଲି ସବୁ କଥା କଣ କହିବି? ସବୁବେଳେ ମତେ ଗପୁଡି ବୋଲି ତ ଡାକୁଛ? ଏଇଟା ପୁଣି ଆଉ ଗୋଟେ ବାହାନା ତୁମକୁ ମିଳିବ,ମତେ ଚିଡ଼େଇବା ପାଇଁ।

ଏବେ ତାଙ୍କଠୁ ତୁ ଶୁଣି ମୁଁ ଖୁସି ହେଉଥିଲି। ୪ଟା ବେଳଠୁ ସଜ ବାଜ ହୋଇ ଦୁଆର ଖୋଲି ଅନେଇ ବସୁ ଥିଲି କେତେବେଳେ ଆସିବେ ବୋଲି। ଦିନସାରା ଏକୁଟିଆ ବସିବା ମୋ ପାଇଁ ସହଜ ନଥିଲା। ଆମ ସାହିରେ ମୋର କେତେ ସାଙ୍ଗ ସବୁ ଥିଲେ। ଏଠି ଆସି ସବୁ ଗଲା। ଅଫିସରୁ ଆସିଲା ବେଳକୁ ସୁଧାଂଶୁ ପରିବା, ମାଛ ଓ ଅନ୍ୟ ନିତିଦିନିଆ ଦରକାରୀ ଜିନିଷ ନେଇ ଆସନ୍ତି। ବଜାର ଦୂରରେ ଥିଲା।

ଆମ ପଡିସା ଘର ବାରଣ୍ଡାରେ ସବୁଦିନ ଖରାବେଳେ ପାଖ ସ୍ତ୍ରୀ ଲୋକମାନେ ଛିଡା ହୋଇ ଗପ କରନ୍ତି। ମୁଁ ଝରକା ବାଟେ ସେଇଟା ଦେଖି ଦିନେ ଭାବିଲି ଯାଇ କଥା ହେବି l ପରିବା ବିକା ଵାଲା ମାନେ ସେତିକିବେଳେ ଆସନ୍ତି। ସବୁ ସ୍ତ୍ରୀ ଲୋକ ମାନେ ତାଙ୍କଠୁ ପନି, ପରିବା କିଣନ୍ତି। ଭାବିଲି ମୁଁ ବି ତାଙ୍କ ସାଂଗେ ଯାଇ ବସିବି। ସେମାନେ ମୋଠୁ ବୟସ ରେ ବଡ଼ ଥିଲେ ଓ ଖାଲି ବଙ୍ଗଳା ଭାଷା କହୁଥିଲେ। ତେଣୁ ଟିକିଏ ଅସୁବିଧା ହୋଇପାରେ ବୋଲି ଭାବିଲି। ସାହସ କରି ଦିନେ ଯାଇ ହସିଦେଇ ତାଙ୍କୁ କହିଲି “ଆମି ମିସେସ ମିଶ୍ର।” ବାସ ମୋ କାମ ହୋଇଗଲା। ମୋର ପତଳା ଦେହ ଦେଖି ଜଣେ ଭାରି ମୋଟୀ ସ୍ତ୍ରୀ ଲୋକ (ମିସେସ ରାୟ) ଜୋରରେ ହସି କହିଲେ, ଆପନାର ବୟସ କତୋ? ନାମଟି କି? ମୁଁ କିଛି ନକହି ଅନେଇଦେଲି ମୁଣ୍ଡ ତଳକୁ ପୋତି। ତାପରେ କହିଲି ଚନ୍ଦ୍ରମା। ସୁଧାଂଶୁ ଗ୍ରେଡ଼ ୧ ଅଫିସର ଥିଲେ ସେଠିକା ସରକାରୀ ଅଫିସରେ । ସେମାନଙ୍କ ସ୍ୱାମୀ ମାନେ ମଧ୍ଯ ଗ୍ରେଡ଼ ୧ ଅଫିସର ଥିଲେ କିନ୍ତୁ ସେମାନେ ବଡ଼ ଥିଲେ ବୟସରେ। ବୋଧେ ଧୀରେ ଧୀରେ ପ୍ରୋମସନ ହୋଇ ଗ୍ରେଡ଼ ୧ କୁ ଆସିଥିଲେ? ମତେ ଦେଖି କଣ ଭାବିଲେ କେଜାଣି ମୁଁ କହିପାରିବିନି, କାହିଁକି ସେଭଳି ପ୍ରଶ୍ନ କଲେ। ବୋଧେ ମନରେ ଇର୍ସା ଟା ଥିବ ସୁଧାଂଶୁଙ୍କ ଉପରେ। ଭାବୁଥିବେ ଏଇ ଓଡ଼ିଆ ଲୋକଟି ଆସି ଆମର ଏଠି ଗ୍ରେଡ଼ ୧ ଅଫିସର ହୋଇଛି ଏତେ ଅଳ୍ପ ବୟସରେ। ଭାବିଲି ମୁଁ ବି ପରିବା କିଣି ଦେବି ସେମାନଙ୍କ ପରି। ତାହାଲେ ସୁଧାଂଶୁଙ୍କୁ ଆଉ ବଜ଼ାର ଯିବାକୁ ପଡ଼ିବନି ଅଫିସରୁ ଆସିଲା ବେଳେ।ଘରକୁ ଜଲ୍ଦି ଆସିପାରିବେ ଆଉ ଆମେ କୁଆଡେ ପାଖକୁ ବୁଲି ଯାଇ ପାରିବୁ l

ତାପରଦିନ ଠିକ ସମୟରେ ମୁଁ ଶୁଣିଲି ସ୍ତ୍ରୀ ଲୋକ ମାନଙ୍କର ଜୋର ଜୋର ହସ। ମୁଁ ଜାଣିଲି ସେମାନଙ୍କର ସବୁ ଏକାଠି ହେବା ଆରମ୍ଭ ହୋଇଗଲାଣି । ସେତିକି ବେଳକୁ ପରିବା ଵାଲା ଆଉ ମାଛ ଵାଲା ଆସିଗଲେ। ସମସ୍ତେ ତର ତର ହୋଇ ମାଛ ଵାଲା ଚାରିପଟେ ଘେରିଗଲେ। ଜୋର ଜୋର ରେ କହୁ ଥାଆନ୍ତି, ହବିବ୍ ଆମାକେ ଦାଓ, ଓଇ ମାଛଟା। ଚାରି ବା ପାଞ୍ଚ ପ୍ରକାର ମାଛ ଥିଲା ହବିବ ପାଖେ। ମାଛ ଵାଲା ନାଁ ହବିବ୍ ବୋଲି ଜାଣିଲି। ମତେ ଲାଗିଲା ଶୀତଦିନେ କୂଆ ମାନେ ମଲା ମୂଷାଟିଏ ପଛରେ କା କା ହୋଇ ଯେମିତି ଆମ ଅଗଣାରେ ଘେରି ଯାଆନ୍ତି ଏମାନେ ସେଭଳି ହବିବ୍ ଚାରିପଟେ ରଡି ଛାଡ଼ୁଛନ୍ତି। ମୁଁ ମନେ ମନେ ଭାବିଲି ବିଚରା ହବିବ୍ ! ମୁଁ ବି କିଛି ପରିବା କିଣିବା ପାଇଁ ତର ତର ହୋଇ ବାହାରି ପଡିଲି। ସୁଧାଂଶୁ ମତେ କହିଥିଲେ ଆଲମାରୀ ଭିତରେ କିଛି ଟଙ୍କା ରଖିଛନ୍ତି। ଦରକାର ହେଲେ ମୁଁ ନେବାକୁ l

ମୁଁ ପଡିସା ଘରକୁ ଡେଇଁ ଡେଇଁ ଗଲି। ପିଲାଦିନୁ ମୋର ଚଟା ଖେଳରେ ବହୁତ ମନ ଥିଲା। ମୁଁ ସାହିରେ ସବୁଠୁ ଭଲ ଖେଳୁଥିଲି ଚଟା ଖେଳରେ। ଥରେ କଂମ୍ପିଟିସନ ରେ ପ୍ରଥମ ହୋଇ ଥିଲି। ମୋର ଡେଇଁ ଡେଇଁ ଯିବା ଦେଖି ମିସେସ ରାୟ ଜୋରରେ ହସି କହିଲେ ମେ ଟା କି ଭାବେ ଯାଚି ଦେଖୁନ୍ ? ମୋର ମନେ ପଡିଲା ପଇସା ନେବା ପାଇଁ ଅଲମାରୀରୁ। ମୁଁ ତର ତର କରି ଦୁଆର ଖୋଲି ଘରକୁ ପଶି ଗଲି। ଆଲମିରା ଖୋଲି ଟଂକା ଆଡ଼କୁ ଅନାଇ ଦେଇ ସେଇଠି ବସି ଗଲି। ଗୋଟିଏ ତାଡ଼ା ନୂଆ ଟଂକିକିଆ ନୋଟ ସୁଧାଂଶୁ ଥୋଇ ଦେଇ ଯାଇ ଥିଲେ। ମୋର ନୂଆ ଟଂକା ପାଇଁ ଭାରି ଲୋଭ ଥିଲା। ମୁଁ ନୂଆ ଟଂକା ଖର୍ଚ୍ଚ କରିବାକୁ ସବୁବେଳେ କୁଣ୍ଠିତ ହଉ ଥିଲି। ଭଲ ମଣ୍ଡ ଦିଆ ଶାଢ଼ୀ ବି ମୁଁ ପିନ୍ଧୁ ନଥିଲି। ସାଇତି କରି ରଖି ଥାଏ। ମନେ ମନେ ଚିଡ଼ିଲି ଆଗରୁ ଦେଖିଥିଲେ ପୁରୁଣା ନୋଟ ମାଗି ରଖି ଥାଆନ୍ତି। ଖୋଜି ଖୋଜି ୨ଟି ଅଣି ପାଇଲି। ପାଞ୍ଚ ବା ଛ ଥର ସେ ଟଂକା ତାଡ଼ାକୁ ହାତରେ ଧରିଲି। ଏପଟ ସେପଟ ଓଲଟେଇ ବମବାରମ୍ବାର ଦେଖିଲି। ପୁଣି ଭାବିଲି ନା, ନୂଆ ଟଙ୍କାରେ ମୁଁ ପରିବା କିଣିବିନି। ସେ ଅଣି ଦୁଇଟି ଧରି ଆସି କେବଳ ଧନିଆ ପତ୍ର ବିଡ଼ାଟିଏ କିଣି ଘରକୁ ଫେରିଲି।

ପୂର୍ବ ଦିନ ରାତିରେ ଭାରି ସେନ୍ହରେ ସୁଧାଂଶୁଙ୍କୁ କହିଥିଲି ମୁଁ ପରିବା କିଣି ଦେବି ଦୁଆରୁ। ଜଲ୍ଦି ଆସିବ ଘରକୁ ବଜ଼ାର ନଯାଇ। ସିନେମା ମତେ ନେଇ ଯିବ। ଖାଲି ଆଳୁ,ପିଆଜ ଘରେ ଥିଲା। ଆଳୁ, ପିଆଜ ଧନିଆ ପତ୍ର ଦେଇ ଭାଜି ବସିଲି। ଡ଼ାଲିବି କରିଥିଲି। ଦୁଆର ଖୋଲି ଠିକ ପାଞ୍ଚଟା ବେଳେ ସୁଧାଂଶୁ ଆସିଗଲେ। ମତେ ପଚାରିଲେ କଣ ହୋଇଛି, ମୁହଁ ଶୁଖେଇ ବସିଚୁ କାହିଁକି? କହିଥିଲ ଜଲ୍ଦି ଆସିବାକୁ, ମୁଁ ଆସିଲି ପରା। ସିନେମା ଯିବ ବୋଲି କହୁଥିଲ, କଣ ହେଲା? ଧଡ଼ କିନା କହିଲି ନାଇଁ ରୋଷେଇ ସବୁ କରିପାରିନି। ଚୁଳିତ ଚାକେର।ଣି ଲଗେଇ ଦେଲା। କିନ୍ତୁ ପରିବା କିଣି ପାରିଲିନି। ସୁଧାଂଶୁ ପଚାରିଲେ,କାହିଁକି ଟଙ୍କାତ ରଖିଦେଇଥିଲି? ପରିବା ଵାଲା ଆଜି ଆସିଲାନିକି? ପାଖକୁ ଆସି କହିଲି ଆସିଥିଲା ହବିବ୍। ସମସ୍ତେ ପରିବା ଆଉ ମାଛ କିଣିଲେ କିନ୍ତୁ ମୁଁ କିଣିଲିନି। କାଇଁକିନା ତୁମେ ଯୋଉ ଟଙ୍କା ରଖିଦେଇ ଯାଇଥିଲ ସେଗୁଡାକ ସବୁ ନୂଆ ଟଙ୍କା। ମୋର ଖର୍ଚ୍ଚ କରିବାକୁ ହାତ ଆଉ ମନ ହେଲାନି। ଜାଣିଚ,ମୁଁ କେବେ ଏକା ସଂଗେ ଏତେ ନୂଆ ଟଙ୍କା ଦେଖିନଥିଲି। ଆମ ଘରେ ବାପା ଟଙ୍କା,ପଇସାର ହିସାବ ରଖନ୍ତି। ନୋଟ ଗୁଡାକ ତାଙ୍କ ପାଖେ ଯାହା ମୁଁ ଦେଖିଚି ପୁରୁଣା ଦେଖା ଯାଏ, ମୋର ଯାହା ମନେ ପଡୁଛି । ଖାଲି ଆଳୁ, ପିଆଜ ଭଜା ଆଉ ଡ଼ାଲି, ଭାତ କରି ରଖିଛି । ଇଏ ମୋ ମୁହଁକୁ ଦେଖି ହସି କହିଲେ, ନୂଆ ଟଙ୍କା ବୋଲି ତାକୁ କେତେଦିନ ରଖିବୁ ଖର୍ଚ୍ଚ ନକରି? ହଉ ଚାଲ ଯାହା ରୋଷେଇ କରିଚୁ, ତାକୁ ଖାଇ ଦେଇ ଜଲ୍ଦି ସିନେମା ଯିବାର ତିଆରି କର। ନହେଲେ ପୁଣି ସେଇଟା ରହିଯିବ । ସପ୍ତାହେ କାଳ ଲଗେଇଚୁ ସିନେମା ଯିବୁ ବୋଲି। ସଂଗେ, ସଂଗେ ମୋ ମନ ଖୁସିରେ ଉଛୁଳି ପଡିଲା ।

ମୁଁ ଆଉ ଡେରି ନକରି ତର ତର କରି ଖାଇବା ବାଢି ଦେଲି। ଆମର ଗୋଟିଏ ଷ୍ଟିଲ ଥାଳି ଘରୁ ମିଳିଥିଲା। ଆମେ ଦୁଇ ଜଣ ଏକାଠି ସେଇ ଥାଳିରେ ଖାଉଥିଲୁ। ଆମେ ଅଳ୍ପ ଦିନ ଝରିଆରେ ରହିବାର ଥିଲା, ତେଣୁ ମୁଁ ସବୁ ବାସନ ଆଣି ନଥିଲି l ସେଦିନ ଆଗ ମୁଁ ଖାଇ ଉଠିଗଲି। ଏମିତିବି ମୋର ଜଲ୍ଦି ଖାଇବା ବଦ ଅଭ୍ୟାସ ଟି ପିଲାଦିନୁରୁ ଥିଲା l ତାପରେ ଭଲ ଲୁଗା ପିନ୍ଧିବାକୁ ମତେ ବେସି ସମୟ ଦରକାର ଥିଲା l ମୋର ଭଲ ସମ୍ବଲପୁରୀ ଶାଢିଟି ପିନ୍ଧି ଦେଲି। ମୁଣ୍ଡରେ ବଡ଼ ସିନ୍ଦୁର ଟୋପା ଆଉ ଆଖିରେ କଜଳ ଲଗେଇ ତିଆରି ହୋଇ ଗଲି। ସେତେବେଳେ ମୁଁ ଲିପିସ୍ଟିକ ବ୍ୟବହାର କରିବା ଜାଣି ନଥିଲି ଆଉ ମୋର ଲିପିସ୍ଟିକ ବି ନ ଥିଲା। ମୋର ମନେ ଅଛି ସେ ଫିଲ୍ମ ନାଆଁ ଥିଲା “ଆରାଧନା”।

ସେ ଦିନଟି ଏବେବି ମୋ ଆଖି ଆଗରେ ନାଚି ଯାଉଛି। ମୁଁ ମୋ ନୂଆ ଟଂକିକିଆ ନୋଟ ଆଉ ଆରାଧନା ଫିଲ୍ମ ବିଷୟ ଆଜି ସମସ୍ତଙ୍କ ପାଇଁ ଲେଖିଲି ମୋର ଅନୁଭୂତିରୁ l କିଛି ଖୁସି ଆଉ କିଛି ଦୁଃଖ ବି ଲାଗୁଚି। ସେ ଦିନ କେତେ ସରଳ ଆଉ ସୁନ୍ଦର ଥିଲା।

ଫେସ ବୁକ୍ ସାଙ୍ଗ, ମୋର ପୁତୁରା, ଝିଆରୀ ତାଙ୍କର ପତି ଆଉ ପତ୍ନୀ ମାନେ ଯୋଉମାନେ ମତେ ପ୍ରେରଣା ଆଉ ସାହାଯ୍ୟ କରିଛନ୍ତି ସେମାନଙ୍କ ପାଖେ ମୁଁ ୠଣୀ।

—-ଆମ ବାଡ଼ିର ନିମ୍ବ ଗଛର ଛୋଟ ଡ଼ାଳଗୁଡିକୁ ଅନ୍ତରରୁ ଧନ୍ୟବାଦ, ମୋର ସୁନ୍ଦର, ନିଶ୍ଛିଦ୍ର ଦାନ୍ତ ପାଇଁ —-

ଦାନ୍ତ ଡାକ୍ତର ପାଖରେ ବାର୍ଷିକ ପରୀକ୍ଷଣ କରିବା ପାଇଁ ଆଜି ସକାଳେ ଯାଇ ଥିଲି l ଡାକ୍ତର (କୁନାଳ ପଟେଲ)ଜଣକ ଆମ ଦେଶୀ ଲୋକ ଆଉ ତାଙ୍କର ବୟସ ବୋଧେ ପଚାଶ ବର୍ଷ ହେବ l ମତେ ସିଏ ସବୁବେଳେ ମିସେସ ମିଶ୍ର ବୋଲି ଡାକନ୍ତି l ବେଳେ,ବେଳେ ମୁଁ ତାଙ୍କୁ ତାଙ୍କ ପରିବାର ବିଷୟ ଆଉ ସିଏ ମତେ ମୋ ପିଲାମାନଙ୍କ ପଢା ସରିଲାଣି କି ନାହିଁ ବୋଲି ପଚାରନ୍ତି ? ପ୍ରାୟ ଦୀର୍ଘ ଦଶ ବର୍ଷ ହେଲା ମୁଁ ସେଇ ଅଫିସକୁ ଯାଉଛି l

ଆଜି ଦାନ୍ତ ସଫା ପରେ କୁନାଳ ପଚାରିଲେ ମିସେସ ମିଶ୍ର , ତୁମେ ପିଲାଦିନେ ଅର୍ଥୋଡେଂଟିଷ୍ଟ ପାଖକୁ ତ ଯାଇ ନଥିବ ? ତେବେ ଦାନ୍ତ ତୁମର ଭାରି ସଫା ଆଉ ସମାନ କେମିତି ହେଲା ? ବିଲକୁଲ ନିଶ୍ଛିଦ୍ର ! ଅନେକ ଦେଶୀ ଲୋକ, ଆପଣଙ୍କ ବୟସର ଆମ ପ୍ରାକ୍ଟିସକୁ ଆସନ୍ତି l ପ୍ରାୟ ଦାନ୍ତ ଅନେକ ଲୋକଙ୍କର ସମାନ ନଥାଏ l ବୋଧେ ଆପଣ ଦାନ୍ତର ଭଲ ଯତ୍ନ ନେଇଥିବେ ପିଲାଦନରୁ ? ସେତେବେଳେ ଅର୍ଥୋଡେଂଟିଷ୍ଟ ଭାରତରେ ଏତେ ନଥିବେ ବୋଧେ ?

ମୁଁ ତାଙ୍କ କଥା ଶୁଣି ହସିଲି ଆଉ କହିଲି ହଁ , ସେଇଟା ଗୋଟିଏ ସିକ୍ରେଟ ! ପରେ ସୁବିଧା ହେଲେ କହିବି l ବାଟରେ ଗାଡି ଚଳାଇ ଆସିଲା ବେଳେ ଅନେକ ବଡ଼ ଗଛ ସବୁ ଦେଖିଲି l ହଠାତ ମୋ ଡେଂଟିଷ୍ଟ , ମୋ ସିଧା ଦାନ୍ତ କଥା ଆଉ ତାର ରହସ୍ୟ ପଚାରିବା କଥା ମନେ ପକାଇ ହସିଲି l

ଆମ ବାଡ଼ି ଆଡେ ଗୋଟେ ବଡ଼ ନିମ୍ବ ଗଛ ଥିଲା l ସବୁ ଦିନ ମୁଁ ସେଇ ନିମ୍ବ ଗଛର ଛୋଟିଆ ଶାଖାଟିଏ ଭାଙ୍ଗି ସେଥିରେ ଦାନ୍ତ ଘଷେ l ବୋଧେ ଆମ ବାଡ଼ି ନିମ୍ବ ଗଛଟା ଠିକ ଉଚ୍ଚ ଆଉ ମୋଟରେ ରାସ୍ତା ଦୁଇପଟେ ମୁଁ ଦେଖୁଥିବା ଗଛ ଭଳି ଥିଲା l ତେବେ ଆମ ବାଡ଼ିର ନିମ୍ବ ଗଛର ଡାଳ ଗୁଡିକ ତଳକୁ ବିସ୍ତାର ହୋଇ ଥାଏ l ତେଣୁ ସୁବିଧାରେ ମୁଁ ସବୁଦିନ ମନ ମୁତାବକ କାଠିଟିଏ ଭାଙ୍ଗି ଆଣେ l ତାପରେ ତାର ଶେଷ ଅଂଶଟିକୁ ଶିଳୁ ପୁଆରେ ବା ହେମ୍ଦସ୍ତା ରେ ଛେଚି ତାକୁ ବ୍ରସ ପରି କରେ l ଆଉ ସେଇଥିରେ ଦାନ୍ତ ସଫା କରେ ସବୁଦିନ ସକାଳେ l

ପାଟି ପିତା ଲାଗିଲେବି ବାପା କହନ୍ତି ପଟ ଦାନ୍ତ କାଠି (କିଆ ଗଛ ଡାଳ) କିଣିବାକୁ ପଡିବ l ନିମ୍ବ ଦାନ୍ତ କାଠି ଦାନ୍ତ ପାଇଁ ଭଲ ଆଉ ମାଗଣାରେ ଆମ ବାଡିରୁ ମିଳିବ l ଆଜିକାଲି ପରି ଟୂଥ୍ବ ବ୍ରସ ଆଉ ପେଷ୍ଟ ମୋ ପିଲା ଦିନେ ଆମ ଘରେ କେବେ ମୁଁ ବ୍ୟବହାର କରିବାର ମନେ ପଡୁନି l ତେବେ ସବୁ ଦିନ ମତେ ନିମ୍ବ ଗଛରୁ ଡାଳ କାଟି ଟୁଥ ବ୍ରସ କରିବାକୁ ଭଲ ଲାଗେ l ବେଳେ ବେଳେ ଇଛା ହୁଏ ମୋ ସାଙ୍ଗ ମାନଙ୍କ ପରି ପଟ ଦାନ୍ତ କାଠିରେ ଦାନ୍ତ ଘସିବାକୁ ! ତେବେ ବାପାଙ୍କ କଥା ମନେ ପକାଇ ଭାବେ, ହଁ ମାଗଣାରେ ଯଦି ଦାନ୍ତ ପାଇଁ ଉପକାର ଦାନ୍ତ କାଠି ମିଳୁଛି କାହିଁକି ଛାଡିବା l ଆଉ ସାଥିରେ ସକାଳୁ ଗଛ ଚଢାଟାବି ହୋଇଯାଏ l ମତେ ଗଛ ଚଢ଼ିବାକୁ ଭାରି ଭଲ ଲାଗୁଥିଲା !

ମୋର ପିଲା ଦିନ ଦାନ୍ତ ପଡିଲା ପରେ ମୁଁ ଦେଖିଲି ମୋର ସବୁ ଦାନ୍ତ ଗୁଡିକ ସମାନ ହୋଇ ଉଠିଲା l ନିମ୍ବ ଦାନ୍ତ କାଠିର ରସ ମୋ ଦାନ୍ତ ଆଉ ମାଢିକୁ ବେଶ ସବଳ କରିଛି l ଦାନ୍ତ ର ରଙ୍ଗ ବି ବେଶ ଧଳା ଦେଖା ଯାଉଥିଲା ଆଉ ଏଡ଼େ ମଧ୍ୟ ଅଛି l ଯେତେବେଳେ କିଏ ପଚାରନ୍ତି ତୁମ ଦାନ୍ତ ଭାରି ସଫା ଆଉ ସମାନ ? ମୁଁ ହସି କହେ ହଁ , ଆମ ବାଡ଼ିର ନିମ୍ବ ଗଛ ସେତକ ପିଲାଦିନୁ ମତେ ଦେଇଛି l

💕💕ଏବେବି ମନେ ପଡେ ରୁନି କଥା ଚାଲ, ଚାଲ , ବର ଆସିଗଲେ ବିଶ୍ଵନାଥପୁରରୁ 💕💕

ସକାଳୁ ଆଜି ଆମ ସାଇ ଝିଅ ରୁନିର ମେସେଜ ଆସିଲା ନାନୀ କେମିତି ଅଛ ? ଭାଇନlଙ୍କ ଫୋଟୋ ତୁମ ପୋଷ୍ଟରେ ଦେଖିଲି l ମୋର ମନେ ପଡିଗଲା ତୁମ ବାହାଘର ବେଳେ ପଥୁରିଆ ସାହିକୁ ଭାଇନା ବର ବେଶରେ ଆସିବା l ସିଏ କେତେ ସୁନ୍ଦର ଥିଲେ ? ରୁନି ସେପଟୁ ହସି, ହସି କହିଲା ନାନୀ, ସେଭଳି ସୁନ୍ଦର ବର ଆମ ସାହିକୁ ଆସିବାର ସିଏ ଆଉ କେବେ ଦେଖିନି l ରୁନି ସାଙ୍ଗେ କଥା ହେବା ପରେ ମୁଁ ବାହାରକୁ ଚାଲିବାକୁ ବାହାରି ଗଲି l ଥାନ୍କସଗିଭିଙ୍ଗ ଯୋଗୁ ଟରକି ଆଉ ମିଠା ଖାଇ ଦେଇଥିଲି ବେଶୀ l ଭାବିଲି ଚାଲିଲେ ହଜମ ହୋଇ ଯିବ

ଚାଲୁ, ଚାଲୁ ପୁରୁଣା ସ୍ମୃତି ଭିତରୁ ଆଜି ମନେ ପଡିଗଲା ମୋ ବାହାଘର ଦିନ କଥା l କାଲି ପରି ସେ ଦିନ ମନେ ପଡୁଛି l ମୁଁ ହଳଦିଆ ଲୁଗା ପିନ୍ଧି ବସିଥିଲି l ପାଖରେ ମୋର କେତେଜଣ ସାଙ୍ଗ ଆଉ ଆମ ସାଇର କିଛି ଛୋଟ ପିଲା ବସି ଥିଲେ l ସେତେବେଳେ ଆଜି କାଲି ପରି କନ୍ୟା ବିଉଟି ପାର୍ଲର ଯାଉ ନଥିଲେ ସଜବାଜ ହେବା ପାଇଁ l ଘରର ବଡ଼ ଭଉଣୀ ବା ଭାଉଜ କନ୍ୟାକୁ ବେଶ କରି ଦିଅନ୍ତି l ବାରିକିଆଣି ଗୋଡ଼ରେ ଅଳତା ଲଗେଇ ଦିଏ l ମୋର ବହୁତ ଲମ୍ବା ବାଳକୁ ସଜାଡି ଆମ ଭାଉଜ ଭଲ ବଙ୍ଗାଳି ଫେଶନର ଜୁଡା କରିଦେଲେ l ମୋ କପାଳରେ ଆମ ସାଇର ବିବିନି ଲବଙ୍ଗକୁ ଚନ୍ଦନରେ ବୁଡାଇ ଟୋପା ଟୋପା ଚନ୍ଦନ ଟୋପା ଲଗାଇ ବାରେ ଲାଗି ଥିଲା l ମୁଣ୍ଡରେ ମଲ୍ଲି ଫୁଲ ମାଳ ଲଗାଇବା ପାଇଁ ସାନ ଝିଅ ମାନେ ଫୁଲ ଗୁନ୍ଥିବାରେ ବ୍ୟସ୍ତ ଥିଲେ l

ସମସ୍ତେ ଦାଣ୍ଡ ଆଡ଼କୁ ବାରମ୍ବାର ଦେଖୁ ଥାଆନ୍ତି l ସେମାନେ କିନ୍ତୁ କାନ ଟେକି ବାହାରକୁ ଅନେଇ ଥାଆନ୍ତି ବର କେତେବେଳେ ଆସିଵେ ? ହଠାତ ରୁନି ଆସି କହିଲା ଚାଲ, ଚାଲ ଚନ୍ଦୁ ନାନୀଙ୍କ ବର ଆସିଲେଣି ଦାଣ୍ଡ ଦୁଆର ପାଖକୁ l ହଠାତ ମୁଁ ଦେଖିଲି ମୋ ପାଖରେ କେହି ନାହାନ୍ତି l ହରିଣ ପରି ସମସ୍ତେ ଜଲ୍ଦି , ଜଲ୍ଦି ଦାଣ୍ଡ ପଟକୁ ଦୌଡିଲେ l ବିବିନି ବି ତର , ତର କରି ମୋ କପାଳରେ ଚନ୍ଦନ ଲଗେଇ ଦେଇ ସମସ୍ତଙ୍କ ପଛେ ଚାଲିଲା ଦାଣ୍ଡ ପଟକୁ l ଭାଉଜଙ୍କୁ ମୋ ପିଉସୀ ନାନୀ କିଛି କାମ ପାଇଁ ଡ଼ାକିନେଇଥିଲେ l ମୁଁ ଏକୁଟିଆ ରହିଗଲି ସେଇ ଘରେ l ହଠାତ ଉଦବେଗରେ ମୁଁ ଭାବିଲି ମୁଁ ବି ଯାଇ ସମସ୍ତଙ୍କ ପରି ବର ଦେଖି ଆସିବି? ମଶିଣାରୁ ଉଠି ଦୁଇ ପାଦ ପକେଇଛି ସେପଟୁ ମୋ ପିଉସୀ ନାନୀ ବଡ଼ ପାଟିରେ କହିଲା, ଚନ୍ଦୁ ତୁ ଯୋଉଠି ବସିଛୁ ସେଇଠି ବସ୍ l ବର ଦେଖି କଣ କନିଆ ଯାଏ ଯେ ତୁ ଚାଲିଲୁ ସମସ୍ତଙ୍କ ସାଙ୍ଗେ l ଅଶୁଭ ସେଇଟା l କୁଆଡେ ଯାଆନା, ଯାହା ଦରକାର କହ, ଆମେ ଆଣିଦେବୁ l ମନେ, ମନେ ଭାବିଲି ତୁ କଣ ଆଣି ଦବୁ ମୋର ଯାହା ଦରକାର? ପୁଣି ଭାବିଲି ନାଇଁ ଅଶୁଭ କାମ କେବେ କରିବିନି ଯେତେ ମନ ହେଲେବି !

ସେପଟୁ ରୁନି, କସ୍ତୁରୀ ଆଉ ମୋ ସାଙ୍ଗ ମାନେ ହସି ହସି ଆସିବା ଶୁଣିଲି l ସମସ୍ତେ ସେଇ ଗୋଟିଏ କଥା କହୁଥାଆନ୍ତି l ସତରେ ବର ଧୋତି ପିନ୍ଧି ଗାଁର ହେଲେବି ଭାଇ ସୁନ୍ଦର l ମୋର ସୁଧାଂଶୁ ନଡ଼ିଆ ନେଇ ଆମ ଘରକୁ ମତେ ପ୍ରଥମ ଥର ଦେଖି ଆସିବା କଥା ପୁଣି ମନେ ପଡି ଗଲା l ଶୁଭ ବୋଲି ସିଏ ନଡ଼ିଆ ନେଇ ମତେ ଦେଖିବାକୁ ଆସିଥିଲେ l ଭାବିଲି କିଛି ଶୁଭକଥା ନିଶ୍ଚୟ ମନରେ ଭାବି ଥିବେ ଆଉ ଆମ ପରମ୍ପରାକୁ ମନରେ ରଖି ଧୋତି ପିନ୍ଧି ବାକୁ ସ୍ଥିର କରିଥିବେ l ସେଥି ପାଇଁ ଧୋତି ପିନ୍ଧି ଆସିଲେ l ନହେଲେ ଆମେରିକାରୁ ଆସିବା scientist ଙ୍କ ପାଇଁ suit ପିନ୍ଧି ଆସିବା କଣ ବଡ଼ କଥା ?

ସୁଧାଂଶୁଙ୍କର କ୍ୟାମେରା ଟିଏ ଥିଲା, କିନ୍ତୁ ଯାହାକୁ ଫୋଟୋ ଉଠାଇବାକୁ କ୍ୟାମେରାଟି ଦେଇ ଥିଲେ ତାଙ୍କୁ ଫୋଟୋ ନେବା ଠିକ୍ ରେ ଜଣା ନଥିଲା l ଆମ ଘରେ ଫୋଟୋ ଗ୍ରାଫର ଆଣିବାର ପ୍ରଶ୍ନ ନଥିଲା l ତେଣୁ ଭଲ ଫୋଟୋ ଟିଏ ବି ନାହିଁ ମୋ ପାଖରେ ସେଇ ମୁହୂର୍ତ୍ତ ଟିକୁ ଦେଖେଇବା ପାଇଁ ?ଏଇ ଫୋଟୋ ଟି କାଟି ମୋ ଲେଖା ଶେଷ କରୁଛି l

ମନେ ପଡିଗଲା ନାନୀର ଲେଉଟ ଚକୁଳି ଆଉ ମୋ ପୁତୁରା ବୁଟୁ

❤️

ଆଜି ଜଣେ ପାଠିକା କମେଣ୍ଟ ରେ ଲେଖିଲେ, ନାନୀ, ଆପଣ କଣ ଆମେରିକାରେ ରହିଗଲେ ? ହଠାତ୍ ଭାବିଲି ସତରେ ଏଠାକୁ ଆସିବା ଚାଳିଶି ବର୍ଷରୁ ଅଧିକ ହୋଇଗଲାଣି l ସମୟ କିପରି କଟି ଗଲା ଜାଣି ପାରୁନି l ତେବେ ସକାଳର ଖରା ଯେମିତି କୁହୁଡିକୁ ଆଡେଇ ଦିଏ ସେମିତି ମୋ ମନରୁ ପୁରୁଣା କଥା ସବୁକୁ ଆଡେଇ ଚାଲିଲି ଚାଲୁ ଚାଲୁ l ଭାବିଲି କେମିତି ଆଉ କାହିଁକି ଏଠି ରହିଗଲି l

ବାହାଘର ବେଳେ ସୁଧାଂଶୁଙ୍କର ଚାକିରୀ ଝରିଆ CFRI (ସେଣ୍ଟ୍ରାଲ ଫୁଏଲ ରିସର୍ଚ୍ଚ ଇନ୍ଷ୍ଟିଚୁଟ୍ ରେ ) ମିଳି ଥିଲା l ବର୍ଷକ ପରେ ଆମେ ଭୁବନେଶ୍ୱରକୁ ଫେରି ଆସିବାର ଥିଲା l ମୋ ନାନୀ ଯିଏ ସୁଧାଂଶୁଙ୍କର ଭାଉଜ ହେବ କହିଲା, ଠିକ କଥା ଭୁବନେଶ୍ୱରରେ ଚାକିରି ନେବ l ବାପାଙ୍କ ଇଛା ଚନ୍ଦୁ ଆମ ଘରେ ସବୁଠାରୁ ସାନ l ସମସ୍ତଙ୍କ ପାଖରେ ଆମ ଓଡ଼ିଶାରେ ରହିଲେ ଭଲ ହେବ l ଅଳ୍ପ କଥା କହିବା ଲୋକ ସୁଧାଂଶୁ ଥଟାରେ ନାନୀକୁ କହିଲେ, ଭାଉଜ ଆଉ ଚନ୍ଦୁ କଣ ତୁମ କଥାରେ ଚଳିବ? “ଏବେ ମୋରତ ତା ଉପରେ ସବୁ ଦାବି” ? ନାନୀ ଆଉ ମୁଁ ଦୁହେଁ ହସିଲୁ , ମୁଁ କହିଲି ହଁ ଦେଖିବା ,ବର୍ଷକ ପରେ ଯେମିତି ହେଲେ ଆମେ ଭବନେଶ୍ୱର ଫେରି ଆସିବା l ମୁଁ ସମସ୍ତଙ୍କୁ ଛାଡି କୋଇଲା ଜାଗା ଝରିଆରେ ରହିଁବିନି ? ସେଠିକା ପାଣି ପବନରେ ଆଉ କଳା ହୋଇଯିବି l ତୁମେ ସିନା ଗୋରା, ତୁମକୁ କିଛି ଫରକ ପଡ଼ିବନି l

ଆମ ଘରେ କିଏ ବାହାରକୁ ଯିବାକୁ ଥିଲେ ସବୁବେଳେ ଆମେ ଲେଉଟ ଚକୁଳି କରି ଯିବା ଲୋକଟିକୁ ଖାଇବାକୁ ଦେଉ l ସେଇଟା ଶୁଭ ବୋଲି ମୋ ବୁଢ଼ୀ ମା ସବୁବେଳେ କହୁଥିଲା l ସାଙ୍ଗରେ ଗପଟିଏ ଯୋଡି କହେ କେମିତି ସାଧବ ପୁଅ ମାନଙ୍କୁ ଲେଉଟ ଚକୁଳି ଖାଇବାକୁ ଦିଆ ଯାଉ ଥିଲା, ସେମାନେ ଫେରି ଆସିବେ ବୋଲି l ମୁଁ ସେ କଥାରେ ବେଶି ବିଶ୍ୱାସ କରେନି l ତେବେ ନାନୀ ଆମର ଝରିଆକୁ ଯିବା ଦିନ ଚକୁଳି କରିବା ପାଇଁ ସକାଳେ ବିରି ଚାଉଳ ବତୁରାଇ ଦେଲା l ମୁଁ ଆଉ ମୋ ପୁତୁରା ବୁଟୁ ନାନୀ ଘର ବାଡିରେ ଚାଉଳିଆ ଗଛକୁ ଅନାଇ କେମିତି ପାଚିଲା ଚାଉଳିଆ ତୋଳିବୁ ସେଥିରେ ବ୍ୟସ୍ତ ଥିଲୁ l ନାନୀ ଚାରିଟା ବେଳକୁ ଶିଳରେ ବତୁରିଥିବା ଚାଉଳ, ବିରି ବାଟିବାରେ ଲାଗିଗଲା l ସେତେବେଳେ ତ ମିକ୍ସି ନଥିଲା l ମୋର ସାହାଯ୍ୟ କରିବା କଥା କିନ୍ତୁ ମୁଁ ଚାଉଳିଆ କେତେ ମିସ କରିବି ବୋଲି ଯାଇ ଗଛ ପାଖେ ଠିଆ ହୋଇଥିଲି l ମନେ, ମନେ ଭାବିଲି ଏବର୍ଷ ନାନୀ ବାଡ଼ିର ଆମ୍ବ , ବେଲ ,ବରକୋଳି ଆଉ ଚାଉଳିଆ ସବୁ ଖାଇବାକୁ ମିଳିବନି l କିଏ ଯାଣେ ଝରିଆରେ କଣ ସବୁ ମିଳିବ l ମନେ, ମନେ ଟିକିଏ ରାଗ ତ ଆସୁଥିଲା l ତେବେ ଯିବାକୁ ଭାରି ଖୁସିବି ହେଉଥିଲି l ପ୍ରଥମ କରି ସାରା ରାତି ଟ୍ରେନରେ ଯିବା କଥା ଭାବି ଆଉ ପୁରୁଣା ହିନ୍ଦୀ ସିନେମାରେ ଅଭିନେତା, ଅଭିନେତ୍ରୀଙ୍କ କଥା ମନେ ପଡୁଥିଲା l କେମିତି ସେମାନେ ଖୁସିରେ ପାଖାପାଖି ବସୁଥିଲେ ଆଉ ଗୀତ ବି ଗାଉଥିଲେ l ମନରେ ଭାବିଲି ସୁଧାଂଶୁ କେବେ ଗୀତ ଗାଇବା ଭଳି ଲାଗୁ ନାହାନ୍ତି?

ଆମ ଟ୍ରେନ ରାତି ନଅ ଟାରେ ଛଡ଼ିବାର ଥିଲା l ନାନୀ ସମସ୍ତଙ୍କ ପାଇଁ ରାତିରେ ଖାଇବା ପାଇଁ ପୁର ଦିଆ ଚକୁଳି ଆଉ ଡାଲମା କରିଥିଲା l ଦୁଇଟା ଚକୁଳି ଅଲଗା କରି ଟିକିଏ ଅଲଗା ଜାଗାରେ ଥୋଇଥିଲା l ସେଇଟା ଲେଉଟ ଚକୁଳି ଥିଲା ମୋ ପାଇଁ l ନାନୀର ରୋଷେଇ ଘର ଭାଇ ସାନ ଥିଲା l ଜଣେ ଲୋକ ଥରକେ ଦୁଆର ଦେଇ ଭିତରକୁ ଯାଇ ପାରିବ l ଜଣ ଜଣ କରି ସବୁ ପିଲାଙ୍କୁ ନାନୀ ଡାକି ଖାଇବା ବାଢି ଦେଉଥିଲା l ସୁଧାଂଶୁ ଆଉ ମୋ ଭିଣୋଇ ବି ବାହାରେ ପିଢ଼ାରେ ବସି ଖାଇସାରି ଥିଲେ l ମୁଁ ଆଉ ମୋ ପୁତୁରା ବୁଟୁ ରହିଗଲୁ ଶେଷ ବେଳକୁ l ସେପଟେ ଜିନିଷ କିଛି ରଖିବାର ଥିଲା ବୋଲି ସୁଧାଂଶୁ ଡାକି ବସିଲେ l ତର ତରରେ ଯାଇ ମୁଁ ଆଉ ବୁଟୁ ପିଠା ଖାଇ ବସିଲୁ l ନାନୀ କହିବାରେ ଲେଉଟ ଚକୁଳି କୋଉଠି ଟିକିଏ ମୋଟା ଆଉ ତିନି ଥର ଓଲଟା ହୁଏ l ବୋଧେ ବୁଟୁ ମୋ ପାଇଁ ଥୁଆ ହୋଇଥିବା ଚକୁଳି ପିଠା ଖାଇଦେଇଥିଲା l ଅଜଣାରେ ଆମେ ବଦଳି କରି ପିଠା ଖାଇ ଦେଇଥିଲୁ ? ନାନୀ ଯେତେବେଳେ ସେ କଥା ଜାଣିଲା କହିଲା, ବୁଟୁ ତୁ ମାଉସୀ ଚକୁଳି ଖାଇଲୁ, ସିଏ ଆଉ ଫେରି ଆସିବନି ଭୁବନେଶ୍ୱରକୁ ? ତୁ ଚାଉଳିଆ ଆଉ କାହାପାଇଁ ଗଛରେ ଚଢି ତୋଳିବୁ ?” ବୁଟୁ ଆସି ପଚାରିଲା, ବୋଉ କଥା ସତ କି ମାଉସୀ” ? ମୁଁ ତା ମୁଣ୍ଡରେ ହାତ ବୁଲାଇ କହିଲି, ନାଇଁ ସେ ସବୁ ଅନ୍ଧ ବିଶ୍ୱାସ l ଆର ବର୍ଷ ଆମ୍ବ ପାଚିଲା ବେଳକୁ ମୁଁ ଆସିଯିବି ! ଆମେ ମୋଟେ ବର୍ଷକ ପାଇଁ ଝରିଆ ଯିବୁ l

ଝରିଆରେ ରହିବାର ବର୍ଷକ ପରେ ଭୁବନେଶ୍ୱର ଆସିବା ବଦଳରେ ସୁଧାଂଶୁ ମୁମ୍ବାଇ ରେ କାମ ନେଲେ l କାରଣ ଥିଲା ଭୁବନେଶ୍ୱରରେ ସବୁ କାମ ଡେରି, ଡେରି ହେଲା ପରି ତାଙ୍କ ବଦଳିକୁ ଆଉ କିଛି ସମୟ ଲାଗିବ ବୋଲି ଉପରୁ ଅର୍ଡର ଆସିଲା l ଆମର ଯଦି କିଏ ପରିଚିତ ଲୋକ ଉପରେ ଥାଆନ୍ତି ତାହାଲେ ସେଇ ବଦଳି ଜଲ୍ଦି ହୋଇଯିବ ବୋଲି ଜଣେ କର୍ମଚାରୀ କହିଲେ l ମୁମ୍ବାଇ ରେ ଭଲ କାମ ମିଳିଥିବା ଯୋଗୁ ଆମେ ସେଠାକୁ ଚାଲିଗଲୁ l ବାହାରେ ରହିବାର ସୁଖ ଆଉ ଦୁଃଖରେ ମୁଁ ନିଜକୁ ମେଳେଇବା ଧୀରେ ଧୀରେ ଶିଖି ଯାଉଥିଲି l

ସୁଧାଂଶୁ କାମକୁ ସକାଳ ସାତଟାରେ ଯାଇ ରାତି ଆଠଟାରେ ଫେରନ୍ତି l ତେଣୁ ଦିନସାରା ଭାବେ ଭୁବନେଶ୍ୱର ରେ ଥିଲେ ନାନୀ, ଭାଇନା ସମସ୍ତେ ପାଖରେ ଥାଆନ୍ତେ l କେତେ ପୂଜା, ପର୍ବ ଘରେ ହୁଅନ୍ତା? ଯା ହେଉ କିଛି ଦିନ ପରେ ମୋର ଝିଅ ଜନ୍ମ ହେଲା l ତାର ଯତ୍ନ ନେବାରେ ମୋର ପ୍ରାୟ ସମୟ କଟିଗଲା l ତେବେ ପଢ଼ିବାର ଇଛା ସବୁବେଳେ ମନରେ ଆସୁଥାଏ l କେମିତି ପଢ଼ିବି ସେଥିପାଇଁ ସବୁ ବେଳେ ଭାବୁ ଥାଏ l ବେଳେ,ବେଳେ ଭାବେ ବି.ଏ ଟା ହେଲେ ଶେଷ କରିବା ପରେ ବାପା ବାହା କରି ଥାଆନ୍ତେ? ଏତେ ତର ତର ହେଵା କଣ ଦରକାର ଥିଲା ? ଜମା ଅଠର ବର୍ଷ ଆରମ୍ଭ ହୋଇଥିଲା l ମୋ ସାଙ୍ଗ ମାନେ କଣ ପଢିବେ ଠିକଣା କରୁ ଥାଆନ୍ତି ସେତେବେଳେ l

ମୁମ୍ବାଇରେ ସବୁ ମିଳିବ କିନ୍ତୁ ଠିକଣା ଘର ଖଣ୍ଡେ ମିଳିବା କାଠି କର ପାଠ l ମୋର ପୁରୀରେ ଆଉ ସୁଧାଂଶୁଙ୍କର ବିଶ୍ୱନାଥ ପୁରରେ ଖୋଲା ଜାଗାରେ ଚଳିବାର ଅଭ୍ୟାସ ଥିଲା l ସୁଧାଂଶୁ ଭାବିଲେ ଆମେରିକା ପାଇଁ ଚେଷ୍ଟା କରିବେ l ଓଦିଶାରୁ ବାହାରକୁ ଆସି ବାହାରେ ରହିବା ମୋର ଅଭ୍ୟାସ ହୋଇଯାଇଥିଲା l ତେଣୁ ଭାବି କହିଲି ସୁଧାଂଶୁ, ତୁମେ ଯୁଆଡେ ଯିବ ମୋର କିଛି ଆପତ୍ତି ନାହିଁ l ତେବେ ସେଠି ଯଦି ମୁଁ କଲେଜ ଯାଇ ପଢି ପାରିବି ତାହେଲେ ମୋ ପାଇଁ ବହୁତ ଭଲ ହୁଅନ୍ତା ? ମୁଁ ମୁମ୍ବଇରେ ସେତେ ବେଳକୁ ବି.ଏ ପାସ କରି ଦେଇଥିଲି ସକାଳ କଲେଜରେ ପଢି l

ସୁଧାଂଶୁ ବାହାଘର ପୂର୍ବରୁ ଆମେରିକାରେ ପୋଷ୍ଟ ଡ଼କ କାମ କରିଥିଲେ l ସେତେବେଳେ ଆମେରିକାକୁ ଆସିବା କୋଟାରେ ତାଙ୍କ କ୍ୱାଲିଫିକେସନ ଯୋଗୁ ଆମକୁ ସୁବିଧାରେ ଏଠାକୁ ଆସିବାକୁ ଅନୁମତି ମିଳିଗଲା l ଏଠି ସୁବିଧାରେ ଚାକିରୀ ବି ହୋଇଗଲା l ଭାବିଥିଲୁ ଏଠି କିଛି ଦିନ ରହିଲା ପରେ ସୁବିଧା କରି ଭୁବେଶ୍ୱର ବା ପୁରୀ ଫେରିଯିବୁ l ହଁ ଏଠି ମୋର ପଢିବା ପାଇଁ ବହୁତ ସୁବିଧା ହେଲା l ମୁଁ ସ୍ୱାସ୍ଥ୍ୟ ସାଇନ୍ସ ପଢ଼ିଲି ଯୋଉଥି ପାଇଁ ମୋର ବହୁତ ଇଛା ଥିଲା l ଅବଶ୍ୟ ଏକୁଟିଆ ତିନୋଟି ପିଲାଙ୍କୁ ନେଇ ସାଇନ୍ସ ପଢିବା ସହଜ ନଥିଲା l ବୋଝ ଉପରେ ନଳିତା ବିଦା ପରି,ସବୁ କାମ ଏଠି ନିଜକୁ କରିବାକୁ ପଡୁଥିଲା l କିନ୍ତୁ ପଢ଼ିବାର ସୁବିଧା ଥିବାଯୋଗୁ ମତେ ଭଲ ଲାଗିଲା l ସୁଧାଂଶୁ ଆଉ ବଡ଼ ଦୁଇ ପିଲାମାନେ ସମସ୍ତେ ସାହାଯ୍ୟ କରିଥିଲେ l ପଢା ପରେ ମତେ ସୁବିଧାରେ କାମ ବି ମିଳି ଗଲା, ଯାହା ମୋର ପିଲାଦିନରୁ କରିବା ପାଇଁ ଇଛା ଥିଲା l

ଧୀରେ, ଧୀରେ ଚାଳିଶ ବର୍ଷ ହୋଇଯବ ବୋଲି ଭାବି ନଥିଲି l ତେବେ ଆଜିର କମେଣ୍ଟ ଦେଖି ପୁରୁଣା କଥା ମନେ ପଡିଗଲା l ମୁଁ ନାନୀର କଥା ମନେ ପକାଇ ଭାବିଲି ବୋଧେ ବୁଟୁ ଯଦି ମୋ ଭାଗ ଚକୁଳିଟା ଖାଇ ନଥାଆନ୍ତା ତାହାଲେ ମୁଁ ଭୁବନେଶ୍ୱର ଫେରିଯାଇ ଥାଆନ୍ତି l ତେବେ ଗଲା କଥା ତ ଗଲାଣି , ଆଉ କଣ ସେ ଦିନ ଫେରି ଆସିବ l ତେବେ ଏଇଟା ଭଗବାନଙ୍କର ବରାଦ ବା ବୁଟୁର ଉପହାର ଭାବି ଆଜିର ଗଳ୍ପଟି ଲେଖୁଛି l ମନ କଥା ମୁଁ ସବୁବେଳେ ଲେଖିଦିଏ ଆଉ ସମସ୍ତଙ୍କୁ କହିବାକୁ ପଛାଏ ନାହିଁ l ଆଶା ମୋର ଏଇ ଗପଟି ଭଲ ଲାଗିବ ଆପଣ ମାନଙ୍କୁ ପଢିବାକୁ l